ପିସିଆର କର୍ମଚାରୀଙ୍କ ପାଇଁ ଲାଗୁହେଲା କଡାକଡି ନିୟମ
ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ପାଇଁ ଜାରି ହେଲା ଫତୁଆ । ଆଉ ଚଳିବ ନାହିଁ କର୍ମଚାରୀଙ୍କ ମନମାନିରେ । ପୁଲିସ ସ୍କାନରରୁ ସେମାନେ ବର୍ତ୍ତିପାରିବେନି । କର୍ତ୍ତବ୍ୟର ଅବହେଳା କଲେ ଯାଇପାରେ ଚାକିରୀ । ଯଦି କେହି ପିସିଆର କର୍ମଚାରୀ କର୍ତ୍ତବ୍ୟ ପାଳନରେ ଅବହେଳା କରନ୍ତି, ତେବେ ସିଧା ନିଲମ୍ବିତ ହେବ । ଚାକିରିରୁ ବହିଷ୍କୃତ ହେବା ପରେ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯାହାର ଏକ କପି, ପ୍ରତି ପିସିଆର ଭ୍ୟାନ୍ ଭିତରେ ଛପାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ ପିସିଆର ଭ୍ୟାନ ଇନ୍ଚାର୍ଜ ଥିବା ସ୍ପେଶାଲ ପୁଲିସ ଅଫିସର କିମ୍ବା ଅବସରପ୍ରାପ୍ତ କର୍ମଚାରୀମାନେ କୌଣସିମତେ ଆଇନକାନୁନକୁ ଲଂଘିବେନି । କୌଣସି ପ୍ରକାର ବିଶୃଙ୍ଖଳିତ କିମ୍ବା ବେଆଇନ୍ କାର୍ଯ୍ୟକଳାପରେ ଲିପ୍ତ ରହିଲେ, ଏସ୍ପିଓଙ୍କୁ ଚାକିରିରୁ ବହିଷ୍କୃତ କରାଯିବ । ଅବସରପ୍ରାପ୍ତ ସେନା ଯବାନମାନଙ୍କ ପେନସନ ବନ୍ଦ କରାଯିବା ସହ ଆର୍ମି ୱେଲଫେୟାର ବୋର୍ଡକୁ ବିଶୃଙ୍ଖଳ କାର୍ଯ୍ୟକଳାପ ସମ୍ପର୍କୀତ ଚିଠି କରାଯିବ । ଯଦି ଏସ୍ପି ଓ ଅବସରପ୍ରାପ୍ତ ସେନା କର୍ମଚାରୀମାନେ କୌଣସି ଫୌଜଦାରୀ ମାମଲାରେ ଲିପ୍ତ ରୁହନ୍ତି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇ ଜେଲ ପଠାଯିବ । ପିସିଆର ଭ୍ୟାନ୍ରେ ଥିବା ହାବିଲଦାର, କନଷ୍ଟେବଳ ଓ ଓଏପିଏଫ୍ ଯବାନ ଦାୟିତ୍ୱରେ ଅବହେଳା କଲେ, ତୁରନ୍ତ ନିଲମ୍ବିତ ହେବେ । ସେମାନଙ୍କୁ ମଧ୍ୟ ଗିରଫ କରାଯାଇ ଜେଲ ପଠାଯିବ । ହୋମଗାର୍ଡମାନେ ଚାକିରିରୁ ବହିଷ୍କୃତ ହେବା ସହ ଜେଲ ଯିବେ । ଇଆର୍ଏସ୍ଏସ୍-୧୧୨ର ସମସ୍ତ ପିସିଆର ଭ୍ୟାନକୁ ଘରୋଇ ସଂସ୍ଥାର ଇଆର୍ଭି ଡ୍ରାଇଭର ଚଳାନ୍ତି । ସେମାନେ ଯଦି କୌଣସି ଅପରାଧରେ ଲିପ୍ତ ରୁହନ୍ତି କିମ୍ବା ଦାୟିତ୍ୱରେ ଅବହେଳା କରନ୍ତି । ତା’ ହେଲେ ଚାକିରିରୁ ବହିଷ୍କାର କରାଯାଇ ଜେଲ ହାଜତକୁ ପଠାଯିବ । ସେମାନଙ୍କୁ ମିଳିଥିବା ଦରମାକୁ ରିକଭରି କରିବା ବ୍ୟବସ୍ଥା ମଧ୍ୟ କରାଯିବ।



