ମିଡିଲ୍ ଇଷ୍ଟ ଯୁଦ୍ଧରେ ଋଷ୍ ର ଏଣ୍ଟ୍ରି
ମିଡିଲ୍ ଇଷ୍ଟରେ ହଠାତ୍ ପରିସ୍ଥିତି ଏତେ ଭୟଙ୍କର କାହିଁକି ହେଲା? ଆମେରିକାର ଗୋପନୀୟ ସାମରିକ ତଥ୍ୟ କିପରି ପହଞ୍ଚିଲା ଇରାନ ପାଖକୁ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ—ଏହି ଯୁଦ୍ଧରେ ହଠାତ୍ କାହିଁକି ଦେଖାଦେଲା ରୁଷର ନାମ? ଏହା କଣ କେବଳ ଗୁଜବ, ନା କଣ ସତରେ ପର୍ଦ୍ଦା ପଛରେ ଚାଲିଛି ଗୋଟିଏ ବଡ଼ ଖେଳ? ଯଦି ଏହା ସତ୍ୟ ହୁଏ, ତେବେ ମିଡିଲ୍ ଇଷ୍ଟର ଏହି ଯୁଦ୍ଧ ଆଉ ଭୟଙ୍କର ଆକାର ନେଇପାରେ। ପୂରା ମିଡିଲ୍ ଇଷ୍ଟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଏବେ ନେଇଛି ନୂଆ ମୋଡ଼। ଇରାନକୁ ସହଯୋଗ କରିବାକୁ ଆଗକୁ ଆସିଛି ରୁଷ, ଏବଂ ଆମେରିକାର ଗୋପନୀୟ ସାମରିକ ତଥ୍ୟ ମଧ୍ୟ ଇରାନକୁ ଦେଇଥିବା ଖବର ସାମ୍ନାକୁ ଆସିଛି। ଯଦି ଏହା ସତ୍ୟ ହୁଏ, ତେବେ ଏହି ଯୁଦ୍ଧ ଆଉ ବଡ଼ ଆକାର ନେଇପାରେ। ତେବେ କଣ ସତରେ ଯୁଦ୍ଧରେ ଏଣ୍ଟ୍ରି କଲା ରୁଷ?

ମିଡିଲ୍ ଇଷ୍ଟରେ ଚାଲିଥିବା ଯୁଦ୍ଧ ଏବେ ନେଇଛି ଆଉ ଗୋଟିଏ ବଡ଼ ମୋଡ଼। ଏହି ସଂଘର୍ଷରେ ଏବେ ପରୋକ୍ଷ ଭାବରେ ପ୍ରବେଶ କରିଛି ରୁଷ। ବନ୍ଧୁ ଦେଶକୁ ସହଯୋଗ କରିବା ପାଇଁ ଆଗକୁ ଆସିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଖବର ଆସୁଛି ଯେ ରୁଷ ଇରାନକୁ ଏମିତି କିଛି ଗୋପନୀୟ ସୂଚନା ଦେଇଛି, ଯାହା ଆମେରିକା ସେନା ବିରୋଧରେ ଆକ୍ରମଣ କରିବାରେ ଇରାନକୁ ସହଯୋଗ କରିପାରେ। ଏପର୍ୟ୍ୟନ୍ତ ଏହି ଯୁଦ୍ଧରୁ ଦୂରତା ରଖିଥିବା ରୁଷ, ଶେଷରେ ନିଜର ନିକଟତମ ସହଯୋଗୀ ଇରାନ ପକ୍ଷରେ ଛିଡାହୋଇଥିବା ଦେଖାଯାଉଛି। ଏହି ପଦକ୍ଷେପ ମିଡିଲ୍ ଇଷ୍ଟ ଯୁଦ୍ଧକୁ ଆଉ ଅଧିକ ଜଟିଳ ଓ ଭୟଙ୍କର କରିପାରେ। ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ୍ର ଖବର ଅନୁସାରେ, ରୁଷ ଇରାନକୁ ଆମେରିକାର ସେନା ସମ୍ପତ୍ତି ବିଷୟରେ କିଛି ସମ୍ବେଦନଶୀଳ ତଥ୍ୟ ଯୋଗାଇଛି। ଏହି ସୂଚନାରେ ଆମେରିକୀୟ ଯୁଦ୍ଧଜାହାଜ, ବିମାନ ଓ ଅନ୍ୟାନ୍ୟ ସାମରିକ ସଂସାଧନ ବିଷୟରେ ତଥ୍ୟ ଥାଇପାରେ ବୋଲି ଦୁଇ ଜଣ ଅଧିକାରୀ ସୂଚନା ଦେଇଛନ୍ତି। ଯଦି ଏହି ଖବର ସତ୍ୟ ହୁଏ, ତେବେ ଏହା ହେବ ଏହି ଯୁଦ୍ଧରେ ରୁଷର ପ୍ରଥମ ପରୋକ୍ଷ ହସ୍ତକ୍ଷେପ। ଏହା ମଧ୍ୟ ସୂଚନା ଦେଉଛି ଯେ ମସ୍କୋ ଏବେ ଏହି ସଂଘର୍ଷରେ ନିଜର ଭୂମିକା ବଢ଼ାଇବାକୁ ଚାହୁଁଛି। ଅନ୍ୟପଟେ ଏହି ଯୁଦ୍ଧର ଆରମ୍ଭ କରିଥିବା ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଇସ୍ରାଏଲ ଇରାନର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ ଲଗାତାର ଆକ୍ରମଣ ଜାରି ରଖିଛନ୍ତି। ବର୍ଷରୁ ବର୍ଷ ଧରି ଇରାନ ନିଜର ପରମାଣୁ କାର୍ୟ୍ୟକ୍ରମ ଓ ମିଡିଲ୍ ଇଷ୍ଟର ବିଭିନ୍ନ ପ୍ରକ୍ସି ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗରେ ଆନ୍ତର୍ଜାତୀୟ ମଞ୍ଚରେ ଅଲଗା ପଡ଼ିଆସୁଛି। ଏହି ଗୋଷ୍ଠୀମାନଙ୍କ ମଧ୍ୟରେ ହେଜ୍ବୁଲ୍ଲାହ୍, ହମାସ୍ ଓ ହାଉଥି ମୁଭ୍ମେଣ୍ଟ୍ ଭଳି ନାମ ଆସୁଥାଏ। ଏହି ପରିସ୍ଥିତିରେ ରୁଷର ସମର୍ଥନ ଇରାନ ପାଇଁ ଗୋଟିଏ ବଡ଼ ଶକ୍ତିର ସୂତ୍ର ହୋଇପାରେ। କାରଣ ଅନ୍ୟପଟେ ରୁଷ ମଧ୍ୟ ପୂର୍ବ କିଛି ବର୍ଷ ଧରି ଋଷୀଆ ଓ ୟୁକ୍ରେନ୍ ଯୁଦ୍ଧରେ ବ୍ୟସ୍ତ ଅଛି ଏବଂ ଏହି ଯୁଦ୍ଧରେ ବ୍ୟବହୃତ ଡ୍ରୋନ୍ ଓ ମିସାଇଲ୍ ପାଇଁ ଇରାନ ସହିତ ତାର ସମ୍ପର୍କ ଆଉ ମଜବୁତ ହୋଇଛି। ଏହି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଇରାନ ରାଷ୍ଟ୍ରପତି ମସୁଦ୍ ପେଜେସ୍କିଆନ୍ଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଥିବା ଖବର ମିଳିଛି। ସେ ଇରାନର ସୁପ୍ରିମ୍ ଲିଡର ଅଲ୍ଲୀ ଖାମେନିଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିବା ସୂଚନା ମଧ୍ୟ ମିଳିଛି। ପୁଟିନ୍ ଏହି କଥାବାର୍ତ୍ତାରେ କହିଥିଲେ ଯେ ଯୁଦ୍ଧ କେବେ ମଧ୍ୟ ସମସ୍ୟାର ସମାଧାନ ନୁହେଁ। ତେଣୁ ଏହି ସଂକଟର ସମାଧାନ ଡିପ୍ଲୋମାଟିକ୍ ଉପାୟରେ ଖୋଜିବା ଆବଶ୍ୟକ। କିନ୍ତୁ ଅନ୍ୟପଟେ ଆମେରିକା ଏହି ଖବରକୁ ନେଇ କଠୋର ପ୍ରତିକ୍ରିୟା ଦେଇଛି। ଆମେରିକୀୟ ପକ୍ଷରୁ କୁହାଯାଇଛି ଯେ ଯଦି ଇରାନ ଏଭଳି ଆକ୍ରମଣ ଜାରି ରଖିବ, ତେବେ ତାହାକୁ ସମ୍ପୂର୍ଣ ଧ୍ବଂସ କରାଯିବ। ଏହି ମଧ୍ୟରେ ଇରାନ ମଧ୍ୟ ନିଜର ଆକ୍ରମଣ ଜାରି ରଖିଛି। ଖବର ଅନୁସାରେ ଇରାନ ମିଡିଲ୍ ଇଷ୍ଟରେ ଥିବା ଆମେରିକୀୟ ସାମରିକ ଆଡ୍ଡା ଓ ଇସ୍ରାଏଲ୍ ଉପରେ ଲଗାତାର ଆକ୍ରମଣ କରୁଛି। କୁହାଯାଉଛି ଯେ ଏହି ସଂଘର୍ଷର ପ୍ରଭାବ ୧୨ଟି ଦେଶ ପର୍ୟ୍ୟନ୍ତ ପହଞ୍ଚିଗଲା। ଏହି ଦେଶମାନଙ୍କ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ୍, କତର, ବାହାରିନ, ଜୋର୍ଡାନ, ଇରାକ୍, କୁଏତ୍, ଓମାନ, ସାଉଦି ଆରବ, ସାଇପ୍ରସ, ସିରିଆ ଓ ଆଜରବୈଜାନ ସାମିଲ ଅଛନ୍ତି। ଏହି ପରିସ୍ଥିତିରେ ବଡ଼ ପ୍ରଶ୍ନ ଉଠୁଛି — ଆମେରିକାର ଚାପ ଓ ଧମକ ଆଗରେ ଇରାନ ପଛକୁ ହଟିବ କି? ନା କଣ ଏହି ଯୁଦ୍ଧ ଆଉ ବିଶାଳ ଆକାର ନେବ? ବର୍ତ୍ତମାନ ମିଡିଲ୍ ଇଷ୍ଟର ଏହି ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ରହିନାହିଁ। ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ ଏଥିରେ ଜଡିତ ହେବାର ସଙ୍କେତ ଦେଉଛନ୍ତି। ଯାହା ଆଗାମୀ ଦିନରେ ସମଗ୍ର ଦୁନିଆର ରାଜନୀତିକ ସମୀକରଣକୁ ବଦଳାଇଦେଇପାରେ।



