ହକି ବିଶ୍ୱକପ୍ ୫ ମହାନଗର ନିଗମକୁ ଦାୟିତ୍ୱ ,ରାଉରକେଲାରେ ଆରମ୍ଭ ହେବ ‘ମୋ ବସ’ ସେବା
ଭୁବନେଶ୍ବର : ଆସନ୍ତାବର୍ଷ ଓଡ଼ିଶାରେ ହେବାକୁ ଯାଉଛି ହକି ମହାକୁମ୍ଭ I ପୁରୁଷ ହକି ବିଶ୍ୱ କପ୍ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ I ଏହି ଅବସରରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ୍ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍ ଉତ୍ସବ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି […]
ଭୁବନେଶ୍ବର : ଆସନ୍ତାବର୍ଷ ଓଡ଼ିଶାରେ ହେବାକୁ ଯାଉଛି ହକି ମହାକୁମ୍ଭ I ପୁରୁଷ ହକି ବିଶ୍ୱ କପ୍ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ I ଏହି ଅବସରରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ୍ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍ ଉତ୍ସବ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା।ଏଥିରେ ବିଶ୍ବକପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯିବା ସହ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ମୁତାବକ, କଟକ ବାରବାଟୀ ଷ୍ଟାଡିୟମ୍ ସମେତ ୫ ମହାନଗର ନିଗମ (ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର)ରେ ହକି ବିଶ୍ବକପ୍ ଉତ୍ସବ ପାଳନ କରାଯିବ। ଓଡ଼ିଶାର ଅଧିକାଂଶ ଜିଲ୍ଲା ସହ ସାରା ଦେଶରେ ଏହି ହକି ବିଶ୍ବକପ୍ ଟ୍ରଫି ପ୍ରଦର୍ଶନ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ସମୟରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ। ସ୍କୁଲ ଓ କଲେଜ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଶିଶୁମାନଙ୍କ ସମେତ ସମସ୍ତଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ।
ରାଉରକେଲା ବିମାନବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ। ଖେଳାଳି ଓ ମ୍ୟାଚ୍ ଅଫିସିଆଲମାନଙ୍କ ଯାତାୟାତ ପାଇଁ ଚାର୍ଟର୍ଡ ବିମାନର ବ୍ୟବସ୍ଥା କରାଯାଉଛି। ଏହା ବାଦ୍ ଭୁବନେଶ୍ବରରେ ସଫଳତାର ସହ ସେବା ଯୋଗାଉଥିବା ‘ମୋ ବସ୍’ ସେବା ମଧ୍ୟ ରାଉରକେଲାରେ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ୧୦୦ଟି ନୂଆ ବସ୍ ଚଲାଇବାକୁ ଯୋଜନା ହୋଇଛି।
ଭୁବନେଶ୍ବରରେ କଳିଙ୍ଗ ହକି ଷ୍ଟାଡିୟମ୍ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ। ଉଭୟ ଷ୍ଟାଡିୟମ୍ରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ୍ ଲାଇଟ୍ କାମ ଶେଷ ହୋଇଛି। ଖେଳାଳି ଓ ମ୍ୟାଚ୍ କର୍ମକର୍ତ୍ତାମାନଙ୍କ ରହଣି ପାଇଁ ୨୨୫ଟି ରୁମ୍ ପ୍ରସ୍ତୁତ ହେଉଛି। ଆୟୋଜକ କମିଟି ଓ ବିଭିନ୍ନ ସବ୍-କମିଟି ମଧ୍ୟ ପ୍ରସ୍ତୁତି ଚାରି ରଖିଛନ୍ତି। ଏହାକୁ ସଂପୂର୍ଣ୍ଣ ନିରାପଦ ବା ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହି ବିଶ୍ବକପ୍ ଯେଭଳି ଏକ ଭବ୍ୟ ଉତ୍ସବ ଭାବେ ସ୍ମରଣୀୟ ହୋଇ ରହିବ, ସେଥିପାଇଁ ବିଭାଗୀୟ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଭୁବନେଶ୍ବର ଓ ରାଉରକେଲାଠାରେ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ୍ ଅନୁଷ୍ଠିତ ହେବ। ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ବରରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ।




