ଆତ୍ମହତ୍ୟା ନା ପ୍ରରୋଚନା
ଟେଲିଦୁନିଆର ଚର୍ଚ୍ଚିତ ଧାରାବାହିକ ବାଲିକା ବଧୁ ଏବଂ ଏହାର ନାୟିକା ଆନନ୍ଦି । ଘରେଘରେ ପରିଚିତ ଏହି ନାଁଟି ଅଦିନରେ ସମସ୍ତଙ୍କ ଠାରୁ ଦୂରେଇ ଯାଇଥିଲା । ଆତ୍ମହତ୍ୟା କରିଥିଲେ ସମସ୍ତଙ୍କ ପ୍ରିୟ ଆନନ୍ଦୀ ବା ପ୍ରତ୍ୟୁଷା ବାନାର୍ଜୀ । ତେବେ ଏହି ଆତ୍ମହତ୍ୟାକୁ ନେଇ ଦେଖିବାକୁ ମିଳିଥିଲା ଅନେକ ବାଦବିବାଦ, ଆଜିର ବି କ୍ରାଇମରେ ପ୍ରତ୍ୟୁଷାଙ୍କ କାହାଣୀ ।
ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ଚେହେରା 'ଆନନ୍ଦୀ' ଓରଫ୍ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ସେହି ପ୍ରଶ୍ନ ଘେରରେ ରହିଛି । ସେଦିନ ପ୍ରକୃତରେ କଣ ଘଟିଥିଲା? ୧ ଏପ୍ରିଲ ୨୦୧୬ରେ ଗୋରେଗାଁଓସ୍ଥିତ ନିଜ ଫ୍ଲାଟରେ ପ୍ରତ୍ୟୁଷାଙ୍କ ଝୁଲନ୍ତା ଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ପ୍ରେମ, ପ୍ରତାରଣା ଏବଂ ନିଶା ମଧ୍ୟରେ ଫସି ରହିଥିବା ଏହି ମାମଲାର ଦିଗ ଏକ ଅଡିଓ ରେକର୍ଡିଂ ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ।
ସେହି ଶେଷ ୫ ମିନିଟର କଲ୍ ରେକର୍ଡିଂ
ମୃତ୍ୟୁର କିଛି ସମୟ ପୂର୍ବରୁ ପ୍ରତ୍ୟୁଷା ଏବଂ ତାଙ୍କ ବୟଫ୍ରେଣ୍ଡ ରାହୁଲ ରାଜ ସିଂଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏହି କେସର ସବୁଠାରୁ ବଡ଼ ପ୍ରମାଣ ଭାବେ ଉଭା ହୋଇଥିଲା । ପ୍ରତ୍ୟୁଷା ଅତ୍ୟଧିକ ନିଶାଗ୍ରସ୍ତ ଥିବା ବେଳେ କାନ୍ଦି କାନ୍ଦି କହିଥିଲେ, "ତୁମେ ତୁମର ଅହଂକାର ନିଜ ପାଖରେ ରଖ, କାରଣ କିଛି ସମୟ ପରେ ଏହା ଦେଖବା ପାଇଁ କେହି ବଞ୍ଚି ନଥିବେ ।" ସେହି କଥାବାର୍ତ୍ତାରେ ପ୍ରତ୍ୟୁଷା ନିଜ ପରିବାର ପ୍ରତି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ରାହୁଲଙ୍କ ସହ ତାଙ୍କର ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା ।
ପରିବାରର ଅଭିଯୋଗ ବନାମ ରାହୁଲଙ୍କ ସଫେଇ
ପ୍ରତ୍ୟୁଷାଙ୍କ ପିତାମାତା ରାହୁଲଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ମାରପିଟ୍ କରିବା ଅଭିଯୋଗ ଆଣିଥିଲେ । ଅନ୍ୟପଟେ, ରାହୁଲଙ୍କ କହିବା କଥା ଯେ ପ୍ରତ୍ୟୁଷା ଆର୍ଥିକ ଅଭାବ ଏବଂ ନିଜ ପରିବାର ସହ ଖରାପ ସମ୍ପର୍କ ଯୋଗୁଁ ଡିପ୍ରେସନରେ ଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ପ୍ରତ୍ୟୁଷାଙ୍କ ଶରୀରରେ ୧୦୦ ମିଲିଲିଟର ମଦ ମିଳିଥିଲା ଏବଂ ସେ ମୃତ୍ୟୁର କିଛି ଦିନ ପୂର୍ବରୁ ଗର୍ଭପାତ ମଧ୍ୟ କରାଇଥିଲେ ।
ସନ୍ଦେହ ଘେରରେ ଘଟଣାସ୍ଥଳ
ପ୍ରତ୍ୟୁଷାଙ୍କ ବନ୍ଧୁ ବିକାଶ ଗୁପ୍ତା ଏବଂ କାମ୍ୟା ପଞ୍ଜାବୀ ରାହୁଲଙ୍କୁ ଦାୟୀ କରିବା ସହ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ଉପରେ ପ୍ରଶ୍ନ ଉଠାଇଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ ରାହୁଲଙ୍କ ପୂର୍ବତନ ପ୍ରେମିକା ସଲୋନୀ ଶର୍ମା ମଧ୍ୟ ପ୍ରତ୍ୟୁଷାଙ୍କୁ ନିର୍ଯାତନା ଦେଉଥିଲେ । ହେଲେ ପୋଲିସ ତଦନ୍ତରେ ରାହୁଲଙ୍କୁ ଏହି ଅଡିଓ ରେକର୍ଡିଂ ଆଧାରରେ ଜାମିନ ମିଳିଥିଲା। ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ତଦନ୍ତରେ ଅନେକ ତ୍ରୁଟି ରହିଥିଲା, ଯେମିତିକି ଘରର ଚାବି ବାଲା ଏବଂ ପଡ଼ୋଶୀ ଚାକରର ବୟାନକୁ ଅଧିକ ଗୁରୁତ୍ୱ ଦିଆଯାଇ ନଥିଲା ।
ବନ୍ଧୁଙ୍କୁ ମାଗିଥିଲେ ସାହାଯ୍ୟ
ପ୍ରତ୍ୟୁଷାଙ୍କ ନିକଟତମ ବାନ୍ଧବୀ ଏବଂ ରାହୁଲ ରାଜଙ୍କ ଧର୍ମଭଉଣୀ ଲିନା ଦିଆସ ପୋଲିସ ବୟାନରେ କହିଥିଲେ ଯେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ଅଧରାତି ପ୍ରାୟ ୩ଟା ସମୟରେ ପ୍ରତ୍ୟୁଷା ତାଙ୍କୁ କାନ୍ଦି କାନ୍ଦି ଫୋନ୍ କରିଥିଲେ । ସେ କହିଥିଲେ ଯେ ସବୁକିଛି ଭୁଲ୍ ହେଉଛି ଏବଂ ସେ ସବୁ କିଛି ଠିକ୍ କରିବାକୁ ଚାହୁଁଛନ୍ତି। ସେ ଲିନାଙ୍କୁ ସୂଚନା ଦେଇଥିଲେ ରାହୁଲଙ୍କ ଅନୁପସ୍ଥିତିରେ ସଲୋନୀ ତାଙ୍କୁ ଅତ୍ୟାଚାର କରୁଛନ୍ତି । ଲିନା ତାଙ୍କୁ ପରଦିନ ସକାଳେ ତାଙ୍କୁ ଭେଟିବେ ଏବଂ ଏ ବିଷୟରେ ଆଲୋଚନା କରିବେ ବୋଲି ବୁଝାଇଥିଲେ । ପରଦିନ ସକାଳେ ସେ ପ୍ରତ୍ୟୁଷାଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ରାହୁଲ ରାଜ ଫୋନ୍ ଉଠାଇଥିଲେ ଏବଂ କହିଥିଲେ ଯେ ତାଙ୍କୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଏହାପରେ ସେ ପ୍ରତ୍ୟୁଷାଙ୍କୁ ଆଉ ଭେଟି ପାରିନଥିଲେ ଏବଂ କିଛି ସମୟ ପରେ ତାଙ୍କୁ ପ୍ରତ୍ୟୁଷାଙ୍କ ମୃତ୍ୟୁ ଖବର ମିଳିଥିଲା । ଯାହା ଏକ ବିବାଦ ଓ ସନ୍ଦେହ ସୃଷ୍ଟି କରିଥିଲା ।
ରାହୁଲଙ୍କ ମାନହାନି ମକଦ୍ଦମା
କାମ୍ୟା ପଞ୍ଜାବୀ ଏବଂ ବିକାଶ ଗୁପ୍ତାଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତି ରାହୁଲଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଥିଲେ । ୨୦୧୬ ଶେଷ ଆଡ଼କୁ କାମ୍ୟା ପଞ୍ଜାବୀ ପ୍ରତ୍ୟୁଷା ବାନାର୍ଜୀଙ୍କ ଉପରେ ଏକ ସର୍ଟ ଫିଲ୍ମ (କ୍ଷୁଦ୍ର ଚଳଚ୍ଚିତ୍ର) ନିର୍ମାଣ କରିଥିଲେ, ଯେଉଁଥିରେ ସେ ରାହୁଲଙ୍କୁ ଜଣେ ଅଭିଯୁକ୍ତ ଭାବରେ ଦର୍ଶାଇଥିଲେ । ଏହି ସର୍ଟ ଫିଲ୍ମଟି ବିବାଦୀୟ ହୋଇପଡ଼ିଥିଲା, ଯାହା ପରେ ରାହୁଲ ଅକ୍ଟୋବର ୨୦୧୬ରେ କାମ୍ୟା ପଞ୍ଜାବୀଙ୍କ ବିରୋଧରେ ୧ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଥିଲେ ।
ଆଜି ବି ଅମୀମାଂସିତ କେସ୍
ଆଜି ରାହୁଲ ରାଜ ସିଂ ନିଜ ପୂର୍ବ ପ୍ରେମିକା ସଲୋନୀଙ୍କୁ ବିବାହ କରି ଏକ ସନ୍ତାନର ପିତା ହୋଇସାରିଛନ୍ତି । ରାହୁଲଙ୍କ ଅନୁସାରେ ସେ ଆଜି ବି ପ୍ରତ୍ୟୁଷାଙ୍କୁ ଭଲ ପାଉଛନ୍ତି । ହେଲେ କୋର୍ଟ ଆଜି ପର୍ଯ୍ୟନ୍ତ ରାହୁଲଙ୍କୁ ଏହି କେସ୍ରୁ କ୍ଲିନ୍ ଚିଟ୍ ଦେଇନାହାନ୍ତି । ୯ ବର୍ଷ ପରେ ମଧ୍ୟ ପ୍ରତ୍ୟୁଷାଙ୍କ ପିତାମାତା ନ୍ୟାୟ ଅପେକ୍ଷାରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ମାମଲା କୋର୍ଟରେ ଚାଲିଛି ଏବଂ ବିଚାରଧୀନ ରହିଛି ।



