ନେତା ବାଛୁଛନ୍ତି ନେପାଳ ବାସୀ , ମୈଦାନରେ ଅଛନ୍ତି ୧୨୦ରୁ ଅଧିକ ଦଳ
ନୂଆଦିଲ୍ଲୀ : ଆଜି ନେପାଳରେ ସାଧାରଣ ନିର୍ବାଚନ । ମୋଟ ୨୭୫ଟି ଆସନ ପାଇଁ ଭୋଟ ହେଉଛି । ପ୍ରାୟ ୧ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଚଳିତ ନିର୍ବାଚନରେ ୧୨୦ରୁ ଅଧିକ ଦଳ ମଇଦାନରେ ଅଛନ୍ତି । ଦେଶରେ ଆଜି ଭୋଟ ନିଆଯାଉଥିବା ବେଳେ, ଶାନ୍ତି ଶୃଙ୍ଖଳା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତବର୍ଷ ନେପାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ଜେନ-ଜି ବା ଦେଶର ଯୁବପିଢ଼ି ।
ନେପାଳର ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ, ୧୬୫ଟି ଆସନରେ ସିଧାସଳଖ ଭୋଟିଂ ବା Direct Voting ହେଉଛି । ଏଥିରେ ମୋଟ ୩୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।ପ୍ରାୟ ୧.୮୯ କୋଟି ମତଦାତା ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି । ସେହିପରି ବାକି ୧୧୦ ଆସନରେ ସମାନୁପାତିକ ଭୋଟ୍ ବା Proportionate Voting ମାଧ୍ୟମରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର୍ । ଏହି ୧୧୦ଟି ଆସନରେ ନିର୍ବାଚନୀ ମୈଦନରେ ଅଛନ୍ତି ୩୨୩୫ ଜଣ ପ୍ରାର୍ଥୀ । ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବା କାର୍ଯ୍ୟକ୍ରମ ରହିଛି । ବାଲଟ ବକ୍ସରେ ମତଦାନ ସରିବା ପରେ ତୁରନ୍ତ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।



