ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି  ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି । ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି । ଆଜି ବିଜେପି ପାର୍ଟି ଅଫିସରୁ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଉଭୟେ ବାହାରିଥିଲେ । ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ ଲୋଡ଼ିଥିଲେ ଦୁଇ ନେତା  ।

ସେପଟେ ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା ନାମାଙ୍କନ ଭରିଛନ୍ତି। ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି । ଚତୁର୍ଥ ଆସନ ପାଇଁ ବି ଦୁଇ ଜଣ ନାମାଙ୍କନ ଦାଖଲ କରିସାରିଛନ୍ତି । ତେବେ ୪ର୍ଥ ଆସନକୁ ନେଇ ରୋଚକ ମୋଡ଼ରେ ରହିବ ସ୍ଥିତି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨ଟି ସିଟରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାର ଆଉ ଗୋଟିଏ ସିଟରେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହେବା ସୁନିଶ୍ଚିତ । ତେବେ ଚତୁର୍ଥ ଆସନକୁ ନେଇ ଛକ୍କା ପଞ୍ଝା ଲାଗିପାରେ , ଏହା ଉପରେ ରହିଛି ନଜର । ବିଜେଡିର କମନ ପ୍ରାର୍ଥୀ ଫର୍ମୁଲା କେତେ ସଫଳ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ । ଦତ୍ତେଶ୍ବରଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି କହିଛି । ହେଲେ ଉଭୟ ଦଳରୁ ଅସନ୍ତୁଷ୍ଟଙ୍କ ସଂଖ୍ୟା ବି କିଛି କମ ନାହିଁ । ଏନେଇ କଂଗ୍ରେସକୁ କ୍ରସ ଭୋଟିଂ ଭୟ ଘାରିଛି । ଏପରି ସ୍ଥଳେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ବାଜି ମାରି ନେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍ ।

Tags: