ଇଚ୍ଛାମୃତ୍ୟୁକୁ କ’ଣ ରହିଛି ନିୟମ
୨୦୧୮ ମସିହାରେ 'ପାସିଭ୍ ଇଥାନେସିଆ' ବା ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ବୈଧତା ପ୍ରଦାନ କରି ସୁପ୍ରିମକୋର୍ଟ ଦୁଇ ପ୍ରକାରର ନିୟମ ପ୍ରଣୟନ କରିଛନ୍ତି ।
୧. ଲିଭିଂ ଉଇଲ ଥିଲେ
ଯଦି ଜଣେ ବ୍ୟକ୍ତି ମାନସିକ ସ୍ତରରେ ସୁସ୍ଥ ଥିବା ସମୟରେ ନିଜ ଇଚ୍ଛାରେ ଏକ 'ଲିଭିଂ ଉଇଲ୍' ଲେଖିଥାନ୍ତି, ତେବେ ତାହା କାର୍ଯ୍ୟକାରୀ ହୋଇଥାଏ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥାଏ ଯେ, ଯଦି ଭବିଷ୍ୟତରେ ରୋଗୀଙ୍କ ରୋଗ ଅସାଧ୍ୟ ହୋଇଯାଏ ଏବଂ ସୁସ୍ଥ ହେବାର କୌଣସି ସମ୍ଭାବନା ନଥାଏ, ତେବେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରୁ ହଟାଇ ଦିଆଯାଉ । ଏଥିପାଇଁ କିଛି ନିୟମ ରହିଛି ଯାହାକୁ ଅନୁକରଣ କରିବାକୁ ହୋଇଥାଏ । ୧୮ ବର୍ଷରୁ ଅଧିକ ବୟସ୍କ ଏବଂ ସୁସ୍ଥ ବ୍ୟକ୍ତି ହିଁ ଲିଭିଙ୍ଗ୍ ଉଇଲ୍ ଲେଖିପାରିବେ । ଏହା ୨ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବା ସହ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଯାଞ୍ଚ ହୋଇଥିବା ଆବଶ୍ୟକ । ଚିକିତ୍ସା କରୁଥିବା ଡାକ୍ତର, ହସ୍ପିଟାଲର ମେଡିକାଲ୍ ବୋର୍ଡ ଏବଂ ଜିଲ୍ଲା ସ୍ତରୀୟ ଏକ ବାହ୍ୟ ମେଡିକାଲ୍ ବୋର୍ଡର ଅନୁମତି ଜରୁରୀ । ଉଭୟ ବୋର୍ଡର ସହମତି ପରେ ହିଁ ଭେଣ୍ଟିଲେଟର ଭଳି ଲାଇଫ୍ ସପୋର୍ଟ ବନ୍ଦ କରାଯାଇପାରିବ । ଏହି ସମଗ୍ର ପ୍ରକ୍ରିୟା ବିଷୟରେ ପରିବାରକୁ ଅବଗତ କରାଯାଏ ଏବଂ କୌଣସି ବିବାଦ ଦେଖାଦେଲେ ହାଇକୋର୍ଟରେ ଅପିଲ୍ କରାଯାଇପାରିବ ।
୨. ଲିଭିଂ ଉଇଲ ନଥିଲେ
ଯଦି ରୋଗୀ ସୁସ୍ଥ ଥିବାବେଳେ କୌଣସି ଲିଭିଙ୍ଗ୍ ଉଇଲ୍ ପ୍ରସ୍ତୁତ କରିନାହାନ୍ତି, ତେବେ ତାଙ୍କ ପରିବାର ବା ନିକଟତର ସମ୍ପର୍କୀୟ ଏହି ନିଷ୍ପତ୍ତି ନେଇପାରିବେ । କିନ୍ତୁ ଏହା ଏତେ ସହଜ ନୁହେଁ, ଏଥିପାଇଁ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ । ପ୍ରଥମେ ହସ୍ପିଟାଲର ଡାକ୍ତରୀ ବୋର୍ଡ ରୋଗୀଙ୍କ ଅବସ୍ଥା ଯାଞ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରନ୍ତି।କଲେକ୍ଟର ୩ ରୁ ୫ ଜଣ ବିଶେଷଜ୍ଞଙ୍କୁ ନେଇ ଦ୍ୱିତୀୟ ଏକ ମେଡିକାଲ୍ ବୋର୍ଡ ଗଠନ କରନ୍ତି, ଯିଏ ଏହି ରିପୋର୍ଟକୁ ପୁନଃ ଯାଞ୍ଚ କରନ୍ତି । ଉଭୟ ବୋର୍ଡ ସହମତ ହେଲେ ଏହି ନିଷ୍ପତ୍ତିକୁ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ପାଖକୁ ପଠାଯାଏ । ମାଜିଷ୍ଟ୍ରେଟ୍ ନିଜେ ରୋଗୀଙ୍କୁ ଭେଟିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି । ବିବାଦ ସ୍ଥିତିରେ ଏଠାରେ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାର ସୁଯୋଗ ରହିଛି ।



