ଚତୁର ବିଲୁଆ

ଚତୁର ବିଲୁଆ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅଫିସରେ ସୁଟ ପିନ୍ଧିବାକୁ ବାରଣ

ଆଈମା କାହାଣୀ ପେଡିରେ ସମସ୍ତଙ୍କ ପାଇଁ ଭରିରହିଥାଏ କୁହୁକଭରା କାହାଣୀ । ଏହି କାହାଣୀ ଛୋଟଛୋଟ ପିଲାଙ୍କୁ ଜୀବନର ନୀତିଶିକ୍ଷା ପ୍ରଦାନ କରିଥାଏ । କେବଳ ଛୋଟ ପିଲାନୁହେଁ ବଡମାନେ ମଧ୍ୟ ଏହି କାହାଣୀରୁ ଅନେକ କିଛି  ଶିଖନ୍ତି ।

ସମ୍ବନ୍ଧିତ ଖବର କାରରେ ଝୁଲୁଛନ୍ତି ପୋଷା ଜୀବ

ଏହି କାହାଣୀପେଡିରେ ଅନେକ କାହାଣୀ ଥିବାବେଳେ ସେଥିରୁ ଗୋଟିଏ ହେଲା ଚତୁର ବିଲୁଆ । ଆସନ୍ତୁ ଜାଣିବା କଣ ରହିଛି ଏହି କାହାଣୀର ବିଷୟବସ୍ତୁ । ଏକଦା ଗୋଟିଏ ବଡ଼ ଜଙ୍ଗଲ ପାଖ ଦେଇ ବହିଯାଉଥିଲା ଏକ ନଦୀ । ସେହି ନଦୀ କୂଳରେ ଗୋଟିଏ ବହୁତ ଚତୁର ବିଲୁଆ ରହୁଥିଲା । ବିଲୁଆଟି ସବୁବେଳେ କିଛି ନା କିଛି ନୂଆ ଖାଇବା ଖୋଜାରେ ଥାଏ  । ଦିନେ ସେ ନଦୀ କୂଳରେ ବୁଲୁ ବୁଲୁ ଦେଖିଲା, ନଦୀର ଆରପାରିରେ ଥିବା କାକୁଡ଼ି ଓ ତରଭୁଜ ବାଡ଼ିରେ ଭାରି ସୁନ୍ଦର ଫଳ ସବୁ ପାଚିଛି । ସେଗୁଡ଼ିକୁ ଦେଖି ବିଲୁଆ ପାଟିରୁ ଲାଳ ବୋହିବାକୁ ଲାଗିଲା, କିନ୍ତୁ ସମସ୍ୟା ଥିଲା ନଦୀଟି ବହୁତ ଗଭୀର ଏବଂ ସେଥିରେ ଅନେକ ଭୟଙ୍କର କୁମ୍ଭୀର ରହୁଥିଲେ । ବିଲୁଆ ପହଁରି ଜାଣି ନଥିଲା, ତେଣୁ ସେ କେମିତି ସେପାରିକୁ ଯିବ ବୋଲି ବଡ଼ ଚିନ୍ତାରେ ପଡ଼ିଲା । ସେହି ସମୟରେ ନଦୀ କୂଳରେ ଗୋଟିଏ ବଡ଼ କୁମ୍ଭୀର ଖରା ପୋଉଁଥିଲା । ତାକୁ ଦେଖି ବିଲୁଆ ମୁଣ୍ଡରେ ଏକ ଚମତ୍କାର ବୁଦ୍ଧି ଜୁଟିଲା। ବିଲୁଆ କୁମ୍ଭୀର ପାଖକୁ ଯାଇ ବହୁତ ଆଦରରେ କହିଲା, "ଆରେ କୁମ୍ଭୀର ଭାଇ ! କେମିତି ଅଛ? ତୁମ ପାଇଁ ଗୋଟିଏ ବହୁତ ବଡ଼ ଖୁସି ଖବର ଅଛି !" କୁମ୍ଭୀରଟି ଆଖି ମଳି ମଳି ପଚାରିଲା, "କଣ ସେ ଖବର? ଶୀଘ୍ର କୁହ!" ବିଲୁଆ ବହୁତ ଗମ୍ଭୀର ହୋଇ କହିଲା, "ଆମ ଜଙ୍ଗଲର ରଜା ସିଂହ ମାମୁଁ ଆଜି ଏକ ବିରାଟ ଭୋଜିର ଆୟୋଜନ କରିଛନ୍ତି । ସେଠାରେ ସବୁ ପ୍ରକାରର ସୁଆଦିଆ ମାଂସ ରନ୍ଧା ହେବ । କିନ୍ତୁ ରଜା ଜାଣିବାକୁ ଚାହୁଁଛନ୍ତି କି ଏହି ନଦୀରେ ମୋଟ କେତେ କୁମ୍ଭୀର ଅଛନ୍ତି, ଯାହାଦ୍ୱାରା ସେ ସମସ୍ତଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ପ୍ରସ୍ତୁତ କରିପାରିବେ। ସେ ମୋତେ ଗଣିବା ପାଇଁ ପଠାଇଛନ୍ତି ।" ଭୋଜି କଥା ଶୁଣି କୁମ୍ଭୀର ପାଟିରୁ ଲାଳ ବୋହିଲା । ସେ ସାଙ୍ଗେ ସାଙ୍ଗେ ନଦୀ ଭିତରକୁ ଯାଇ ତାର ସବୁ ସାଙ୍ଗସାଥୀ ଏବଂ ପରିବାର ଲୋକଙ୍କୁ ଡାକି ଆଣିଲା। କୁମ୍ଭୀରଟି କହିଲା, "ବିଲୁଆ ଭାଇ, ଏଇ ଦେଖ ଆମେ ସମସ୍ତେ ଆସିଗଲୁ। ଏବେ ଗଣି ଦିଅ।" ବିଲୁଆ କହିଲା, "ଏମିତି ଗୋଳମାଳ କଲେ ମୁଁ ଗଣିପାରିବିନି। ତୁମେ ସମସ୍ତେ ନଦୀର ଏପାରିରୁ ସେପାରି ଯାଏଁ ପିଠିକୁ ପିଠି ଲଗାଇ ଏକ ଧାଡ଼ିରେ ଶୋଇପଡ଼। ତା'ପରେ ମୁଁ ତୁମ ପିଠି ଉପରେ ଚଢ଼ି ଚଢ଼ି ଗଣିବାକୁ ସୁବିଧା ହେବ।" କୁମ୍ଭୀରମାନେ ବୋକା ଥିଲେ, ସେମାନେ ଜଣକ ପଛରେ ଜଣେ ହୋଇ ଏକ ଲମ୍ବା ପୋଲ ପରି ଶୋଇଗଲେ । ବିଲୁଆ ମନେ ମନେ ବହୁତ ଖୁସି ହେଲା । ସେ ଧୀରେ କରି ପ୍ରଥମ କୁମ୍ଭୀର ପିଠିକୁ ଡେଇଁଲା ଏବଂ କହିଲା— "ଏକ!" ତା'ପରେ ଦ୍ୱିତୀୟ କୁମ୍ଭୀର ପିଠିକୁ ଡେଇଁ କହିଲା— "ଦୁଇ!" ଏହିପରି ସେ ଗଣିଗଣି ଡେଇଁ ଡେଇଁ ନଦୀର ଅଧା ବାଟ ପାର ହୋଇଗଲା। କୁମ୍ଭୀରମାନେ ଭାବୁଥିଲେ ସେମାନେ ଭୋଜି ଖାଇବାକୁ ପାଇବେ, ତେଣୁ ସେମାନେ ଚୁପ୍ଚାପ୍ ଶୋଇ ରହିଲେ । ଦେଖୁ ଦେଖୁ ବିଲୁଆ ନଦୀର ଆରପାରିରେ ପହଞ୍ଚିଗଲା । ସେ ସେପାରିରେ ଓହ୍ଲାଇ ଗୋଟିଏ ବଡ଼ ପଥର ଉପରେ ଠିଆ ହୋଇ ଖୁବ୍ ଜୋରରେ ହସିବାକୁ ଲାଗିଲା। ସେ କହିଲା, "ଆରେ ବୋକା କୁମ୍ଭୀରମାନେ ! କୌଣସି ଭୋଜି ନାହିଁ କି ରଜାଙ୍କର କିଛି ଆଦେଶ ନାହିଁ । ମୋତେ କେବଳ ନଦୀ ପାର ହେବାର ଥିଲା, ଆଉ ତୁମେମାନେ ମୋ ପାଇଁ ପୋଲ ସାଜିଲ । ଏବେ ବସିଥାଅ ଖାଲି ପେଟରେ, ମୁଁ ଯାଉଛି ମିଠା ମିଠା କାକୁଡ଼ି ଖାଇବାକୁ ।" କୁମ୍ଭୀରମାନେ ନିଜ ନିଜ ଭିତରେ କଳି କଲେ, କିନ୍ତୁ ବିଲୁଆଟି ସେତେବେଳକୁ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ବିଲୁଆଟି ନିଜ ବୁଦ୍ଧି ବଳରେ ଦୁଷ୍ଟ ଲୋକଙ୍କୁ ମଧ୍ୟ ଆୟତକୁ ଆଣି ନିଜ କାର୍ଯ୍ୟ କରାଇ ପାରିଥିଲା । ସେହିଭଳି ଜୀବନରେ ଚତୁର ହେଲେ ଯାଇ ସଫଳତା ପ୍ରାପ୍ତ ହେବ । ତେବେ ସବୁବେଳେ ମିଛ କହିବା ଖରାପ । ଯଦି ଏହି ମିଛ କାହାର କୌଣସି କ୍ଷତି କରେ ତେବେ ତାହା ପାପ, ହେଲେ ବେଳେବେଳେ ଜୀବନରେ ତତୁରତାର ସହିତ ପରିସ୍ଥିତିର ସାମନା କରିବାକୁ ପଡିଥାଏ ।

ସମ୍ବନ୍ଧିତ ଖବର ପଇସାଦେଇ ଝଡତୋଫାନରେ ଗାଧୁଆ !

Tags:

Related Posts