କରୁର୍ ଦଳାଚକଟା ମାମଲାରେ ବିଜୟଙ୍କୁ ସିବିଆଇର ୭ ଘଣ୍ଟା ଜେରା
ନୂଆଦିଲ୍ଲୀ : ତାମିଲନାଡ଼ୁର କରୁର୍ରେ ଦଳାଚକଟା ମାମଲାରେ କେନ୍ଦ୍ରୀୟ ତଦନ୍ତକାରି ସଂସ୍ଥା (ସିବିଆଇ) ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କୁ ରବିବାର ୭ ଘଣ୍ଟା ଧରି ଜେରା କରିଛି। ସିବିଆଇ ପକ୍ଷରୁ ବିଜୟଙ୍କୁ ତୃତୀୟ ଥର ଜେରା କରାଯାଇଛି। ଏହାପୂର୍ବରୁ ଜାନୁଆରି ମାସରେ ତାଙ୍କୁ ଦୁଇଥର ଜେରା କରାଯାଇଥିଲା। କରୁର୍ ଦଳାଚକଟା ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଜେରାବେଳେ ବିଜୟ ସମାନ କଥା ଦୋହରାଇଥିଲେ। ଦୀର୍ଘ ସମୟ ଜେରା ପରେ ସନ୍ଧ୍ୟା ୬ଟାରେ ବିଜୟ ସିବିଆଇ ମୁଖ୍ୟାଳୟରୁ ବାହାରିଥିଲେ। ବିଜୟଙ୍କୁ ମାର୍ଚ୍ଚ ୯ ତାରିଖରେ ସମନ ଜାରି କରାଯାଇଥିଲା, କିନ୍ତୁ ସେ ଏହାକୁ ୧୫ ଦିନ ଘୁଞ୍ଚେଇ ଦେବାକୁ ଅନୁରୋଧ କରିଥିଲେ। କରୁର୍ର ଡିଏମ୍କେ ବିଧାୟକ ସେନ୍ଥିଲ ବାଲାଜୀଙ୍କୁ ମାର୍ଚ୍ଚ ୧୭ରେ ସିବିଆଇରେ ହାଜର ହେବାକୁ ସମନ ଜାରି କରାଯାଇଛି। ତେବେ ସେପ୍ଟେମ୍ବର ୨୭, ୨୦୨୫ରେ ହୋଇଥିବା ଦଳାଚକଟା ଘଟଣା ପାଇଁ ତାଙ୍କ ଦଳ କିମ୍ବା ଦଳର କର୍ମକର୍ତ୍ତା ଦାୟୀ ନୁହନ୍ତି ବୋଲି ବିଜୟ କହିଥିଲେ।



