ଆରବ ଦେଶ କାହିଁକି ଛାଡିଲେ ଇରାନ ହାତ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଏହି ସଂଘର୍ଷରେ ସୌଦି ଆରବ ଭଳି ମୁସଲିମ ଦେଶଗୁଡ଼ିକ ଇରାନକୁ ସାହାଯ୍ୟ ନକରିବାର ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଯାହାର ମୂଳ ମଧ୍ୟପ୍ରାଚ୍ୟର ଶିଆ-ସୁନ୍ନୀ ବିବାଦ ଏବଂ କ୍ଷମତା ସଂଘର୍ଷରେ ନିହିତ । ସୌଦି ଆରବ ଏବଂ ଇରାନ ମଧ୍ୟରେ ଇସଲାମିକ ଜଗତର ନେତୃତ୍ୱ ନେବା ପାଇଁ ଦୀର୍ଘ ଦଶନ୍ଧି ଧରି ପ୍ରତିଯୋଗିତା ଚାଲିଆସିଛି, ଯେଉଁଥିରେ ସୌଦି ଏକ ସୁନ୍ନୀ ବହୁଳ ଦେଶ ହୋଇଥିବା ବେଳେ ଇରାନ ଏକ ଶିଆ ବହୁଳ ରାଷ୍ଟ୍ର । ସୌଦି ଆରବ, କାତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଭଳି ଦେଶଗୁଡ଼ିକର ଆମେରିକା ସହିତ ଗଭୀର ସାମରିକ ଓ ଆର୍ଥିକ ସମ୍ପର୍କ ରହିଛି । ସେମାନେ ନିଜର ସୁରକ୍ଷା ପାଇଁ ଆମେରିକା ଉପରେ ନିର୍ଭରଶୀଳ । ଅନ୍ୟପଟେ, ଇରାନ ଯେଉଁ ହୁତି ଏବଂ ହିଜବୁଲ୍ଲା ଭଳି ସଶସ୍ତ୍ର ସଂଗଠନଗୁଡ଼ିକୁ ସାହାଯ୍ୟ କରୁଛି, ସେମାନେ ବିଭିନ୍ନ ସମୟରେ ଅନ୍ୟ ଆରବ ଦେଶଗୁଡ଼ିକର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ, ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ମୁସଲିମ ଦେଶ ପାଖରେ ପରମାଣୁ ଅସ୍ତ୍ର ନଥିବା ବେଳେ, ଆରବ ଦେଶଗୁଡ଼ିକ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନିଜ ଅଞ୍ଚଳ ପାଇଁ ଏକ ବଡ଼ ବିପଦ ଭାବେ ଦେଖୁଛନ୍ତି । ତେଣୁ ଇରାନ ଦୁର୍ବଳ ହେବା ଦ୍ୱାରା ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ ବଢ଼ିବା ସହ ସୌଦି ପରି ଦେଶଗୁଡ଼ିକର ସ୍ଥିତି ଅଧିକ ସୁଦୃଢ଼ ହେବାର ସମ୍ଭାବନା ଥିବାରୁ ସେମାନେ ଏହି ଯୁଦ୍ଧରେ ଇରାନକୁ ସମର୍ଥନ କରିନାହାନ୍ତି ।



