ସବୁଜ ବିବାହ
ବାଉଁଶ ଫ୍ରେମରୁ ଝୁଲୁଥିବା ଧଳା ରଜନୀଗନ୍ଧା ଫୁଲର ମାଳ, ଗେଣ୍ଡୁ ଫୁଲର ହଳଦିଆ ଆଭା, ପାଖରେ ଥିବା ମାଟି ପାତ୍ର ଏବଂ ବୁଣା ହୋଇଥିବା ଟୋକେଇ ଏସବୁ ସହିତ ପ୍ରବେଶ ପଥରେ ଥିବା କଦଳୀ ଗଛ ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରୁଥିଲା। ଏହି ବିବାହରେ ନଥିଲା ଚାକଚକ୍ୟ କି ବ୍ୟାଣ୍ଡବାଜା, ବାହାଘରଟି ଖୁବ ସାଦାସିଧାଥିଲା ହେଲେ ଥିଲା ଚର୍ଚ୍ଚିତ ।
ଓଡିଶାରେ ଆୟୋଜିତ ଏହି ତାମିଲ-ଓଡ଼ିଆ ବିବାହ ୨୦୨୫ ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ହଳଦୀ, ମେହେନ୍ଦୀ, ହୋମ ପୂଜା, ବିବାହ ଏବଂ ଭୋଜିରେ ପ୍ରାୟ ୪୦୦ ଅତିଥି ସାମିଲ ହୋଇଥିଲେ। ପରିବାରର ମୁଖ୍ୟ ଲକ୍ଷ୍ୟ ଥିଲା—ପରମ୍ପରାକୁ ବଜାୟ ରଖିବା ସହ ବର୍ଜ୍ୟବସ୍ତୁକୁ ସର୍ବନିମ୍ନ କରିବା। ଏହି ବିବିହରେ କନ୍ୟା ସୁଚିତାଙ୍କ ଭଉଣୀ ରୁଚିତା ପତି ଏହି ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ। ସେ ଭୁବନେଶ୍ୱରର ଓ୍ୱେଷ୍ଟ ମ୍ୟାନେଜମେଣ୍ଟ ଷ୍ଟାର୍ଟଅପ୍ 'ସେବା ଗ୍ରୀନ୍ ସଲ୍ୟୁସନ୍ସ' ର ପ୍ରତିଷ୍ଠାତା ନୀଳିମା ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଏହି ବିବାହରେ କୌଣସି ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇନଥିଲା। କାଚ ଗ୍ଲାସରେ ପାଣି ପରଷା ଯାଇଥିଲା। ସାଜସଜ୍ଜାରେ ଫୋମ୍ କିମ୍ବା ପ୍ଲାଷ୍ଟିକ୍ ବଦଳରେ ବାଉଁଶ ଟୋକେଇ, କଦଳୀ ଗଛ ଏବଂ ପ୍ରାକୃତିକ ଫୁଲ ବ୍ୟବହାର କରାଯାଇଥିଲା। ଖାଦ୍ୟ ନଷ୍ଟ ନହେବା ପାଇଁ ଅତି ଅଧିକ ପରିମାଣର ଖାଦ୍ୟ ପରିବର୍ତ୍ତେ ମାତ୍ର ୭-୮ଟି ପାରମ୍ପରିକ ଓଡ଼ିଆ ଏବଂ ତାମିଲ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଓଡ଼ିଆ ଖାଦ୍ୟରେ ଡାଲମା, ବେସର, କଖାରୁ ଫୁଲ ଭଜା, ମଣ୍ଡା ପିଠା, ରସବରା ଥିବାବେଳେ ତାମିଲ ଖାଦ୍ୟରେ ଅଭିୟଲ, ସୁନ୍ଦଲ ଏବଂ ସକ୍କରାଇ ପୋଙ୍ଗଲ ଭଳି ସୁଆଦିଆ ଖାଦ୍ୟ ଥିଲା। ସେହିଭଳି ଅତିଥିମାନଙ୍କୁ ଦିଆଯାଇଥିବା ଉପହାରଗୁଡ଼ିକ ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗରେ ଦିଆଯାଇଥିଲା। ଏହି ସବୁ ସାମଗ୍ରୀ ସ୍ଥାନୀୟ କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ କିଣାଯାଇଥିଲା। ପିପିଲିର ଚାନ୍ଦୁଆ କାମ ଥିବା କାଠର ମ୍ୟାଗନେଟ୍ ଏବଂ ଜୁଟ୍ ବ୍ୟାଗ୍ ସମସ୍ତଙ୍କ ମନ ଜିଣିଥିଲା। ଏପରିକି ବିବାହର ନିମନ୍ତ୍ରଣ ପତ୍ର 'ସିଡ୍ ପେପର୍' ରେ ତିଆରି ହୋଇଥିଲା, ଯାହାକୁ ମାଟିରେ ପୋତିଲେ ଗଛ ହେବ । ବିବାହକୁ ଆସିଥିବା ସମସ୍ତ ଅତିଥିଙ୍କୁ ଏହା ଖୁବ ପ୍ରେରିତ କରିଥିଲା । ଅନେକ ଅତିଥି ଏହି ଶୈଳୀକୁ ନିଜ ଘରର ବିବାହରେ ଆପଣେଇବାକୁ ମଧ୍ୟ ମନ ବଳାଇଥିବା ଦେଖିବାକୁ ମିଳିଥିଲା । ଆଜିକାଲି ବିବାହରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ଅନେକ ଧୁମଧାମରେ କରାଯାଉଛି । ହେଲେ ଉକ୍ତ ବିବାହ ଗୁଡିକ ପରିବେଶ ପାଇଁ କ୍ଷତିକାରକ ସାଜୁଛି । କିନ୍ତୁ ଏହି ସାଦାସିଧା ବିବାହଟି ପରିବେଶ ଉପଯୋଗୀ ସହିତ ଥିଲା ବେଶ ସ୍ବତନ୍ତ୍ର ଓ ସୁନ୍ଦର । ସୋସିଆଲ ମିଡିଆରେ ଏହାର ଖୁବ ଚର୍ଚ୍ଚା କରାଯାଉଛି, ସମସ୍ତେ ଉଭୟ ବର କନ୍ୟାଙ୍କର ପରିବାରର ଖୁବ ପ୍ରଶଂସା କରୁଥିବା ନଜରକୁ ଆସୁଛି ।



