ଟି-୨୦ ବିଶ୍ବକପ୍: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍ରେ ନ୍ୟୁଜିଲାଣ୍ଡ
କୋଲକାତା: ଟି୨୦ ବିଶ୍ବକପ୍-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ୱିକେଟ୍ରେ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିଛି। ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ଆସନ୍ତା ୮ ତାରିଖରେ ଅହମଦାବାଦରେ ନ୍ୟୁଜିଲାଣ୍ଡ ସହିତ ଫାଇନାଲ ମ୍ୟାଚ୍ ଖେଳିବ।
ଇଡେନ୍ ଗାର୍ଡେନ୍ରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାର୍କୋ ୟାନସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା। ଇନିଂସ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଘଟିଥିଲା। ସ୍କୋର ୧୨ ରନ୍ରେ ଦଳ ଆଗଧାଡ଼ିର ୨ଟି ବହୁମୂଲ୍ୟ ୱିକେଟ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟର କ୍ବିଣ୍ଟନ ଡି’ କକ୍ ମାତ୍ର ୧୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ରିୟାନ ରିକେଲଟନ୍ ଗୋଟିଏ ବଲ୍ ସାମ୍ନା କରିଥିଲେ ଏବଂ ସେ ଏଥିରୁ ଖାତା ଖୋଲିପାରି ନଥିଲେ। ଐଦେନ ମାର୍କରାମଙ୍କ ବ୍ୟାଟରୁ ୧୮ ରନ୍ ଅମଳ ହୋଇଥିଲା। ସେ ୨୦ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଡିୱାଲ୍ଡ ବ୍ରେଭିସ୍ ୨୭ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୪ ରନ୍ ସଂଗ୍ରହ କରିଥିଲେ। ଡେଭିଡ ମିଲର ମଧ୍ୟ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ସେ ୬ଟି ବଲ୍ ଖେଳି ୬ ରନ୍ ସଂଗ୍ରହ କରିଥିଲେ। ନିମ୍ନକ୍ରମର ଖେଳାଳି ତ୍ରିସ୍ତନ ଷ୍ଟବ୍ସ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ୨୯ ରନ୍ ସଂଗ୍ରହ କରିଥିଲେ। ସେ ୨୪ଟି ବଲ୍ରୁ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଟିମ୍ ସେଫର୍ଟ ଓ ଫିନ୍ ଆଲେନ୍ ପ୍ରଥମ ୱିକେଟ ପାଇଁ ୫୫ଟି ବଲ୍ରୁ ୧୧୭ ରନ୍ର ଭାଗିଦାରୀ କରିପାରିଥିଲେ। ସେଫର୍ଟ ୩୩ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୭ଟି ଚୌକା ଓ ୨ଟି ଛକା ବଳରେ ୫୮ ରନ୍ ସଂଗ୍ରହ କରିଥିଲେ। ସେହିପରି ଫିନ୍ ଆଲେନ୍ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ୩୩ଟି ବଲ୍ ଖେଳି ୧୦ଟି ଚୌକା ଓ ୮ଟି ଛକା ବଳରେ ଅପରାଜିତ ୧୦୦ ରନ୍ ସଂଗ୍ରହ କରିଥିଲେ। ରଚିନ ରବିନ୍ଦ୍ର ଅପରାଜିତ ୧୩ ରନ୍ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ୧୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତିଯାଇଥିଲା।



