ଇରାନର ଷ୍ଟ୍ରଙ୍ଗ ମିସାଇଲ ପ୍ଲାନ୍ ,ଆଇରନ୍ ଡୋମ୍ କୁ ଭେଦ କରିବ କି ବିସ୍ଫୋରକ?
ଯୁଦ୍ଧ ମଞ୍ଚରୁ ଏବେ ଆସୁଛି ଗୋଟିଏ ଭୟଙ୍କର ରଣନୀତିର ଖବର। କୁହାଯାଉଛି ଯେ ଇରାନ ଏବେ ଏମିତି ମିସାଇଲ୍ ବ୍ୟବହାର କରିବାର ଯୋଜନା କରୁଛି, ଯେଉଁଥିରେ ପ୍ରାୟ ୧୦୦୦ କିଲୋଗ୍ରାମ ଅର୍ଥାତ୍ ୧ ଟନ୍ ବିସ୍ଫୋରକ ଲଗାଯିବ। ଏହି ଯୋଜନା କେବଳ ଶକ୍ତି ପ୍ରଦର୍ଶନ ପାଇଁ ନୁହେଁ, ବରଂ ଇସ୍ରାଏଲ ଏବଂ ଆମେରିକାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯଥା ଆଇରନ୍ ଡୋମ୍ ଏବଂ ପେଟି୍ରଅଟ୍ ବାୟୁ ପ୍ରତିରକ୍ଷା ମିସାଇଲ୍ ପ୍ରଣାଳୀକୁ ଚକ୍ମା ଦେବା ପାଇଁ ତିଆରି ହୋଇଥିବା ରଣନୀତି ବୋଲି କୁହାଯାଉଛି। ତେବେ ପ୍ରଶ୍ନ ହେଉଛି—୧ ଟନ୍ ବିସ୍ଫୋରକ ଥିବା ମିସାଇଲ୍ ସତରେ ଏହି ସୁରକ୍ଷା ବଳୟକୁ ଭେଦ କରିପାରିବ କି? ଏବଂ ଏହା ପଛରେ ଇରାନର ସଠିକ୍ ଯୋଜନା କଣ?
ଆଜି ଆମେ ଯୁଦ୍ଧ ମଞ୍ଚରୁ ଆସୁଥିବା ଗୋଟିଏ ଭୟଙ୍କର ଏବଂ ଗଭୀର ସାମରିକ ଯୋଜନାର ବିଶ୍ଳେଷଣ କରିବାକୁ ଯାଉଛୁ। ଏହି ଯୋଜନା ସିଧାସଳଖ ଭାବେ ଆଇରନ୍ର ମିସାଇଲ୍ ରଣନୀତି ସହିତ ଜଡିତ, ଯେଉଁଠାରେ ପ୍ରତ୍ୟେକ ମିସାଇଲ୍ରେ ପ୍ରାୟ ୧୦୦୦ କିଲୋଗ୍ରାମ ଅର୍ଥାତ୍ ୧ ଟନ୍ ବିସ୍ଫୋରକ ବ୍ୟବହାର କରିବା ଯୋଜନା କଥା କୁହାଯାଉଛି। ଏହି ଯୋଜନାକୁ ବୁଝିବା ପାଇଁ ପ୍ରଥମେ ଇରାନର ବିଶେଷ ସେନା ବଳ ଇସ୍ଲାମିକ ବିପ୍ଳବୀ ସୁରକ୍ଷା ବଳର ଜଣେ ବରିଷ୍ଠ କମାଣ୍ଡର ମାଜିଦ ମୁସାଭିଙ୍କ ବୟାନକୁ ଧ୍ୟାନ ଦେବା ଦରକାର। ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ଏପର୍ୟ୍ୟନ୍ତ ଇରାନ ପକ୍ଷରୁ ଶତ୍ରୁ ପକ୍ଷର କେତେକ ସାମରିକ ଠିକଣା ଏବଂ ବିମାନବନ୍ଦର ଉପରେ ସୀମିତ ଆକ୍ରମଣ କରାଯାଇଛି। କିନ୍ତୁ ଆଗାମୀ ଦିନରେ ଏହି ଆକ୍ରମଣର ତୀବ୍ରତା ବଢ଼ାଇବା ଯୋଜନା ରହିଛି। ଏହା ଶୁଣିଲେ ଆପଣଙ୍କୁ ଲାଗିପାରେ ଯେ ଏହା କେବଳ ଇରାନର କ୍ରୋଧର ପ୍ରତିକ୍ରିୟା। କିନ୍ତୁ ପ୍ରକୃତରେ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇସ୍ରାଏଲ ଏବଂ ଆମେରିକାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିବା। ଏହି ସୁରକ୍ଷା ବଳୟରେ ଆଇରନ୍ ଡୋମ୍ ଏବଂ ପେଟି୍ରଅଟ୍ ବାୟୁ ପ୍ରତିରକ୍ଷା ମିସାଇଲ୍ ପ୍ରଣାଳୀ ପରି ଉନ୍ନତ ଡିଫେନ୍ସ ସିଷ୍ଟମ୍ ରହିଛି, ଯାହା ଏପର୍ୟ୍ୟନ୍ତ ଅନେକ ମିସାଇଲ୍କୁ ଆକାଶରେ ଧ୍ୱଂସ କରିଦେଇଛି। ଏବେ ପ୍ରଶ୍ନ ହେଉଛି—୧ ଟନ୍ ବିସ୍ଫୋରକ ଥିବା ମିସାଇଲ୍ କିପରି ଏହି ସୁରକ୍ଷା ବ୍ୟବସ୍ଥାକୁ ଚକ୍ମା ଦେଇପାରିବ? ସରଳ ଭାଷାରେ କହିଲେ, ଏପରି ମିସାଇଲ୍ଗୁଡ଼ିକୁ ବହୁତ ମଜବୁତ ଗଠନରେ ତିଆରି କରାଯାଏ। ଯାହାଫଳରେ ସେମାନେ ଉଚ୍ଚ ଗତିରେ ଯାଇଥିବା ବେଳେ ବାତାବରଣର ଘର୍ଷଣକୁ ସହିପାରନ୍ତି। ଏହି ମଜବୁତ ଗଠନ ଥିବାରୁ ଯଦି ବାୟୁ ପ୍ରତିରକ୍ଷା ରକେଟ୍ ମିସାଇଲ୍କୁ ଆକ୍ରମଣ କରେ, ତଥାପି ବହୁ ସମୟରେ ତାହାର ବିସ୍ଫୋରକ ଅଂଶ ସୁରକ୍ଷିତ ରହିପାରେ। ଫଳରେ ମିସାଇଲ୍ ଟାର୍ଗେଟ୍କୁ ପହଞ୍ଚି ବଡ଼ କ୍ଷତି କରିପାରେ। ଯଦି କୌଣସି ଏୟାର୍ ଡିଫେନ୍ସ ସିଷ୍ଟମ୍ ଏପରି ମିସାଇଲ୍କୁ ନିମ୍ନ ଉଚ୍ଚତାରେ ଧ୍ୱଂସ କରେ, ତେବେ ସେଥିରୁ ହୋଇଥିବା ବିସ୍ଫୋରଣର ଚାପ ଲହରୀ ମଧ୍ୟ ଭୂମିରେ ବଡ଼ କ୍ଷତି କରିପାରେ। ଏହା ସହ ମିସାଇଲ୍ର ଭାରୀ ଧାତୁର ଅଂଶ ମଧ୍ୟ ତଳେ ପଡ଼ି ଜୀବନ ଏବଂ ସମ୍ପତ୍ତିକୁ କ୍ଷତି କରିପାରେ। ଏହି ରଣନୀତିରେ କେବଳ ସାମରିକ ଦିଗ ନୁହେଁ, ଆର୍ଥିକ ହିସାବ ମଧ୍ୟ ରହିଛି। ଇରାନ ଯେଉଁ ମିସାଇଲ୍ ତିଆରି କରୁଛି, ସେଗୁଡ଼ିକର ମୂଲ୍ୟ ତୁଳନାମୂଳକ ଭାବେ କମ୍। ଏକ ଏପରି ମିସାଇଲ୍ ବନାଇବାରେ ପ୍ରାୟ ୧୮ କୋଟି ଖର୍ଚ୍ଚ ହୁଏ। କିନ୍ତୁ ଏହାକୁ ଧ୍ୱଂସ କରିବା ପାଇଁ ଆମେରିକୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅତି କମରେ ଚାରୋଟି ଇଣ୍ଟରସେପ୍ଟର୍ ରକେଟ୍ ଛାଡ଼ିବାକୁ ପଡ଼େ, ଯାହାର ମୋଟ ଖର୍ଚ୍ଚ ପ୍ରାୟ ୩୬୦ କୋଟି ପର୍ୟ୍ୟନ୍ତ ପହଞ୍ଚିଯାଏ। ଅର୍ଥାତ୍ ଇରାନର ଲକ୍ଷ୍ୟ କେବଳ ଆକ୍ରମଣ କରିବା ନୁହେଁ ବରଂ ଶତ୍ରୁ ପକ୍ଷ ଉପରେ ଆର୍ଥିକ ଚାପ ବଢ଼ାଇବା। ଏହା ଏକ ପ୍ରକାର “ଆର୍ଥିକ ଯୁଦ୍ଧ ରଣନୀତି” ବୋଲି କୁହାଯାଇପାରେ। ଏହା ସହିତ ଇରାନ ଆଉ ଗୋଟିଏ ନୂଆ ରଣନୀତି ମଧ୍ୟ ବ୍ୟବହାର କରୁଛି। ବଡ଼ ମିସାଇଲ୍ ଆକ୍ରମଣ ସମୟରେ ସେମାନେ ବହୁ ସଂଖ୍ୟକ ଶାହେଦ ଆକ୍ରମଣକାରୀ ଡ୍ରୋନ୍ ମଧ୍ୟ ପଠାଉଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଶତ୍ରୁର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବ୍ୟସ୍ତ କରିଦେବା, ଯାହାଫଳରେ କମ୍ ସେ କମ୍ ଗୋଟିଏ ମିସାଇଲ୍ ଲକ୍ଷ୍ୟରେ ପହଞ୍ଚିପାରିବ। ଯଦି ୧ ଟନ୍ ବିସ୍ଫୋରକ ଥିବା ଏକ କ୍ରୁଜ୍ ମିସାଇଲ୍ ସିଧାସଳଖ ଲକ୍ଷ୍ୟ ଉପରେ ପଡ଼େ, ତେବେ ପ୍ରାୟ ୪୦ ମିଟର ପରିସରରେ ସମ୍ପୂର୍ଣ୍ଣ ଧ୍ୱଂସ ସୃଷ୍ଟି ହୋଇପାରେ ଏବଂ ୧୨୦ ମିଟର ପର୍ୟ୍ୟନ୍ତ ଆଂଶିକ କ୍ଷତି ହୋଇପାରେ। ଯଦି ଏକ ବାଲିଷ୍ଟିକ୍ ମିସାଇଲ୍ ଏପରି ବିସ୍ଫୋରକ ସହିତ ଆକ୍ରମଣ କରେ, ତେବେ ୬୦ ରୁ ୮୦ ମିଟର ପରିସରରେ ଭୟଙ୍କର କ୍ଷତି ହେବା ସହିତ ମାଟି ଭିତରକୁ ପ୍ରାୟ ୧ ମିଟର ପର୍ୟ୍ୟନ୍ତ କମ୍ପନ ସୃଷ୍ଟି କରିପାରେ। ଏହି ସମୟରେ ଯୁଦ୍ଧ ତୀବ୍ର ହେଉଥିବା ବେଳେ ଭ୍ଲାଦିମିର ପୁଟିନ୍ ମଧ୍ୟ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି। ସେ ମସୁଦ ପେଜେସ୍କିଆନ୍ଙ୍କ ସହ କଥା ହୋଇ ଯୁଦ୍ଧ ଶାନ୍ତ କରିବା ପ୍ରସ୍ତାବ ଦେଇଛନ୍ତି ଏବଂ ଇରାନର ନେତୃତ୍ୱ ପ୍ରତି ସମବେଦନା ମଧ୍ୟ ଜଣାଇଛନ୍ତି। ସେହିପରି, ଏହି ସମଗ୍ର ପରିସ୍ଥିତି କେବଳ ଅସ୍ତ୍ରର ଯୁଦ୍ଧ ନୁହେଁ—ଏହା ରଣନୀତି, ଆର୍ଥିକ ଚାପ ଏବଂ ଆନ୍ତର୍ଜାତୀୟ ରାଜନୀତିର ମିଶ୍ରଣ। ଆଗାମୀ ଦିନରେ ଯୁଦ୍ଧର ଘଟଣାବଳୀ କହିବ ଯେ ଇରାନର ଏହି ୧୦୦୦ କିଲୋଗ୍ରାମ ବିସ୍ଫୋରକ ମିସାଇଲ୍ ରଣନୀତି କେତେ ପର୍ୟ୍ୟନ୍ତ ସଫଳ ହେଉଛି ।



