ସୋସିଆଲ ଫିଟନେସ

ସୋସିଆଲ ଫିଟନେସ
Ipsita Picture
By: Ipsita

ସାଧାରଣତଃ ଆମେ ଜାଣିଛେ ଜୀବନରେ ଆମର ଦୁଇଟି ଫିଟନେସର ଆବଶ୍ୟକତା ରହିଛି, ଫିଜିକାଲ ଫିଟନେସ ଓ ମେଣ୍ଟାଲ ଫିଟନେସ, ଅର୍ଥାତ ଶାରିରୀକ ସୁସ୍ଥତା ଓ ମାନସିକ ସୁସ୍ଥତା । ହେଲେ ବର୍ତ୍ତମାନ ଆଉ ଏକ ନୂଆ ଫିଟନେସ ଲୋକଙ୍କ ଭିତରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଶେଷକରି ବୟସ୍କଙ୍କ ଭିତରେ ଏହି ଟ୍ରେଣ୍ଡ ଖୁବ ଅଧିକ ଚର୍ଚ୍ଚାରେ ରହିଛି । ସେମାନେ ବର୍ତ୍ତମାନ ବ୍ୟୟାମ କରି ଝାଳ ବୁହାଇବା ଅପେକ୍ଷା ନିଜର ସୋସିଆଲ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସୋସିଆଲ ଫିଟନେସର ଅର୍ଥ ହେଉଛି ଆପଣଙ୍କ ସମ୍ପର୍କର ଦୃଢ଼ତା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ହେବାର ଦକ୍ଷତା। ଏଥିପାଇଁ  ସ୍ଥାନେସ୍ଥାନେ 'ସୋସିଆଲ ଫିଟନେସ ଷ୍ଟୁଡିଓ'ର ନିର୍ମାଣ ହୋଇଛି । ଏହି ସ୍ଥାନରେ, ଯେଉଁଠାରେ ଶରୀରର ମାଂସପେଶୀ ପରିବର୍ତ୍ତେ 'ସାମାଜିକ ଦକ୍ଷତା' ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବା ଉପରେ କାମ କରାଯାଏ । ସୋସିଆଲ ଫିଟନେସ ଷ୍ଟୁଡିଓ ହେଉଛି ଏକ ଅଭିନବ କେନ୍ଦ୍ର ଯେଉଁଠାରେ ବ୍ୟକ୍ତିର ସାମାଜିକ ଦକ୍ଷତା ଏବଂ ପାରସ୍ପରିକ ସମ୍ପର୍କର ଗୁଣବତ୍ତା ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଇଥାଏ । ଆଧୁନିକ ଯୁଗରେ ମଣିଷ ଡିଜିଟାଲ୍ ଦୁନିଆରେ ଅଧିକ ବ୍ୟସ୍ତ ରହି ନିଜକୁ ଏକାକୀ ମନେ କରୁଥିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଏପରିକି ଏହି କାରଣରୁ ଅନେକ ମାନସିକ ରୋଗରେ ମଧ୍ୟ ପୀଡିତ ହେଉଥିବାର ନଜିର ରହିଛି । ହେଲେ ଏହି ଷ୍ଟୁଡିଓଗୁଡ଼ିକ ଲୋକଙ୍କୁ ମୋବାଇଲ୍ ସ୍କ୍ରିନ୍ରୁ ବାହାର କରି ବାସ୍ତବ ଦୁନିଆର ମଣିଷଙ୍କ ସହ ମିଶିବାର ସୁଯୋଗ ଦେଇଥାଏ । ଏଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହ କିପରି ଅର୍ଥପୂର୍ଣ୍ଣ କଥାବାର୍ତ୍ତା କରିବେ, ଜଣେ ଭଲ ଶ୍ରୋତା କିପରି ହେବେ ଏବଂ ନିଜର ଭାବନାକୁ ସଠିକ୍ ଭାବେ କିପରି ପ୍ରକାଶ କରିବେ, ସେଥିପାଇଁ ବିଭିନ୍ନ ଗ୍ରୁପ୍ ଆକ୍ଟିଭିଟି ଓ ରୋଲ୍-ପ୍ଲେ ମାଧ୍ୟମରେ ଅଭ୍ୟାସ କରାଯାଏ । ଏହି ଷ୍ଟୁଡିଓର ମୂଳ ଲକ୍ଷ୍ୟ ହେଉଛି ମଣିଷର 'ସୋସିଆଲ ମସଲ୍' ବା ସାମାଜିକ ମାଂସପେଶୀକୁ ମଜବୁତ କରିବା, ଯାହାଦ୍ୱାରା ସେ ସମାଜରେ ନିଜକୁ ଅସହାୟ ବା ପଛୁଆ ମନେ ନକରି ସହଜରେ ସମସ୍ତଙ୍କ ସହ ମିଶିପାରିବ । ବିଶେଷଜ୍ଞଙ୍କ ମତରେ, ଉତ୍ତମ ସାମାଜିକ ସମ୍ପର୍କ କେବଳ ମନକୁ ଖୁସି ରଖେ ନାହିଁ, ବରଂ ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃଦରୋଗର ଆଶଙ୍କା କମାଇଥାଏ ଏବଂ ଆୟୁଷ ବୃଦ୍ଧି କରିବାରେ ସାହାଯ୍ୟ କରେ । ତେଣୁ, ଏହି ଷ୍ଟୁଡିଓଗୁଡ଼ିକ କେବଳ ଏକ କ୍ଲବ୍ ନୁହେଁ, ବରଂ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏକ ଅନନ୍ୟ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ସାମାଜିକ ଭୟକୁ ଦୂର କରି ଏକ ସୁଖମୟ ଜୀବନ ଗଢ଼ିବାର କୌଶଳ ଶିଖିପାରନ୍ତି । ବିଶେଷଜ୍ଞଙ୍କ ମତରେ, ସୋସିଆଲ ଫିଟନେସ କେବଳ 'ମଜା-ମସ୍ତି' ନୁହେଁ ବରଂ ଦୀର୍ଘାୟୁ ହେବାର ଏକ ଉତ୍ତମ ଉପାୟ । ହାଭାର୍ଡର ୮୫ ବର୍ଷର ଏକ ଦୀର୍ଘକାଳୀନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମଣିଷର ଖୁସି ଏବଂ ଦୀର୍ଘ ଜୀବନର ସବୁଠାରୁ ବଡ଼ ରହସ୍ୟ ଟଙ୍କା କିମ୍ବା ସଫଳତା ନୁହେଁ, ବରଂ ତାଙ୍କର ସମ୍ପର୍କର ନିବିଡ଼ତା । ଗବେଷଣା କହୁଛି ଯେ, ଯେଉଁମାନେ ସାମାଜିକ ଭାବେ ସକ୍ରିୟ ରହନ୍ତି, ସେମାନେ କେବଳ ଖୁସିରେ ରହନ୍ତି ନାହିଁ, ବରଂ ସେମାନଙ୍କର ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ ।

ସମ୍ବନ୍ଧିତ ଖବର ବଣ୍ଡିଂ ଡ୍ରିଲ୍ 

Tags:

Related Posts

ବଣ୍ଡିଂ ଡ୍ରିଲ୍ 

ବଣ୍ଡିଂ ଡ୍ରିଲ୍ 

ପ୍ରଭାବ

ପ୍ରଭାବ