କ୍ୟାନ୍ସର ଚିକିତ୍ସାର ନୂଆ ପଦ୍ଧତି

କ୍ୟାନ୍ସର ଚିକିତ୍ସାର ନୂଆ ପଦ୍ଧତି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

କ୍ୟାନସର ଚିକିତ୍ସା ପାଇଁ ବିଭିନ୍ନପ୍ରକାରର ପନ୍ଥା ସମସ୍ତେ ଆପଣାଇଥାଆନ୍ତି । ଏହି କ୍ରମରେ ୟୁନିଭର୍ସିଟି ଅଫ୍ ୱାଟରଲୁର ଗବେଷକମାନେ କ୍ୟାନ୍ସର ବିରୋଧରେ ଲଢ଼େଇ ପାଇଁ ଏକ ଅଭିନବ ପଦ୍ଧତି ବିକଶିତ କରିଛନ୍ତି। ଯେଉଁଥିରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବ୍ୟାକ୍ଟେରିଆ ବ୍ୟବହାର କରାଯାଇ ଟ୍ୟୁମରକୁ ଭିତର ପଟୁ ଭଲ କରାଯାଇପାରିବ। ସାଧାରଣତଃ କଠିନ ଟ୍ୟୁମରଗୁଡ଼ିକ ଯେତେବେଳେ ଦ୍ରୁତ ଗତିରେ ବଢ଼ନ୍ତି, ସେଠାରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇ ଅମ୍ଳଜାନର ଅଭାବ ଦେଖାଦିଏ। ଯାହାକୁ ଏକ ଅମ୍ଳଜାନ-ମୁକ୍ତ ବା 'ଅକ୍ସିଜେନ୍ ଡେଫିସିଏଣ୍ଟ' ଅଞ୍ଚଳ କୁହାଯାଏ। ଏହି ଦୁର୍ବଳତାର ସୁଯୋଗ ନେବା ପାଇଁ ବୈଜ୍ଞାନିକମାନେ 'କ୍ଲୋଷ୍ଟ୍ରିଡିୟମ୍ ସ୍ପୋରୋଜେନସ୍'  ନାମକ ଏକ ବ୍ୟାକ୍ଟେରିଆ ଉପରେ କାମ କରୁଛନ୍ତି, ଯାହା କେବଳ ଅମ୍ଳଜାନ ନଥିବା ସ୍ଥାନରେ ହିଁ ବଞ୍ଚିପାରେ। ଟ୍ୟୁମରର କେନ୍ଦ୍ର ଭାଗରେ ଅମ୍ଳଜାନ ସ୍ତର ଅତ୍ୟନ୍ତ କମ୍ ଥିବାରୁ ଏହି ବ୍ୟାକ୍ଟେରିଆ ସେଠାରେ ଦ୍ରୁତ ଗତିରେ ବଂଶବୃଦ୍ଧି କରି କର୍କଟ ଟିସୁଗୁଡ଼ିକୁ ନଷ୍ଟ କରିବାକୁ ଆରମ୍ଭ କରନ୍ତି। ପୂର୍ବରୁ ଏହି ପଦ୍ଧତିରେ ଏକ ବଡ଼ ସମସ୍ୟା ଥିଲା ଯେ, ଟ୍ୟୁମରର ବାହାର ପାର୍ଶ୍ୱରେ ସାମାନ୍ୟ ଅମ୍ଳଜାନ ଥିବାରୁ ଏହି ବ୍ୟାକ୍ଟେରିଆ ମରିଯାଉଥିଲେ ଏବଂ ସମ୍ପୂର୍ଣ୍ଣ ଟ୍ୟୁମରକୁ ନଷ୍ଟ କରିପାରୁନଥିଲେ। ଏହି ଚାଲେଞ୍ଜର ମୁକାବିଲା କରିବାକୁ ବୈଜ୍ଞାନିକମାନେ ଏକ ନିର୍ଦ୍ଦିଷ୍ଟ ଜିନ୍ ବ୍ୟବହାର କରି ବ୍ୟାକ୍ଟେରିଆକୁ 'ଅମ୍ଳଜାନ ସହିଷ୍ଣୁ' କରିଛନ୍ତି, ଯାହା ଫଳରେ ସେମାନେ ଟ୍ୟୁମରର ବାହାର ପାର୍ଶ୍ୱରେ ମଧ୍ୟ କିଛି ସମୟ ବଞ୍ଚି ରହି ଚିକିତ୍ସା ଜାରି ରଖିପାରିବେ। ତେବେ ଏହା ସୁରକ୍ଷା ଦୃଷ୍ଟିକୋଣରୁ ଏକ ଚିନ୍ତାର ବିଷୟ ମଧ୍ୟ ସୃଷ୍ଟି କରିଛି, କାରଣ ଯଦି ଏହି ବ୍ୟାକ୍ଟେରିଆ ଶରୀରର ଅନ୍ୟ ଅଂଶ ଯେପରିକି ରକ୍ତ ପ୍ରବାହରେ ସକ୍ରିୟ ହୋଇଯାନ୍ତି, ତେବେ ତାହା ବିପଜ୍ଜନକ ହୋଇପାରେ। ବର୍ତ୍ତମାନ ଗବେଷକମାନେ ଏହି ପ୍ରଯୁକ୍ତିକୁ ଅଧିକ ସୁରକ୍ଷିତ ଏବଂ ପ୍ରଭାବଶାଳୀ କରିବା ପାଇଁ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର ବାୟୋଟିନ

Tags: