ମିଳୁଛି ଅଧାପରିମାଣର ଗ୍ୟାସ
ନେପାଳରେ ବର୍ତ୍ତମାନ ରୋଷେଇ ଗ୍ୟାସର ଘୋର ଅଭାବ ଏବଂ ଲମ୍ବା ଧାଡ଼ିକୁ ଦୃଷ୍ଟିରେ ରଖି ନେପାଳ ସରକାର ଓ ନେପାଳ ଅଏଲ୍ କର୍ପୋରେସନ୍ ଗ୍ରାହକଙ୍କୁ ପୂରା ବଦଳରେ ଅଧା ଭର୍ତ୍ତି ସିଲିଣ୍ଡର ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ପୂର୍ବରୁ ମିଳୁଥିବା ୧୪.୨ କିଲୋଗ୍ରାମ ସିଲିଣ୍ଡର ପରିବର୍ତ୍ତେ ଏବେ କେବଳ ୭.୧ କିଲୋଗ୍ରାମ ଗ୍ୟାସ୍ ଦିଆଯିବ । ଯାହାଫଳରେ ଅଧିକରୁ ଅଧିକ ପରିବାର ପାଖରେ ଗ୍ୟାସ୍ ପହଞ୍ଚିପାରିବ । ବଜାରରେ ଗ୍ୟାସର ହଠାତ୍ ଅଭାବ ଏବଂ ଲୋକଙ୍କ ମଧ୍ୟରେ ଥିବା ଭୟ ଯୋଗୁଁ ଅତ୍ୟଧିକ ଗ୍ୟାସ୍ ସଂଗ୍ରହକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ନେପାଳରେ ପ୍ରତି ମାସରେ ପ୍ରାୟ ୪୬ ହଜାର ଟନ୍ ଏଲପିଜି ବ୍ୟବହୃତ ହେଉଥିବା ବେଳେ କାଠମାଣ୍ଡୁ ଉପତ୍ୟକାର ପ୍ରାୟ ୭୦% ଘର ରୋଷେଇ ପାଇଁ ସମ୍ପୂର୍ଣ୍ଣ ଭାବେ ଗ୍ୟାସ୍ ଉପରେ ନିର୍ଭରଶୀଳ, ତେଣୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । ତେବେ ସୋସିଆଲ ମିଡିଆରେ ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।



