ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜୋରିମାନା
ପାଟଣାଗଡ, ସେପ୍ଟେମ୍ବର ୬: ଗତ ୨୦୧୯ ମାର୍ଚ୍ଚ ୨୯ ତାରିଖ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ କାରରେ ୯୦ କେଜି ଗଞ୍ଜେଇ ସ୍ଥାନୀୟ ଅବକାରୀ ବିଭାଗ ହାତରେ ଧରାପଡିଥିଲା । ପରେ ଉଭୟ ଚାଲାଣକାରୀ ବିଜୟ ଚନ୍ଦ୍ର ମେଣ୍ଡଲୀ(୩୮) ଏବଂ ତ୍ରିନାଥ ସାହୁ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀମତୀ ଶିଖାରାଣୀ ରଥ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ […]
ପାଟଣାଗଡ, ସେପ୍ଟେମ୍ବର ୬: ଗତ ୨୦୧୯ ମାର୍ଚ୍ଚ ୨୯ ତାରିଖ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀ କାରରେ ୯୦ କେଜି ଗଞ୍ଜେଇ ସ୍ଥାନୀୟ ଅବକାରୀ ବିଭାଗ ହାତରେ ଧରାପଡିଥିଲା । ପରେ ଉଭୟ ଚାଲାଣକାରୀ ବିଜୟ ଚନ୍ଦ୍ର ମେଣ୍ଡଲୀ(୩୮) ଏବଂ ତ୍ରିନାଥ ସାହୁ(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀମତୀ ଶିଖାରାଣୀ ରଥ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ତଥ୍ୟକୁ ଭିତ୍ତି କରି ଉଭୟ ଚାଲାଣକାରୀଙ୍କୁ ୧୨ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୨ ଜଣ ଅବକାରୀ କର୍ମଚାରୀ ମୋତିଲାଲ ସାଗର ଏବଂ ଅଜିତ ସାହୁ ଗତ ୨୯.୦୩.୨୦୧୯ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ସ୍ଥାନୀୟ ଧୁମାଭଟା ଛକଠାରେ ଏକ ମାରୁତି ଜେନ ଏଷ୍ଟିଲୋ ଗାଡି ନମ୍ବର ଓଆର୍-୦୨ଏଏକ୍ସ-୨୦୨୩କୁ ଅଟକାଇବା ସହ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜାଣିବାକୁ ପାଇଥିଲେ । ଗାଡିଟିକୁ ଅବକାରୀ କାର୍ଯ୍ୟାଳୟକୁ ନେଇ ଖାନତଲାସ କରିବା ପରେ ୧ କିଲୋଗ୍ରାମ ବିଶିଷ୍ଟ ୯୦ଟି ପ୍ୟାକେଟ ଉକ୍ତ ଗାଡିରୁ ଉଦ୍ଧାର କରାଯାଇଥିଲା । ଖବର ପାଇ ପାଟଣାଗଡ ଅବକାରୀ ଅଧିକାରୀ ଅର୍ଣ୍ଣପୂର୍ଣ୍ଣା ରଥ କାର୍ଯ୍ୟାଳୟରେ ପହଞ୍ଚି ଗାଡିର ଚାଳକ ଏବଂ ଅନ୍ୟଜଣକୁ ପଚରାଉଚୁରା ଆରମ୍ଭ କରିଥିଲେ । ଚୋରା ଚାଲାଣକାରୀ ବିଜୟ ଚନ୍ଦ୍ର ମେଣ୍ଡଲି(୩୮) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ମସିଣାଗୁରାର ହୋଇଥିବା ବେଳେ ଅନ୍ୟଜଣେ ତ୍ରିନାଥ ସାହୁ(୪୫) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆଦେର ଗ୍ରାମର ବୋଲି ପ୍ରକାଶ କରିଥିଲେ । ଉକ୍ତ ଗଞ୍ଜେଇ ମସିଣାଗୁରା ନିକଟରୁ ବୋଝେଇ ହୋଇ ନୃସିହନାଥ ଦେଇ ଲହରସିଂହକୁ ଯାଉଥିବା ଉଭୟେ ପ୍ରକାଶ କରିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ସାଢେ ୪ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଅବକାରୀ ଅଧିକାରୀ ଶ୍ରୀମତୀ ରଥ ସୂଚନା ଦେଇଥିଲେ । ଉକ୍ତ ମାମଲାର ବିଚାର କରିବାକୁ ଯାଇ ବିଭିନ୍ନ ତଥ୍ୟ, ପ୍ରମାଣ ଏବଂ ସାକ୍ଷ୍ୟକୁ ଗ୍ରହଣ କରି ମାନ୍ୟବର ଅତିରିକ୍ତ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ଶ୍ରୀମତୀ ଶିଖାରାଣୀ ରଥ ରାୟ ଶୁଣାଇଛନ୍ତି । ଉକ୍ତ ଆଦେଶନାମା ପ୍ରକାଶ ପାଇବା ପରେ ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଛନକା ପଶିଥିବା ସାଧାରଣରେ ଆଲୋଚନା ହେଉଛି ।




