ଲାନସେଟ ଡାଏଟ
ଲାନ୍ସେଟ୍ ଡାଏଟ୍ ହେଉଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ପ୍ଲାନେଟାରୀ ହେଲ୍ଥ ଡାଏଟ୍’, ଯାହା ମୁଖ୍ୟତଃ ଉଦ୍ଭିଦଜାତ ଖାଦ୍ୟ ଯଥା- ଡାଲି, ଶସ୍ୟ, ଫଳ ଓ ପନିପରିବା ଉପରେ ଆଧାରିତ । ଏଥିରେ ପ୍ରାଣୀଜ ଉତ୍ପାଦର ବ୍ୟବହାର ଅତି ନଗଣ୍ୟ। ୧୭ ଜାନୁଆରୀ ୨୦୧୯ରେ ନରୱେର ଓସଲୋଠାରେ ଆରମ୍ଭ ହୋଇଥିବା ଏହି ଡାଏଟ୍ ମଡେଲ୍ର ମୂଳ ଲକ୍ଷ୍ୟ ହେଉଛି ମଣିଷ ଶରୀରକୁ ସଠିକ୍ ପୋଷଣ ଯୋଗାଇବା ସହ ପରିବେଶକୁ ସୁରକ୍ଷିତ ରଖିବା । କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଡାଏଟ୍ କ୍ରୋନିକ୍ କିଡନୀ ରୋଗର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିଥାଏ, କାରଣ ଏଥିରେ ଥିବା ପ୍ଲାଣ୍ଟ-ବେସଡ୍ ପ୍ରୋଟିନ୍ କିଡନୀ ଉପରେ କମ୍ ଚାପ ପକାଇଥାଏ ଏବଂ ଏହାର ହାଇ-ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରୁ ଟକ୍ସିନ୍ କମାଇ କିଡନୀ ଟିସୁକୁ ସୁରକ୍ଷିତ ରଖିବା ସହ ହୃଦ୍ରୋଗ, ମଧୁମେହ ଓ ମେଦବହୁଳତା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହି ଡାଏଟ୍ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଦୈନିକ ଖାଦ୍ୟ ଥାଳିରେ ଅଧାରୁ ଅଧିକ ଅଂଶ କେବଳ ପନିପରିବା ଏବଂ ଫଳ ରହିବା ଆବଶ୍ୟକ। ଯେଉଁଥିରେ ପ୍ରାୟ ୩୦୦ ଗ୍ରାମ୍ ପନିପରିବା ଏବଂ ୨୦୦ ଗ୍ରାମ୍ ତାଜା ଫଳ ସାମିଲ କରାଯାଇଛି । ପ୍ରୋଟିନ୍ର ମୁଖ୍ୟ ଉତ୍ସ ଭାବେ ୭୫ ଗ୍ରାମ୍ ଡାଲି, ୫୦ ଗ୍ରାମ୍ ବାଦାମ ବା ମଞ୍ଜି ଏବଂ ୨୫ ଗ୍ରାମ୍ ସୋୟା ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଡାଏଟ୍ରେ ପ୍ରାଣୀଜ ଉତ୍ପାଦର ପରିମାଣକୁ ଅତି ସୀମିତ ରଖାଯାଇଛି, ଯେଉଁଥିରେ ଦୈନିକ ମାତ୍ର ୨୫୦ ଗ୍ରାମ୍ ଦୁଗ୍ଧଜାତ ଦ୍ରବ୍ୟ, ୨୯ ଗ୍ରାମ୍ କୁକୁଡ଼ା ମାଂସ, ୨୮ ଗ୍ରାମ୍ ମାଛ, ୧୩ ଗ୍ରାମ୍ ଅଣ୍ଡା ଏବଂ ମାତ୍ର ୭ ଗ୍ରାମ ନାଲି ମାଂସ ଖାଇବାକୁ କୁହାଯାଇଛି । ଏହାସହିତ ସୁସ୍ଥ ରହିବା ପାଇଁ ଦୈନିକ ୫୦ ଗ୍ରାମ୍ ଅସନ୍ତୃପ୍ତ ତେଲ ଏବଂ ଚିନିର ପରିମାଣକୁ ୩୧ ଗ୍ରାମ୍ରୁ କମ୍ ରଖିବା ପାଇଁ ଏହି ଖାଦ୍ୟ ତାଲିକାରେ ନିର୍ଦ୍ଦେଶ ଦିଆଯାଇଛି ।



