ପକ୍ଷୀ ଜଗତ
ହିମାଳୟରେ କେବଳ ଯେ ବଡଧରଣର ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳନ୍ତି ତାହା ନୁହେଁ, ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳନ୍ତି । ଏହି ପକ୍ଷୀମାନଙ୍କ ଭିତରେ ଏଭଳି କେତେକ ପ୍ରଜାତି ମଧ୍ୟ ଅଛନ୍ତି ଯେଉଁମାନେ ପୃଥିବାରେ ବିରଳ । ଏହି ଜୈବ ବିବିଧତା ସମ୍ପନ୍ନ କ୍ଷେତ୍ର ବା ହଟ୍ସ୍ପଟରେ ପାଖାପାଖି ୯୮୦ ପ୍ରକାରର ପକ୍ଷୀ ଚିହ୍ନଟ କରାଯାଇଛି । କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧୫ଟି ପ୍ରଜାତି ଏହି ଅଞ୍ଚଳର ସ୍ଥାନୀୟ ଅଟନ୍ତି । ଏହି ଅଞ୍ଚଳର ପ୍ରମୁଖ ତଥା ପରିଚିତ ପକ୍ଷୀମାନଙ୍କ ମଧ୍ୟରେ ରହିଛନ୍ତି ଯଥା ଧଳା ପକ୍ଷୀଥିବା ବତକ, ଧଳା ପେଟ ଥିବା ବଗ, ବେଙ୍ଗଲ ଫ୍ଲୋରିକାନ୍ ଆଦି ଅଛନ୍ତି । ଏହି ପ୍ରଜାତି ଗୁଡିକ ବିରଳ ସହିତ ବିଲୁପ୍ତ ବର୍ଗରେ ମଧ୍ୟ ଅନ୍ତଭୂର୍କ୍ତ । ଏମାନଙ୍କ ବଂଶ ଖୁବଶୀଘ୍ର ଲୋପ ପାଇଯିବା ନେଇ ଅନେକ ସମୟରେ ସୂଚନା ମିଳିଥାଏ । ହିମାଳୟ ଅନେକ ପ୍ରବାସୀ ପକ୍ଷୀଙ୍କ ପାଇଁ ଏକ ପ୍ରମୁଖ ଆଶ୍ରୟସ୍ଥଳ ପାଲଟିଥାଏ । ସେହିଭଳି ଏଠାରେ ବାସ କରୁଥିବା ଏହି ବିରଳ ପକ୍ଷୀଙ୍କୁ ସଂରକ୍ଷିତ କରାଯିବାନେଇ ଅନେକ ସମୟରେ ଦାବି ହୋଇଥାଏ । ହିମାଳୟ ପାର୍ବତ୍ୟ ଅଞ୍ଚଳ ହେଉଛି ପକ୍ଷୀମାନଙ୍କର ଏକ ସ୍ୱର୍ଗରାଜ୍ୟ, ଯେଉଁଠାରେ ସମୁଦାୟ ଭାରତୀୟ ପକ୍ଷୀ ପ୍ରଜାତିର ପ୍ରାୟ ୮୦ ପ୍ରତିଶତ ଦେଖାଯାନ୍ତି ।

ଏହି ଅଞ୍ଚଳର ପକ୍ଷୀ ଜଗତ ଅତ୍ୟନ୍ତ ବୈଚିତ୍ର୍ୟମୟ, କାରଣ ଉଚ୍ଚତା ଅନୁସାରେ ଏଠାରେ ଜଳବାୟୁ ଓ ଉଦ୍ଭିଦ ପରିବର୍ତ୍ତନ ହୋଇଥାଏ, ଯାହା ବିଭିନ୍ନ ପ୍ରକାରର ପକ୍ଷୀଙ୍କ ପାଇଁ ଭିନ୍ନ ଭିନ୍ନ ଆବାସସ୍ଥଳୀ ଯୋଗାଇଥାଏ । ନିମ୍ନ ଭାଗରେ ଥିବା ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟରୁ ଆରମ୍ଭ କରି ଉଚ୍ଚ ଭାଗରେ ଥିବା ଆଲ୍ପାଇନ୍ ତୃଣଭୂମି ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସ୍ୱତନ୍ତ୍ର ପକ୍ଷୀ ଦେଖିବାକୁ ମିଳନ୍ତି । ଏହି ଅଞ୍ଚଳରେ ଦେଖାଯାଉଥିବା ସବୁଠାରୁ ଆକର୍ଷଣୀୟ ପକ୍ଷୀମାନଙ୍କ ମଧ୍ୟରେ 'ହିମାଳୟନ ମୋନାଲ୍' ଅନ୍ୟତମ, ଯାହାର ନଅଟି ରଙ୍ଗ ବିଶିଷ୍ଟ ପର ଏବଂ ଉଜ୍ଜ୍ୱଳ ଶରୀର ଯେକୌଣସି ବ୍ୟକ୍ତିଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଏହା ବ୍ୟତୀତ 'ୱେଷ୍ଟର୍ଣ୍ଣ ଟ୍ରାଗୋପାନ୍' ପରି ବିରଳ ପ୍ରଜାତି ମଧ୍ୟ ଏଠାରେ ବାସ କରନ୍ତି, ଯାହାଙ୍କୁ ସଂରକ୍ଷଣ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଏ । ହିମାଳୟର ଆକାଶରେ ଉଡୁଥିବା ଶିକାରୀ ପକ୍ଷୀ ବା 'ରାପ୍ଟର୍ସ' ମାନଙ୍କ ମଧ୍ୟରେ 'ବିଅର୍ଡେଡ୍ ଭଲ୍ଚର୍' ବା ଲାମର୍ଗେୟର ଏବଂ 'ଗୋଲ୍ଡେନ୍ ଇଗଲ୍' ପ୍ରମୁଖ । ଏହି ପକ୍ଷୀମାନେ ଅତି ଉଚ୍ଚତାରେ ଏବଂ ପ୍ରବଳ ପବନରେ ମଧ୍ୟ ସହଜରେ ଉଡ଼ିପାରନ୍ତି । ବିଶେଷ କରି ଲାମର୍ଗେୟର ଏହାର ଅଦ୍ଭୁତ ଖାଦ୍ୟ ଶୈଳୀ ପାଇଁ ଜଣାଶୁଣା, କାରଣ ଏହା ମୁଖ୍ୟତଃ ପଶୁମାନଙ୍କର ହାଡ଼ ଖାଇ ବଞ୍ଚିଥାଏ । ସେହିପରି ହିମାଳୟର ଜଳପ୍ରପାତ ଓ ପାର୍ବତ୍ୟ ନଦୀଗୁଡ଼ିକ କୂଳରେ 'ହ୍ୱାଇଟ୍-କ୍ୟାପଡ୍ ୱାଟର ରେଡଷ୍ଟାର୍ଟ' ଏବଂ 'ପ୍ଲମ୍ବିୟସ୍ ୱାଟର ରେଡଷ୍ଟାର୍ଟ' ପରି ପକ୍ଷୀମାନେ ପ୍ରାୟତଃ ଦେଖାଯାନ୍ତି, ଯେଉଁମାନେ ପଥର ଉପରେ ବସି ନିଜର ଲାଞ୍ଜ ହଲାଇବାର ଦୃଶ୍ୟ ବେଶ୍ ମନୋରମ ହୋଇଥାଏ । ଶୀତଦିନେ ଯେତେବେଳେ ଉପର ପାହାଡ଼ଗୁଡ଼ିକ ବରଫାବୃତ ହୋଇଯାଏ, ଅନେକ ପକ୍ଷୀ ଖାଦ୍ୟ ଓ ଆଶ୍ରୟ ପାଇଁ ପାହାଡ଼ର ନିମ୍ନ ଅଞ୍ଚଳକୁ ଖସି ଆସନ୍ତି ।

ଏହି ସମୟରେ 'ଗ୍ରେଟ୍ ବାର୍ବେଟ୍' ର ଗଭୀର ଶବ୍ଦ ଜଙ୍ଗଲରେ ପ୍ରତିଧ୍ୱନିତ ହୁଏ । ପୁଣି ବସନ୍ତ ଋତୁ ଆସିଲେ ଏଠାକୁ ଅନେକ ପ୍ରବାସୀ ପକ୍ଷୀଙ୍କର ଆଗମନ ହୁଏ, ଯେଉଁଥିରେ 'ବ୍ଲାକ୍-ନେକ୍ କ୍ରେନ୍' ଅନ୍ୟତମ। ଏହି କ୍ରେନ୍ ବା ସାରସ ପକ୍ଷୀମାନେ ଲଦାଖ ଓ ଅରୁଣାଚଳ ପ୍ରଦେଶର ଉଚ୍ଚ ଅବସ୍ଥିତ ହ୍ରଦଗୁଡ଼ିକ ନିକଟରେ ପ୍ରଜନନ କରିଥାନ୍ତି ଏବଂ ସେଠାକାର ସ୍ଥାନୀୟ ସଂସ୍କୃତିରେ ଏମାନଙ୍କୁ ପବିତ୍ର ବୋଲି ମନାଯାଏ । ତେବେ ଜଳବାୟୁ ପରିବର୍ତ୍ତନ ଏବଂ ପର୍ଯ୍ୟଟନର ବୃଦ୍ଧି ଯୋଗୁଁ ଏହି ଅନନ୍ୟ ପକ୍ଷୀମାନଙ୍କର ଆବାସସ୍ଥଳୀ ବିପଦରେ ପଡ଼ିଛି, ଯାହା ପରିବେଶବିତ୍ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।
Related Posts



