୪ ଜିଲ୍ଲାରେ ଖୋଲିବ ଚାଉଳ ATM
୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ
ଭୁବନେଶ୍ୱର : ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM । ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ଚାଉଳ ATM । ୨୦୨୪ରେ ରାଜ୍ୟର ପ୍ରଥମ ଚାଉଳ ATM ଭୁବେନେଶ୍ୱର ମଞ୍ଚେଶ୍ୱରରେ ଖୋଲିଥିଲା । ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଚାଉଳ ଉଠାଇଛନ୍ତି । ମୋଟ୍ ୩ ହଜାର ୮ ଶହ ୫ କୁଇଣ୍ଟାଲ କିଲୋଗ୍ରାମ ଚାଉଳ ଉଠାଣ ହୋଇଛି ବୋଲି କହିଛନ୍ତି ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି।
ATM ରୁ ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ବାହାର କରିପାରିବେ । ପ୍ରଥମ ପର୍ଯ୍ୟାୟରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ATM କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ସମୟରେ ୨୪ଘଣ୍ଟିଆ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ଏହି ବ୍ୟବସ୍ଥାରେ ହିତାଧିକାରୀ ରାଜ୍ୟର ଯେଉଁ ସ୍ଥାନରେ ଥିଲେ ମଧ୍ୟ ନିଜ କାର୍ଡ ମାଧ୍ୟମରେ ଚାଉଳ ଉଠାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।
ସେପଟେ ରାସନ କାର୍ଡଧାରୀଙ୍କୁ ଓଜନ ମାପରେ ଠକିଛନ୍ତି ଡିଲର। ଠକିଥିବା ୭୫ଟି ରାସନ ଡିଲରଙ୍କ ବିରୁଦ୍ଧରେ ଆକ୍ସନ ନେବା ସହ ସରକାର ସେମାନଙ୍କ ଲାଇସେନ୍ସ ବାତିଲ କରିଛନ୍ତି। ଚଳିତ ବର୍ଷ ୩୬୨୪ ତଦନ୍ତ କରାଯାଇ ୭୫ ଟି ରାସନ ଡିଲର ଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଜଣଙ୍କ ବିରୁଦ୍ଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଧାନସଭା ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ଦେଇଛନ୍ତି।



