କରୋନା ଟିକା ଜନିତ ପାର୍ଶ୍ବ ପ୍ରତିକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ   

ଦୋଷ ନପଚାରି କ୍ଷତିପୂରଣ ଦିଆଯିବ

କେନ୍ଦ୍ର ସରକାରଙ୍କୁ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

କରୋନା ଟିକା ଜନିତ ପାର୍ଶ୍ବ ପ୍ରତିକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ   
Samaya Live Desk Picture
Published On

ନୂଆଦିଲ୍ଲୀ: କ‌ରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଏକ ଦୋଷହୀନ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରଭାବିତ ପରିବାରକୁ ଆଶ୍ୱସ୍ତି ମିଳିବ। କୋଭିଡ୍-୧୯ ସମୟରେ ଟିକାକରଣ ଏକ ସୁରକ୍ଷା କବଚ ଥିଲା, କିନ୍ତୁ କିଛି ପରିବାର ପାଇଁ ଏହି ସୁରକ୍ଷା ଏକ ଗଭୀର କ୍ଷତ ଛାଡ଼ିଯାଇଥିଲା। ବହୁ ଦିନ ଧରି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହା ଫଳରେ ମୃତ୍ୟୁ ସମ୍ପର୍କରେ ଆଇନଗତ ମହଲରେ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଯାହା ସିଧାସଳଖ ପ୍ରିୟଜନଙ୍କୁ ହରାଇଥିବା ସାଧାରଣ ନାଗରିକଙ୍କୁ ସହାୟତା ପ୍ରଦାନ କରିବ। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଟିକାକରଣ ଦ୍ୱାରା ହୋଇଥିବା କ୍ଷତି ପାଇଁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଇନଗତ ଲଢ଼େଇ ସେହି ବାପା ମା’ଙ୍କ ସଂଘର୍ଷର କାହାଣୀକୁ ବଖାଣୁଛି ଯେଉଁମାନଙ୍କର ଦୁଇ ଝିଅଙ୍କର କୋଭିଡ୍ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ମୃତ୍ୟୁ ଘଟିଥିଲା। ପିଲାମାନଙ୍କୁ ହରାଇବା ପରେ ବାପା ମା’ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରି ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଦାବି କରିଥିଲେ। ସେମାନଙ୍କ ଆବେଦନର ଏକ ଅତ୍ୟନ୍ତ ମାନବିକ ଦିଗ ଥିଲା । ସେମାନେ ଚାହୁଥିଲେ ଯେ ସରକାର ଏପରି ନିର୍ଦ୍ଦେଶାବଳୀ ବିକଶିତ କରନ୍ତୁ ଯାହା ଭବିଷ୍ୟତରେ ପାର୍ଶ୍ୱ ପ୍ରତିକ୍ରିୟାର ସମୟସୀମା ଚିହ୍ନଟ କରିପାରିବ ଏବଂ ପୀଡିତମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାକୁ ନିଶ୍ଚିତ କରିବ।  ଆଦେଶରେ, ସୁପ୍ରିମକୋର୍ଟ ନୋ-ଫଲ୍ଟ ଆଧାର ବା କାହାର ଦୋଷ ତାହା ନ ପଚାରି କ୍ଷତିପୂରଣ ଦିଆଯିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ନୀତିକୁ ପ୍ରବର୍ତ୍ତନ କରିଛନ୍ତି। ଏହାର ସରଳ ଅର୍ଥ ହେଉଛି କ୍ଷତିପୂରଣ ପ୍ରଦାନ କରିବା ସମୟରେ, କିଏ ଦୋଷୀ ଥିଲା ସେ ବିଷୟରେ କୌଣସି ବିତର୍କ ହେବ ନାହିଁ, ଟିକା ନିର୍ମାତା କି ସରକାର। ପ୍ରଭାବିତ ପରିବାରକୁ କେବଳ ଟିକା ଯୋଗୁଁ କ୍ଷତି ସହିଥିବାରୁ ସେମାନଙ୍କୁ ସହାୟତା ଦିଆଯିବ। କୋର୍ଟ ଏକ ସନ୍ତୁଳନ ବଜାୟ ରଖି ସ୍ପଷ୍ଟ କରିଛନ୍ତି, ଏହି କ୍ଷତିପୂରଣକୁ ସରକାରଙ୍କ ପକ୍ଷରୁ କୌଣସି ବିଫଳତା କିମ୍ବା ଦୋଷ ସ୍ୱୀକାର ଭାବରେ ଦେଖାଯିବା ଉଚିତ ନୁହେଁ।

Tags: