ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ବରଗଡ଼ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ବକେୟା ଦରମା ବିଲ୍ କରାଇଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ରଜନୀକାନ୍ତ କର । ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ବରପାଲି ବିଇଓ ଅଫିସର ଜଣେ କର୍ମଚାରୀଙ୍କ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ରଜନୀକାନ୍ତ ୬ ହଜାର ଟଙ୍କା ଦାବି କରିଥିଲେ । ସଂପୃକ୍ତ କର୍ମଚାରୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ହେଁ ଲାଞ୍ଚ ନଦେଲେ କୌଣସି କାମ ହୋଇ ପାରିବ ନାହିଁ ରଜନୀକାନ୍ତ କହିଥିଲେ । ଶେଷରେ ବାଧ୍ୟ ହୋଇ ସଂପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ରଜନୀକାନ୍ତଙ୍କୁ ଗିରଫ କରିଥିଲା। ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କର ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଓ ଯାଞ୍ଚ ଜାରି ରହିଛି।



