ସଞ୍ଜୁଙ୍କ ଜଲୱା
ନିକଟରେ ବିଶ୍ବ ବିଜେତା ପାଲଟିଛନ୍ତି ଭାରତୀୟ କ୍ରିକେଟ ଦଳ । ଚଳିତ ଟି୨୦ ବିଶ୍ବକପ ଜିତି ସମଗ୍ର ବିଶ୍ବରେ ଭାରତର ନାଁକୁ ଗର୍ବିତ କରିଛନ୍ତି ସ୍ବର୍ଯ୍ୟସେନା । ତେବେ ଏହାରି ଭିତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି କ୍ରିକେଟର ସଞ୍ଜୁ ସାମସନ, ବିଶ୍ବକପରେ ସଞ୍ଜୁଙ୍କ ଖେଳକୁ ନେଇ ବର୍ତ୍ତମାନ ସବୁଠାରେ ଚର୍ଚ୍ଚା ।
ଗତ ୮ତାରିଖରେ ଟି - ୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବବିଜେତା ପାଲଟିଥିଲା ଭାରତୀୟ ଦଳ। ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଭାରତ ତୃତୀୟଥର ପାଇଁ ଟି - ୨୦ ବିଶ୍ବକପ ଜିତିବାରେ ସଫଳ ହୋଇଛି । ତେବେ ସମସ୍ତ ଖେଳାଳି ପ୍ରଶଂସା ସାଉଁଟୁଥିବାବେଳେ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୁ ସାମସନ । ବିଶ୍ୱକପ୍ ବିଜେତା ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଥିଲେ ସଞ୍ଜୁ । ଏହି ବିଶ୍ୱକପ୍ ସଫଳତା ସଞ୍ଜୁଙ୍କ କ୍ୟାରିୟର ପାଇଁ ଏକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଥିଲା, ଯାହା ତାଙ୍କୁ ଜଣେ ବିଶ୍ୱସ୍ତରୀୟ ଖେଳାଳି ଭାବେ ସ୍ୱୀକୃତି ପ୍ରଦାନ କରିଛି । ଭାରତୀୟ କ୍ରିକେଟ ଜଗତର ଅନ୍ୟତମ ପ୍ରତିଭାଶାଳୀ ତଥା ଲୋକପ୍ରିୟ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କ ଜୀବନ କାହାଣୀ ସଂଘର୍ଷ, ଧୈର୍ଯ୍ୟ ଏବଂ ଅଦମ୍ୟ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟୀ ଉଦାହରଣ ଅଟେ । ୧୧ ନଭେମ୍ବର ୧୯୯୪ରେ କେରଳର ପୁଲ୍ଲୁଭିଲାଠାରେ ଜନ୍ମଗ୍ରହଣ କରିଥିବା ସଞ୍ଜୁଙ୍କ କ୍ରିକେଟ ଯାତ୍ରା ଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଏଠାରେ ତାଙ୍କ ପିତା ବିଶ୍ୱନାଥ ସାମସନ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରୁଥିଲେ ଏବଂ ନିଜ ପୁଅର କ୍ରିକେଟ ପ୍ରତି ଥିବା ରୁଚିକୁ ଦେଖି ସେ ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ସବୁପ୍ରକାର ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ଉତ୍ତମ ସୁଯୋଗ ଆଶାରେ ସେମାନେ କେରଳ ଫେରିଆସିଥିଲେ ଏବଂ ସେଠାରେ ସଞ୍ଜୁ ନିଜର ବ୍ୟାଟିଂ ଶୈଳୀ ଓ ଚମତ୍କାର ୱିକେଟକିପିଂ ଜରିଆରେ ଖୁବ୍ ଶୀଘ୍ର ଘରୋଇ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ୍ରେ ପଦାର୍ପଣ କରି ସେ ସାରା ବିଶ୍ୱର ଖେଳପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ବ୍ୟାଟିଂ ପାଇଁ ସେ ‘ନେକ୍ସଟ୍ ବିଗ୍ ଥିଙ୍ଗ୍’ ଭାବେ ପରିଗଣିତ ହୋଇଥିଲେ । ଯଦିଓ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ତାଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ଅନେକ ସମୟରେ ଦଳରୁ ବାଦ୍ ପଡ଼ି ମଧ୍ୟ ସେ ହାର୍ ନମାନି ନିଜର ପରିଶ୍ରମ ଜାରି ରଖିଥିଲେ । ଯାହାରଫଳ ସେ ନିଜର ପ୍ରଥମ ବିଶ୍ବକପ ସିରିଜରେ ପାଇଛନ୍ତି, ବିଜୟୀଦଳର ଅଂଶଭାବେ ତାଙ୍କ ସଫଳତାର ବହିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ସଞ୍ଜୁ ସାମସନ ବର୍ତ୍ତମାନ କୋଟି କୋଟି ଯୁବ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ରୋଲ୍ ମଡେଲ୍ ପାଲଟିଛନ୍ତି । ଏହି ଖେଳକୁ ନିଜର କ୍ୟାରିୟରଭାବେ ଗ୍ରହଣ କରିବାକୁ ଆଗେଇ ଆସୁଥିବା ସମସ୍ତ ଯୁବପ୍ରତିଭାଙ୍କ ପାଇଁ ସେ ବର୍ତ୍ତମାନ ପ୍ରେରଣା ପାଲଟିଛନ୍ତି ।



