ଫେରିଲେ ବିଲୁପ୍ତ କଇଁଛ

ଫେରିଲେ ବିଲୁପ୍ତ କଇଁଛ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବୁଢ଼ୀ ଅସୁରୁଣୀ ଓ ସାତ ଭାଇ

ପ୍ରାୟ ୧୫୦ ବର୍ଷ ପରେ ଗାଲାପାଗୋସ୍ ଦ୍ୱୀପପୁଞ୍ଜର ଫ୍ଲୋରିଆନା ଦ୍ୱୀପକୁ ବିଶାଳକାୟ କଇଁଛମାନଙ୍କର ପ୍ରତ୍ୟାବର୍ତ୍ତନ ଘଟିଛି । ତେବେ ଏହି ପ୍ରକ୍ରିୟାରେ ନାସାର ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତ ଫେବୃଆରୀ ୨୦ ତାରିଖରେ ଗାଲାପାଗୋସ୍ ନ୍ୟାସନାଲ୍ ପାର୍କ ନିର୍ଦ୍ଦେଶାଳୟ ଏବଂ ଏହାର ସହଯୋଗୀ ସଂସ୍ଥାଗୁଡ଼ିକ ମିଶି ୧୫୮ଟି ବିଶାଳ କଇଁଛଙ୍କୁ ଏହି ଦ୍ୱୀପରେ ଛାଡ଼ିଛନ୍ତି । ଏହି କଇଁଛ ଗୁଡିକ ୧୮୦୦ ମସିହାର ମଧ୍ୟଭାଗରେ ଅତ୍ୟଧିକ ଶିକାର ଏବଂ ବାହ୍ୟ ପରିବେଶରୁ ଆସିଥିବା ହିଂସ୍ର ପ୍ରାଣୀଙ୍କ ଯୋଗୁଁ ଏଠାରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲେ। ଏହି କଇଁଛମାନେ ଦ୍ୱୀପର ପରିବେଶ ସନ୍ତୁଳନ ରକ୍ଷା କରିବା ସହ ବନସ୍ପତିର ବିସ୍ତାରରେ ସାହାଯ୍ୟ କରିଥାଆନ୍ତି । ତେଣୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱୀପର ପୁନରୁଦ୍ଧାର ପାଇଁ ଏକ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି। ବୈଜ୍ଞାନିକମାନେ ନାସାର ଲ୍ୟାଣ୍ଡସାଟ୍, ଗ୍ଲୋବାଲ୍ ପ୍ରେସିପିଟେସନ୍ ମେଜରମେଣ୍ଟ ଏବଂ ଟେରା ସାଟେଲାଇଟ୍ର ଡାଟା ବ୍ୟବହାର କରି କଇଁଛଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ, ବର୍ଷା, ତାପମାତ୍ରା ଏବଂ ଭୂଭାଗ ଚିହ୍ନଟ କରିଛନ୍ତି, ଯାହା ଆଗାମୀ ୪୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ  ସୁରକ୍ଷା  ପ୍ରଦାନ କରିବ। ସୂଚନା ଅନୁସାରେ ୨୦୦୦ ମସିହାରେ ଇସାବେଲା ଦ୍ୱୀପର ୱୁଲ୍ଫ୍ ଆଗ୍ନେୟଗିରି ପାଖରେ ମିଳିଥିବା କିଛି କଇଁଛଙ୍କ ଡିଏନଏ ଫ୍ଲୋରିଆନାର ବିଲୁପ୍ତ ପ୍ରଜାତି ସହ ମେଳ ଖାଇବା ପରେ ଏକ ସ୍ୱତନ୍ତ୍ର ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଗତ ୬୦ ବର୍ଷ ମଧ୍ୟରେ ଗାଲାପାଗୋସ୍ ନ୍ୟାସନାଲ୍ ପାର୍କ ସମଗ୍ର ଦ୍ୱୀପପୁଞ୍ଜରେ ପ୍ରାୟ ୧୦,୦୦୦ରୁ ଅଧିକ କଇଁଛ ଛାଡ଼ି ସାରିଥିବା ବେଳେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ରିୱାଇଲ୍ଡିଂବା ବନ୍ୟପ୍ରାଣୀ ପୁନରୁଦ୍ଧାର ଅଭିଯାନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର କୁନି ବୟସରେ ପକ୍ଷୀ ଅଭିଭାବକ

Tags: