ପୂର୍ବରୁ ଘଟିଛି ଛାତିଥରା କାହାଣୀ
ଭାରତରେ ପାସିଭ୍ ଇଉଥାନେସିଆ ବା ନିଷ୍କ୍ରିୟ ଇଚ୍ଛାମୃତ୍ୟୁ କ୍ଷେତ୍ରରେ ହରିଶ ରାଣାଙ୍କ ମାମଲା ଏକ ଅନନ୍ୟ ଉଦାହରଣ ଭାବେ ଉଭା ହୋଇଛି, କାରଣ ଏହା ହେଉଛି ଦେଶର ପ୍ରଥମ ମାମଲା ଯେଉଁଠାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଣୀତ ସମସ୍ତ ନିୟମ ଅନୁସରଣ କରାଯାଉଛି । ବାସ୍ତବରେ, ୨୦୧୮ ମସିହାରେ 'କମନ୍ କଜ୍' ମାମଲାରେ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁ ପାଇଁ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ, ତାହା ଏପର୍ଯ୍ୟନ୍ତ କୌଣସି ମାମଲାରେ କାର୍ଯ୍ୟକାରୀ ହୋଇନଥିଲା । ତେବେ ଏହା ପୂର୍ବରୁ ୨୦୧୧ ମସିହାର ଐତିହାସିକ 'ଅରୁଣା ଶାନବାଗ୍' ମାମଲା ହିଁ ଭାରତରେ ପାସିଭ୍ ଇଉଥାନେସିଆକୁ ପ୍ରଥମ କରି ବୈଧ କରିଥିଲା, ଯାହା ପରବର୍ତ୍ତୀ ସମୟରେ ୨୦୧୮ ନିୟମାବଳୀର ଆଧାର ସାଜିଥିଲା । ୧୯୭୩ ମସିହାରେ ମୁମ୍ବାଇର କେଇଏମ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଅରୁଣା ଶାନବାଗ୍ଙ୍କ ଉପରେ ହୋଇଥିବା ବୀଭତ୍ସ ଆକ୍ରମଣ ଓ ଦୁଷ୍କର୍ମ ତାଙ୍କୁ ୪୨ ବର୍ଷ ଧରି କୋମା ଶଯ୍ୟାକୁ ଠେଲି ଦେଇଥିଲା । ତାଙ୍କର ଏହି ଅତି ଗୁରୁତର ସ୍ଥିତିକୁ ଦେଖି ୨୦୦୯ରେ ସାମ୍ବାଦିକା ପିଙ୍କି ବିରାନୀ ସୁପ୍ରିମକୋର୍ଟରେ ଲାଇଫ୍ ସପୋର୍ଟ ହଟାଇବା ପାଇଁ ଆବେଦନ କରିଥିଲେ । ଯଦିଓ ସେତେବେଳେ କୋର୍ଟ ଇଚ୍ଛାମୃତ୍ୟୁକୁ ଏକ ଆଇନଗତ ଅଧିକାର ଭାବେ ସ୍ୱୀକାର କରିଥିଲେ, କିନ୍ତୁ ଅରୁଣା କିଛି ମାତ୍ରାରେ ବିନା ମେସିନ୍ ସାହାଯ୍ୟରେ ଶ୍ୱାସକ୍ରିୟା କରୁଥିବାରୁ ତାଙ୍କୁ ଏହାର ଅନୁମତି ମିଳିନଥିଲା ଏବଂ ଶେଷରେ ୨୦୧୫ରେ ତାଙ୍କର ପ୍ରାକୃତିକ ଭାବେ ମୃତ୍ୟୁ ଘଟିଥିଲା।



