ସମ୍ବିଧାନର ସୁରକ୍ଷା : ନାଗରିକଙ୍କ ଦାୟିତ୍ୱ

ସମ୍ବିଧାନର ସୁରକ୍ଷା : ନାଗରିକଙ୍କ ଦାୟିତ୍ୱ
Ipsita Picture
By: Ipsita

ଭାରତୀୟ ସମ୍ବିଧାନ ଆଧୁନିକ ବିଶ୍ୱର ସବୁଠୁ ଦୂରଦୃଷ୍ଟିସମ୍ପନ୍ନ ରାଜନୈତିକ ଦଲିଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା କେବଳ ଶାସନ କିପରି ଚାଲିବ ତାହା ନିର୍ଦ୍ଦେଶ କରେନି, ବରଂ ଏକ ନ୍ୟାୟପୂର୍ଣ୍ଣ, ସମାନତାମୂଳକ, ଲୋକତାନ୍ତ୍ରିକ ଓ ମାନବିକ ସମାଜ ଗଠନର ଆଦର୍ଶକୁ ସ୍ଥାପିତ କରେ । ସମ୍ବିଧାନର ପ୍ରାକ୍‌ କଥନର ଆରମ୍ଭ ଆମେ, ଭାରତର ଜନତା କୌଣସି ସାଧାରଣ ଭାଷା ନୁହେଁ-ଏହା ଅଧିକାର ଓ ଦାୟିତ୍ୱର ଘୋଷଣା । ଏହା ସ୍ପଷ୍ଟ କରେ ଯେ ସମ୍ବିଧାନର ସ୍ୱାମୀ ଓ ସଂରକ୍ଷକ ସରକାର ନୁହେଁ, ନାଗରିକମାନେ । ତେଣୁ ସମ୍ବିଧାନର ଗାରିମାକୁକୁ ବଜାୟ ରଖିବା, ଶକ୍ତିଶାଳୀ କରିବା ଓ ପରମ୍ପରାଗତ ଭାବରେ ପରବର୍ତ୍ତୀ ପିଢିକୁ ଦେଇଯିବା ନାଗରିକଙ୍କର ସବୁଠାରୁ ବଡ ଦାୟିତ୍ୱ । ଭାରତୀୟ ସମ୍ବିଧାନ ନିର୍ଜୀବ ନିୟମାବଳୀ ନୁହେଁ, ବରଂ ଏକ ଜୀବନ୍ତ ଦଲିଲ -ସମାଜ, ସମୟ, ଓ ଗଣତନ୍ତ୍ର ସହିତ ପରିପକ୍ୱ ହେଉଥିବା ନିୟମ ପୁସ୍ତକ । ଏହାର ଶକ୍ତି ତାହାର ଦୈର୍ଘ୍ୟ ଓ ପ୍ରସ୍ଥରେ ନୁହେଁ ଶକ୍ତି ରହିଛି ଲୋକମାନଙ୍କ ଦୈନନ୍ଦିନ ଆଚରଣରେ । ଯେଉଁଠାରେ ସାମ୍ବିଧାନିକ ମୂଲ୍ୟଗୁଡ଼ିକ-ସ୍ୱ୍ୱାଧୀନତା, ସମାନତା, ନ୍ୟାୟ ଓ ଭାତୃତ୍ୱ-ନାଗରିକଙ୍କ ନୀତିଦିନିଆ ଜୀବନର ଅଂଶ ହୋଇଯାଏ, ସେଠାରେ ସମ୍ବିଧାନ ବଞ୍ଚି ରହେ । ତେଣୁ ନାଗରିକତା କେବଳ ଜନ୍ମସିଦ୍ଧ ଅଧିକାର ନୁହେଁ ଏହା ଲୋକତାନ୍ତ୍ରିକ ମୂଲ୍ୟର ଉପଯୋଗ ଓ ନୀତିଶୀଳ ଆଚରଣର ଦାୟିତ୍ୱ । ସମ୍ବିଧାନକୁ ପୋଷଣ କରିବାର ପ୍ରଥମ ରାସ୍ତା ହେଉଛି ଅଧିକାର ସଚେତନତା ଓ ସୁରକ୍ଷା । ଭାରତୀୟ ସମ୍ବିଧାନ ବିଭିନ୍ନ ମୌଳିକ ଅଧିକାର ପ୍ରଦାନ କରିଛି-ବ୍ୟକ୍ତିଗତ ସ୍ୱ୍ୱାଧୀନତା, ଭାଷା ଓ ମତ ପ୍ରକାଶ ଅଧିକାର, ସମାନତା, ଧର୍ମସ୍ୱାଧୀନତା, ଓ ମର୍ଯ୍ୟାଦାର ଅଧିକାର । କିନ୍ତୁ ଯଦି ନାଗରିକମାନେ ଏହି ଅଧିକାରଗୁଡ଼ିକ ଜାଣନ୍ତିନାହିଁ, ବୁଝନ୍ତିନାହିଁ, କିମ୍ବା ଦାବି କରିପାରନ୍ତିନାହିଁ, ତେବେ ସେଗୁଡ଼ିକ ଅର୍ଥହୀନ ହୋଇଯାଏ । ଅଧିକାରର ସୁରକ୍ଷା କେବଳ ନିଜ ପାଇଁ ନୁହେଁ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ନାଗରିକୀୟ ଦାୟିତ୍ୱ । ସଂଖ୍ୟାଲଘୁ, ଆଦିବାସୀ, ଦଳିତ, ନାରୀ, ଅସମର୍ଥ-ଯେ କୌଣସି ଶୋଷିତ ଭାଗୀଦାରଙ୍କ ଅଧିକାର ଉଲ୍ଲଂଘନ ହେଲେ, ସଚେତନ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ସ୍ୱ୍ୱର ଉତ୍ତୋଳନ କରିବା । ଯେଉଁ ଦେଶର ନାଗରିକମାନେ ଅନ୍ୟଙ୍କ ଅଧିକାର ପାଇଁ ଲଢ଼ନ୍ତି, ସେଇ ଦେଶର ସମ୍ବିଧାନ ସବୁଠାରୁ ଶକ୍ତିଶାଳୀ । ଅଧିକାର ସହିତ ଥାଏ ମୌଳିକ କର୍ତ୍ତବ୍ୟ, ଯାହା ନାଗରିକ ଜୀବନର ନୀତିଶୀଳ ଭିତ୍ତି । ଯଦିଓ କର୍ତ୍ତବ୍ୟ ଆଇନସମ୍ମତ ଭାବରେ ଲାଗୁ ହୋଇପାରେନାହିଁ, କିନ୍ତୁ ସେଗୁଡ଼ିକ ଲୋକତାନ୍ତ୍ରିକ ଆଚରଣର ସଂସ୍କୃତି ଗଢ଼େ । ସମ୍ବିଧାନକୁ ସମ୍ମାନ କରିବା, ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା, ବୈଜ୍ଞାନିକ ମନୋଭାବ ଉନ୍ନତ କରିବା, ପରିବେଶ ସୁରକ୍ଷା, ସାର୍ବଜନିନ ସମ୍ପତ୍ତିକୁ ସଂରକ୍ଷଣ କରିବା-ଏସବୁ ନାଗରିକତାକୁ ଅନ୍ତନିର୍ହିତ ଅର୍ଥ ଦେଇଥାଏ । ଯଦି ନାଗରିକମାନେ ଘୃଣା, ବିଭାଜନ ଓ ଅନୀତିକୁ ପ୍ରତ୍ୟାଖ୍ୟାନ କରନ୍ତି, ସହିଷ୍ଣୁତା ଓ ସହଭାଗୀତାକୁ ଗୁରୁତ୍ୱ ଦିଅନ୍ତି , ତେବେ ଲୋକତନ୍ତ୍ର ସୁସ୍ଥ ଭାବେ ଚାଲେ । ଅଧିକାର କେବଳ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷା କରେ କର୍ତ୍ତବ୍ୟ ରାଷ୍ଟ୍ରୀୟ ଏକତା ଓ ସାମାଜିକ ଦାୟିତ୍ୱକୁ ନିଶ୍ଚିତ କରେ । ଲୋକତନ୍ତ୍ରର ସ୍ୱାସ୍ଥ୍ୟ ସବୁଠାରୁ ଅଧିକ ନାଗରିକଙ୍କ ରାଜନୈତିକ ଅଂଶଗ୍ରହଣ ଉପରେ ନିର୍ଭର କରେ । ଭୋଟ ଦେବା ସୁଦୂରପର୍ଯ୍ୟନ୍ତ ବ୍ୟାପକ ଅଧିକାର ହେଲେ ମଧ୍ୟ, ଲୋକତନ୍ତ୍ରର ପ୍ରକୃତ ଆତ୍ମା ନାଗରିକଙ୍କ ସକ୍ରିୟତା, ସମାଜିକ ସହଭାଗୀତା, ଓ ଅବିରତ ସଚେତନତାରେ ରହିଛି । ଭୋଟ ଦେବା କର୍ତ୍ତବ୍ୟର କେବଳ ଗୋଟିଏ ଅଂଶ ସେଠିକି ଭୋଟ ଦେବା ପୂର୍ବରୁ ସଠିକ୍‌ ସୂଚନା ଆଧାରରେ ନିଷ୍ପତ୍ତି ନେବା-ଯାହାକୁ ଅଧିକାର ଓ ସଂଗଠିତ ନାଗରିକତାର ମୂଳ ବୋଲି ଗଣନା କରାଯାଏ -ସେଇଟା ବେଶି ଗୁରୁତ୍ୱପୂର୍ଣ୍ଣ । ପ୍ରାର୍ଥୀ କେତେ ବଡ଼ ନେତା କିମ୍ବା ବିକାଶ ପ୍ରତିଶ୍ରୁତି କେତେ ଆକର୍ଷଣୀୟ-ଏସବୁ ନୁହେଁ ନାଗରିକଙ୍କ ପାଇଁ ପ୍ରଶ୍ନ ହେଉଛି, ସେହି ପ୍ରାର୍ଥୀ ସାମ୍ବିଧାନିକ ମୂଲ୍ୟବୋଧକୁ ମାନନ୍ତି କି? ନିୟମ ମାନନ୍ତି କି? ସାମାନ୍ୟ ଲୋକଙ୍କ ପାଇଁ କାମ କରନ୍ତି କି? ଏବେ ଯୁଗ ସଚେତନ ଭୋଟରର ଯୁଗ । ନାଗରିକମାନଙ୍କ ଅନ୍ୟ ଏକ ପ୍ରମୁଖ ଭୂମିକା ହେଉଛି ସାମ୍ବିଧାନିକ ନୀତିବୋଧ ରକ୍ଷା କରିବା । ଡକଫର ବି.ଆର. ଅମ୍ବେଦକରଙ୍କ ସ୍ପଷ୍ଟ ସତର୍କବାଣୀ ଥିଲା- ସମ୍ବିଧାନ ଯେତେ ଶକ୍ତିଶାଳୀ ହେଉ, ଯଦି ନାଗରିକମାନେ ନୀତି, ନିୟମ, ସହିଷ୍ଣୁତା ଓ ନ୍ୟାୟ ଚର୍ଚ୍ଚା କରିବେନାହିଁ, ତେବେ ଲୋକତନ୍ତ୍ର ଦୀର୍ଘକାଳ ସୁସ୍ଥ ରହିପାରିବ ନାହିଁ । ସାମ୍ବିଧାନିକ ନୀତିବୋଧର ଅର୍ଥ ହେଉଛି ବିଭିନ୍ନ ମତକୁ ସମ୍ମାନ, ଆଇନର ଶାସନକୁ ମାନ୍ୟତା, ପ୍ରତିଷ୍ଠାନମାନଙ୍କ ସ୍ୱାଧୀନତାକୁ ସୁରକ୍ଷା ଏବଂ ସହିଷ୍ଣୁତା ଓ ଭାତୃତ୍ୱକୁ ଜୀବନର ଅଂଶ କରିବା । ଭାରତର ବିଭିନ୍ନତା-ଧର୍ମ, ଭାଷା, ଜାତି, ସଂସ୍କୃତି-ଲୋକତନ୍ତ୍ରକୁ ସୁନ୍ଦର କରେ କିନ୍ତୁ ସେଇ ବିଭିନ୍ନତାକୁ ସନ୍ତୁଳିତ କରିବା ପାଇଁ ସାମ୍ବିଧାନିକ ନୀତିବୋଧ ଅତ୍ୟାବଶ୍ୟକ । ନାଗରିକମାନେ ସମ୍ବିଧାନକୁ ପୋଷଣ କରନ୍ତି ସେତେବେଳେ, ଯେବେ ସେମାନେ ପ୍ରତିଷ୍ଠାନମାନଙ୍କ ସ୍ଥିରତା ଓ ସ୍ୱ୍ୱାଧୀନତା ରକ୍ଷା କରନ୍ତି । ନ୍ୟାୟାଳୟ, ନିର୍ବାଚନ କମିଶନ, ସଂସଦ, ସ୍ଥାନୀୟ ସ୍ୱୟଂଶାସିତ ସଂସ୍ଥା, ଗଣମାଧ୍ୟମ-ଏମାନଙ୍କ ଜରିଆରେ ସମ୍ବିଧାନ କାର୍ଯକାରୀ ହୁଏ । ଏହାମାନେ ତାହାର ଗୁରୁତ୍ୱ ରଖିପାରନ୍ତି, ଯଦି ନାଗରିକମାନେ ଏଥିରେ ଶ୍ରଦ୍ଧା ଓ ଦାୟିତ୍ୱବୋଧ ଦେଖାନ୍ତି । ଯେତେବେଳେ ନାଗରିକମାନେ ଦୁର୍ନୀତିକୁ ପ୍ରତ୍ୟାଖ୍ୟାନ କରନ୍ତି, ଅନୀତିକୁ ଚ୍ୟାଲେଞ୍ଜ କରନ୍ତି, ସୂଚନା ଅଧିକାର ଦାବି କରନ୍ତି, ଏବଂ ସ୍ୱ୍ୱତନ୍ତ୍ର ପ୍ରତିଷ୍ଠାନମାନଙ୍କୁ ସମର୍ଥନ କରନ୍ତି-ସେଠିକି ସମିଧାନ ତାହାର ଶକ୍ତି ପାଏ । ଯଦି ନାଗରିକମାନେ ବ୍ୟକ୍ତିକୁ ପୂଜନ୍ତି କିନ୍ତୁ ପ୍ରତିଷ୍ଠାନକୁ ନୁହେଁ, ତେବେ ସମ୍ବିଧାନ ଦୁର୍ବଳ ହୋଇଯାଏ । ଆଧୁନିକ ଡିଜିଟାଲ୍‌ ଯୁଗ ନାଗରିକଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି ଓ ନୂଆ ସୁଯୋଗ ମଧ୍ୟ ଆଣି ଦେଇଛି । ସୋସିଆଲ୍‌ ମିଡିଆର ଭ୍ରାନ୍ତ ସୂଚନା, ଘୃଣା ଭାଷଣ, ଡିଜିଟାଲ୍‌ ଠକେଇ, ଓ ଆଲଗୋରିଦମିକ ପ୍ରଭାବ-ଏହାମାନେ ସମ୍ବିଧାନୀୟ ମୂଲ୍ୟ ପ୍ରତି ଆହ୍ୱାନ ସୃଷ୍ଟି କରୁଛି । ସେହିପାଇଁ ନାଗରିକମାନେ ଡିଜିଟାଲ୍‌ ସାଚେତନତା, ତଥ୍ୟ ଶୃଙ୍ଖଳାବଧାନ, ଯୁକ୍ତିମୂଳକ ଚିନ୍ତା ଓ ଦାୟିତ୍ୱପୂର୍ଣ୍ଣ ଅନଲାଇନ୍‌ ଆଚରଣ ଅବଳମ୍ବନ କରିବା ଆବଶ୍ୟକ । ଡିଜିଟାଲ୍‌ ନାଗରିକତା ଆଜିର ଦିନରେ ଲୋକତାନ୍ତ୍ରିକ ନାଗରିକତାର ଅଂଶ ।
ସମ୍ବିଧାନକୁ ପୋଷଣ କରିବାର ଆଉ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ସମାଜ ଓ ଗୋଷ୍ଠୀର ସକ୍ରିୟ ସହଭାଗୀତା । ଆଞ୍ଚଳିକ ସମସ୍ୟାର ସମାଧାନ, ଗୋଷ୍ଠୀ ବିକାଶ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱ୍ୱାସ୍ଥ୍ୟ ଓ ସମାନାଧିକାର ଉଦ୍ୟମ-ଏସବୁକୁ ସମ୍ବିଧାନର ନିର୍ଦ୍ଦେଶାତ୍ମକ ନୀତି ସମର୍ଥନ କରେ । କିନ୍ତୁ ସରକାର ଏକାକୀ ଏହାକୁ ସଫଳ କରିପାରିବେ ନାହିଁ । ନାଗରିକମାନଙ୍କ ସଚେତନତା ଓ ସାମୁହିକ ପ୍ରୟାସ ଆବଶ୍ୟକ । ଯେତେବେଳେ ନାଗରିକମାନେ ଜାତି ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରନ୍ତି, ନାରୀ ସୁରକ୍ଷା ଓ ସମାନତାକୁ ସମର୍ଥନ କରନ୍ତି, ସାମ୍ପ୍ରଦାୟିକ ଘୃଣାକୁ ପ୍ରତିହତ କରନ୍ତି, ସେତେବେଳେ ସାମ୍ବିଧାନିକ ମୂଲ୍ୟ ସମାଜରେ ପ୍ରାଣ-ପ୍ରତିଷ୍ଠା ପାଏ । ସମ୍ବିଧାନ କୋର୍ଟରେ ନୁହେଁ ସମାଜରେ ବଞ୍ଚିଥାଏ । ସମୟ ସହିତ ଦେଶର ସମସ୍ୟାମାନେ ମଧ୍ୟ ପରିବର୍ତ୍ତିତ ହେଉଛନ୍ତି-ଜଳବାୟୁ ପରିବର୍ତ୍ତନ, ଡିଜିଟାଲ୍‌ ନିରୀକ୍ଷଣ, ବ୍ୟକ୍ତିଗତ ତଥ୍ୟ ସୁରକ୍ଷା, ନୂତନ ସମାଜିକ-ଆର୍ଥିକ ବିଷମତା, ଓ ପରିବେଶୀୟ ସଙ୍କଟ । ଏହି ଚ୍ୟାଲେଞ୍ଜମାନଙ୍କ ସମାଧାନ ନାଗରିକମାନଙ୍କ ସଚେତନ ଅଂଶଗ୍ରହଣ ଆବଶ୍ୟକ କରେ । ନ୍ୟାୟାଳୟ ଓ ସଂସଦ ସମ୍ବିଧାନକୁ ବଦଳାଇ ପାରନ୍ତି କିନ୍ତୁ ସମ୍ବିଧାନର ଭବିଷ୍ୟତକୁ ଦିଶା ଦେଇଥାଏ ସଚେତନ ଓ ସମ୍ପୃକ୍ତ ଜନମତ । ତେଣୁ ନାଗରିକମାନେ କେବଳ ସମ୍ବିଧାନର ଅନୁଗାମୀ ନୁହେଁ ସେମାନେ ମଧ୍ୟ ସମ୍ବିଧାନର ନିରନ୍ତର ସର୍ଜନାକାର ।
ଭାରତୀୟ ସମ୍ବିଧାନ କେବଳ ଏକ ଆଇନ ନୁହେଁ ଏହା ଏକ ସାମୂହିକ ସଙ୍କଳ୍ପ-ଏକ ନ୍ୟାୟପୂର୍ଣ୍ଣ ଓ ସମାନତାମୂଳକ ସମାଜ ଗଢ଼ିବାର ପ୍ରତିଶ୍ରୁତି । ସମ୍ବିଧାନର ସଫଳତା ସରକାର କେତେ ଭଲ କାମ କରୁଛି ତାହା ଉପରେ ନୁହେଁ ବରଂ ନାଗରିକମାନେ କେତେ ସଚେତନ, ଦାୟିତ୍ୱଶୀଳ ଓ ନୀତିଶୀଳ ତାହା ଉପରେ ନିର୍ଭର କରେ । ନାଗରିକମାନେ ଯେତେବେଳେ ଅଧିକାରକୁ ସୁରକ୍ଷା କରନ୍ତି, କର୍ତ୍ତବ୍ୟ ପାଳନ କରନ୍ତି, ପ୍ରତିଷ୍ଠାନକୁ ସମ୍ମାନ କରନ୍ତି, ଲୋକତାନ୍ତ୍ରିକ ସଂସ୍କୃତିକୁ ମଜବୁତ କରନ୍ତି- ସମ୍ବିଧାନ ସେତେବେଳେ ସଠିକ ଢଙ୍ଗରେ କର୍ଯ୍ୟକାରୀ ହୁଏ । ସମ୍ବିଧାନର ମୂଳମନ୍ତ୍ରକୁ ଆମ ଜୀବନ-ମନ୍ତ୍ର ଭାବେ ଗ୍ରହଣ କଲେ ହିଁ ସମ୍ବିଧାନ ଦିବସ ପାଳନର ମହତ୍ୱ ପ୍ରତିପାଦିତ ହେବ । ନାଗରିକଙ୍କ ଦାୟିତ୍ୱ ସ୍ପଷ୍ଟ-ସଚେତନତା, ସହିଷ୍ଣୁତା ଓ ନୀତିଶୀଳତାର ସହିତ ଭାରତୀୟ ସମ୍ବିିଧାନକୁ ପୋଷଣ କରିବା । ଭାରତର ନାଗରିକମାନେ ଏହି ଦାୟିତ୍ୱ ପାଳନ କଲେ, ସମ୍ବିଧାନ ଭାରତକୁ ନ୍ୟାୟ, ମର୍ଯ୍ୟାଦା, ସ୍ୱ୍ୱାଧୀନତା ଓ ସାମାଜିକ ସମାନତାର ପଥରେ ଅଗ୍ରସର କରାଇବ ।

Read More ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ

ପ୍ରଫେସର ନେତାଜୀ ଅଭିନନ୍ଦନ 
ବିଭାଗୀୟ ମୁଖ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ

Read More ସମ୍ଭାବ୍ୟ ବାତ୍ୟା ନେଇ ବିଭାଗ ପ୍ରସ୍ତୁତ - ରାଜସ୍ବ ମନ୍ତ୍ରୀ

Related Posts