ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଲାଗି ଆରମ୍ଭ ହେଲା ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । କାହାର ହେବେ ରାଜ୍ୟସଭା ଆସନ । କିଏ ସାଜିବ ଓଡ଼ିଶାର ସ୍ୱର । କିଏ ମାରିବ ବାଜି ନେଇ ବଢୁଛି ଉତ୍କଣ୍ଠା । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ । ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।
ମତଦାନ ଆରମ୍ଭରୁ ଆଜି ପ୍ରଥମ ଭୋଟ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାରାଦୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଞ୍ଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଞ୍ଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ ।
ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଜଣାଇଥିବା ବେଳେ ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । ତାଙ୍କୁ ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ ହେଉଛି ରୋଚକ ଲଢ଼େଇ । ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ୨୨ ବଳକା ଭୋଟ ରହିଛି । କିନ୍ତୁ ବିଜେଡି ଓ କଂଗ୍ରେସ ପାଖରେ ରହିଛି ୩୩ ଭୋଟ । ଚତୁର୍ଥ ଆସନ ପାଇଁ ଗତ କିଛି ଦିନ ହେଲା ରଣନୀତି ଚଳାଇଥିଲେ ବିଜେପି, ବିଜେଡି ଓ କଂଗ୍ରେସ। ନିୟମ ଅନୁସାରେ ବିଧାୟକମାନେ କାହାକୁ ଭୋଟ ଦେଲେ ସେମାନେ ନିଜ ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବେ । ନହେଲେ ଭୋଟ ନାକଚ ହେବ । ବିଜେପିର ଏଜେଣ୍ଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପୃଥ୍ବୀରାଜ ହରିଚନ୍ଦନ ହୋଇଛନ୍ତି । ବିଜେଡିର ଏଜେଣ୍ଟ ପ୍ରତାପ ଦେବ ଓ କଂଗ୍ରେସ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି ଭକ୍ତ ଚରଣ ଦାସ ।



