ମୃତ୍ୟୁର ଅଧିକାର
ଜୀବନର ମୃତ୍ୟୁ ହେଲା ଏକ ଏଭଳି ସତ୍ୟ ଯାହାକୁ କେହି ଏଡାଇ ପାରିବେ ନାହିଁ । ସେହିଭଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ସମୟ କାହାରିକୁ ଜଣା ନଥାଏ, ହେଲେ ଜୀବନ ବେଳେବେଳେ ଏଭଳି ଦୁଃସହ ହୋଇପଡେ ଯେ ଜଣେ ବ୍ୟକ୍ତି ନିଜ ମରଣର ଇଚ୍ଛା ନିଜେ କରିଥାଏ । ଏହି ପ୍ରକ୍ରିୟାକୁ ଔପଚାରିକ ଭାଷାରେ ଇଚ୍ଛାମୃତ୍ୟୁ କହିଥାଆନ୍ତି ।
ଇଛ୍ଛାମୃତ୍ୟୁ ଶବ୍ଦଟି ଶୁଣିଲେ ସମସ୍ତଙ୍କ ମନରେ ଭୟ ଓ ଅସହାୟତା ସୃଷ୍ଟି କରିଥାଏ । ନିଜ ଜୀବନ ନିଜେ ହାରିବା ପାଇଁ କିଏ ବା କାହିଁକି ଚାହିଁବ, ହେଲେ ବେଳେବେଳେ ଜୀବନରେ ପରିସ୍ଥିତି ଏଭଳି ଆସେ ଯେ ଜଣେ ଏହା କରିବା ଶ୍ରେୟ ଭାବଥାଏ । କେଉଁଠି କିଏ ନିଜେ ଏହି ଇଚ୍ଛା ମୃତ୍ୟୁର ଅନୁମତି ପାଇଁ ଆବେଦନ କରୁଥିବାବେଳେ କେଉଁଠି ପ୍ରିୟଜନମାନେ ଏହି ନିଷ୍ପତ୍ତି ନେଇଥାଆନ୍ତି । ତେବେ ନିକଟର ଭାରତରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି, ପ୍ରଥମଥର ପାଇଁ ଜଣେ ରୋଗୀଙ୍କୁ ମିଳିଛି ଇଚ୍ଛାମୃତ୍ୟୁର ଅନୁମତି । ଦୀର୍ଘ ୧୩ ବର୍ଷର ଅପେକ୍ଷା ଓ ମର୍ଯ୍ୟାଦାର ସହ ବିଦାୟ ମିଳିଛି ଉତ୍ତରପ୍ରଦେଶର ହରିଶଙ୍କୁ । ଭାରତର ନ୍ୟାୟିକ ଇତିହାସରେ ବୁଧବାର ଦିନ ଏକ ଅଭୂତପୂର୍ବ ଅଧ୍ୟାୟ ଯୋଡ଼ି ହୋଇଛି । ଗତ ୧୩ ବର୍ଷ ଧରି କୋମାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ୩୧ ବର୍ଷୀୟ ଯୁବକ ହରିଶ ରାଣାଙ୍କୁ ସୁପ୍ରିମକୋର୍ଟ 'ପାସିଭ୍ ଇଉଥାନେସିଆ' ବା ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଗାଜିଆବାଦର ବାସିନ୍ଦା ହରିଶ ଦୀର୍ଘ ସମୟ ଧରି ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ଥିବା ବେଳେ, ଦେଶରେ ଏଭଳି ମାମଲାରେ ଏହା ପ୍ରଥମ ଐତିହାସିକ ନିଷ୍ପତ୍ତି । ଜଷ୍ଟିସ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମର୍ମସ୍ପର୍ଶୀ ମାମଲାର ଶୁଣାଣି କରି ଏମ୍ସକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ହରିଶଙ୍କ ଶରୀରରୁ ଲାଇଫ୍ ସପୋର୍ଟ ସିଷ୍ଟମକୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉ, ଯାହାଫଳରେ ସେ ଶାନ୍ତିର ସହ ଶେଷ ନିଶ୍ୱାସ ତ୍ୟାଗ କରିପାରିବେ। ତେବେ ଏହି ସମଗ୍ର ପ୍ରକ୍ରିୟା ସମୟରେ ରୋଗୀଙ୍କ 'ମାନବୀୟ ମର୍ଯ୍ୟାଦା' ଯେପରି କ୍ଷୁଣ୍ଣ ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଡାକ୍ତରଖାନାକୁ କୁହାଯାଇଛି । ହରିଶଙ୍କ ପିତା ଅଶୋକ ରାଣା ଏବଂ ମାତା ନିର୍ମଳା ରାଣା ନିଜ ପୁଅର ଏହି ଯନ୍ତ୍ରଣାଦାୟକ ସ୍ଥିତିକୁ ଦେଖି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଅର କଷ୍ଟରୁ ମୁକ୍ତି ଦେବା ପାଇଁ ସେମାନେ କରିଥିବା ଆକୁଳ ନିବେଦନକୁ ଶେଷରେ ନ୍ୟାୟିକ ମାନ୍ୟତା ମିଳିଛି । ଏହି ନିଷ୍ପତ୍ତି କେବଳ ହରିଶଙ୍କ ପରିବାର ପାଇଁ ନୁହେଁ, ବରଂ ଭାରତରେ 'ଜୀବନର ଅଧିକାର' ସହିତ 'ମର୍ଯ୍ୟାଦାପୂର୍ଣ୍ଣ ମୃତ୍ୟୁର ଅଧିକାର'କୁ ନେଇ ଚାଲିଥିବା ବିତର୍କରେ ଏକ ନୂଆ ମୋଡ଼ ଆଣିଛି ।



