ମହାସମର
ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ବଢୁଥିବା ସଂଘର୍ଷ କେବଳ ଦୁଇଟି ଦେଶର ଲଢ଼େଇ ନୁହେଁ ବରଂ ଏହା ସମଗ୍ର ବିଶ୍ୱକୁ ଏକ ମହାସମର ଆଡ଼କୁ ଟାଣି ନେଉଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତିଶୋଧ ଏବଂ ଶକ୍ତି ପ୍ରଦର୍ଶନର ଏହି ଖେଳ ମଧ୍ୟପ୍ରାଚ୍ୟରକୁ ଅଶାନ୍ତ କରିଛି, ଯାହାର ପ୍ରଭାବ ସାରା ବିଶ୍ବ ଉପରେ ପଡୁଥିବା ଦେଖିବାକୁ ମିଳୁଛି ।
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଜାରି ରହିଛି । ପ୍ରତିଦିନ ସ୍ଥିତି ଗମ୍ଭୀର ହେବାସହ ଅନେକ ଧନଜନ ହାନି ଘଟିବାରେ ଲାଗିଛି । ଏହି ଯୁଦ୍ଧରେ ଇରାନର ସର୍ବୋଚ୍ଚ ନେତା ଅୟାତୋଲାହ ଅଲି ଖାମେନେଇଙ୍କ ସମେତ ଅନେକ ନେତା ପ୍ରାଣ ହରାଇଛନ୍ତି । ଏହାର ଜବାବରେ ଇରାନ ପକ୍ଷରୁ ଇସ୍ରାଏଲ ଏବଂ ଗଲ୍ଫ ଅଞ୍ଚଳରେ ଥିବା ଆମେରିକାର ସହଯୋଗୀ ଦେଶଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ ଆରମ୍ଭ କରାଯାଇଛି । ଏହି ଆକ୍ରମଣ ଏବେ ସାମରିକ ଘାଟି ବ୍ୟତୀତ ସାଧାରଣ ନାଗରିକ ସ୍ଥଳ ଏବଂ ଶକ୍ତି କେନ୍ଦ୍ରଗୁଡ଼ିକ ପର୍ଯ୍ୟନ୍ତ ବ୍ୟାପିଗଲାଣି । ଗତ କିଛି ଦିନ ମଧ୍ୟରେ ସାଇପ୍ରସ ଏବଂ ଲେବାନନ୍ ମଧ୍ୟ ଏହି ଯୁଦ୍ଧ ପରିସରଭୁକ୍ତ ହୋଇଥିବା ବେଳେ ଉଭୟ ପକ୍ଷରେ ବ୍ୟାପକ ଧନଜୀବନ ହାନି ହେବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଇରାନର ମିସାଇଲ ଭିତ୍ତିଭୂମି ଏବଂ ତେହେରାନ ସ୍ଥିତ ନେତୃତ୍ୱକୁ ଟାର୍ଗେଟ କରି ପ୍ରବଳ ବୋମାମାଡ଼ କରିଥିଲେ, ଯେଉଁଥିରେ ୧୯୮୯ରୁ ଶାସନ କରୁଥିବା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା । ଇରାନ ରେଡ୍ କ୍ରେସେଣ୍ଟ ଏବଂ ମାନବାଧିକାର ସଂଗଠନଗୁଡ଼ିକର ସୂଚନା ଅନୁସାରେ, ଏହି ଆକ୍ରମଣରେ ଏବେ ସୁଦ୍ଧା ୧,୦୦୦ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରେ ୧୮୧ରୁ ଅଧିକ ଶିଶୁ ଅଛନ୍ତି । ଏହି ସମୟରେ ଇରାନର ଇଣ୍ଟରନେଟ୍ ସେବା ଏବଂ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।



