ବିନା ଭକ୍ତରେ ବାହୁଡିଲେ ମହାବାହୁ; ସିଂହଦ୍ୱାର ସମ୍ମୁଖରେ ତିନିରଥ
ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡିଛନ୍ତି । କୋଭିଡ୍ ଜନିତ କଟକଣା ଯୋଗୁଁ ଗତବର୍ଷ ଭଳି ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି ଶ୍ରୀଜିଉ ମାନଙ୍କ ବାହୁଡା ଯାତ୍ରା । ସନ୍ଧ୍ୟା […]
ପୁରୀ: ଜୁଲାଇ ୨୦: ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥି ରେ ସଂପନ୍ନ ହୋଇଛି ମହାପ୍ରଭୁ ଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରା ରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ଆଡପ ମଣ୍ଡପ ରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡିଛନ୍ତି । କୋଭିଡ୍ ଜନିତ କଟକଣା ଯୋଗୁଁ ଗତବର୍ଷ ଭଳି ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସଂପନ୍ନ ହୋଇଛି ଶ୍ରୀଜିଉ ମାନଙ୍କ ବାହୁଡା ଯାତ୍ରା ।
ସନ୍ଧ୍ୟା ୬ଟା୧୦ ମିନିଟ୍ ସୁଦ୍ଧା ରଥାରୂଢ ଶ୍ରୀଜିଉ ମାନଙ୍କ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଂଚିଛି I ନିର୍ଦ୍ଧିାରିତ ସମୟର ୧୦ ମିନିଟ୍ ବିଳମ୍ବରେ ଅର୍ଥାତ୍ ଭୋର ୪ଟା୧୦ ମିନିଟ୍ ରେ ହୋଇଥିଲା ମହାପ୍ରଭୁ ଙ୍କ ମଙ୍ଗଳଆଳତୀ । ପରେ ମଇଲମ,ତଡପଲାଗି,ରୋଷହୋମ,ଅବକାଶ,ସୂର୍ଯ୍ୟପୁଜା,ଦ୍ୱାରପାଳ ପୁଜା ଆଦି ନୀତି ସକାଳ ୫ଟା୪୦ ମିନିଟ୍ ସୁଧା ଶେଷ ହୋଇଥିଲା । ସକାଳ ୭ଟା ସୁଧା ଗୋପାଳବଲ୍ଲଭ ଓ ସକାଳଧୂପ ରେ ଖେଚେଡି ଭୋଗ ସଂପନ୍ନ ହୋଇଥିଲା ।
ଏହାପରେ ନିର୍ଦ୍ଧାରିତ ନୀତି ନିର୍ଘଂଟ ର ୪ଘଂଟା ପୂର୍ବରୁ ଅର୍ଥାତ୍ ୭ଟା୪୫ ମିନିଟ୍ ରେ ମଙ୍ଗଳାର୍ପଣ ଓ ୭ଟା୪୦ରେ ଆରମ୍ଭ ହୋଇଥିଲା ବାହୁଡା ପହଣ୍ଡି ।ସକାଳ ୧୦ଟା୨୦ ମିନିଟ ସୁଦ୍ଧା ବାହୁଡା ପହଣ୍ଡି ଶେଷ ହୋଇଥିଲା । ଘଂଟଘଂଟା ଧ୍ୱନୀ ମଧ୍ୟରେ ଛତ୍ର ଚାମର ପଟୁଆର ରେ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ପରେ ପ୍ରଭୁ ବଳଭଦ୍ର,ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଙ୍କୁ ପହଣ୍ଡି ବିଜେ କରାଯାଇଥିଲା ।
ଟାହିଆ ର ଦୋଳନ ମଧ୍ୟରେ ଶ୍ରୀଜଗନ୍ନାଥ ଙ୍କୁ ପହଣ୍ଡି ରେ ଅଣାଯାଇ ରଥାରୂଢ କରାଯିବା ପରେ ଶ୍ରୀଜିଉ ଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିଜେ ହୋଇ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥରେ ପରେ ରାମକୃଷ୍ଣ ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ । ପରେ ଗଜପତି ମହାରାଜ ଦିବ୍ୟସିଂହଦେବ ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ସମାପିତ ହେଇଥିଲା I
ଏହାପରେ ଚାରମାଳ ଫିଟାଯାଇ ରଥରେ ଘୋଡା ସଂଯୋଗ କରାଯାଇଥିଲା । ୧୨ଟା୨୦ ମିନିଟ୍ ସମୟରେ ପ୍ରଥମେ ପ୍ରଭୁ ବଳଭଦ୍ର ଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ମଧ୍ୟାହ୍ନ ୧୨ଟା୫୫ ରେ ଦେବୀ ସୁଭଦ୍ରା ଙ୍କ ଦର୍ପଦଳନ ରଥ ଓ ୧ଟା୨୦ ରେ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ରଥଯାତ୍ରା ଭଳି ବାହୁଡା ଯାତ୍ରା ରେ ମଧ୍ୟ କେବଳ ସେବାୟତ ମାନେ ରଥ ଟାଣିଥିଲେ ।
ପୁରୀ ଏସପି କନଓାର ବିଶାଲ ସିଂ ଙ୍କ ତତ୍ୱାବଧାନ ରେ ତାଳଧ୍ୱଜ ରଥ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଙ୍କ ତତ୍ୱାବଧାନରେ ଦେବଦଳନ ଓ ଜିଲାପାଳ ସମର୍ଥ ବର୍ମା ଙ୍କ ତତ୍ୱାବଧାନରେ ନନ୍ଦିଘୋଷ ରଥ ଟଣାଯାଇଥିଲା ।
ପରମ୍ପରା ଅନୁଯାୟୀ ସିଂହଦ୍ୱାର ଅଭିମୁଖେ ଯାତ୍ରା କରୁଥିବା ରଥ ମାଉସୀ ମାଆ ମନ୍ଦିର ସମ୍ମୁଖରେ ଅଟକିଥିଲା । ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଥିଲା ।ମାଉସୀ ମାଆ ମନ୍ଦିର ପକ୍ଷରୁ ଶ୍ରୀଜଗନ୍ନାଥ ଙ୍କୁ ପୋଡପିଠା ଭୋଗ କରାଯାଇଥିଲା ।ଅପରାହ୍ନ ୩ଟା୫୦ ରେ ତାଳଧ୍ୱଜ ରଥ ଓ ୪ଟା୩୦ ସୁଧା ଦେବଦଳନ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଂଚିଥିଲା ।
ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଥିଲା । ମହାଲକ୍ଷ୍ମୀ ପଟୁଆର ରେ ଶ୍ରୀମନ୍ଦିର ରୁ ଶ୍ରୀନଅର ସମ୍ମୁଖକୁ ବିଜେ କରିଥିଲେ । ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜ ଦିବ୍ୟସିଂହଦେବ ଲକ୍ଷ୍ମୀନାରାୟଣ ଭେଟ କରାଇଥିଲେ ।
ଲକ୍ଷ୍ମୀନାରାୟଣ ଭେଟ ନୀତି ସଂପନ୍ନ ହେବା ପରେ ନନ୍ଦିଘୋଷ ରଥ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରି ସନ୍ଧ୍ୟା ୬ଟା୧୦ ମିନିଟ୍ ସୁଧା ପହଂଚିଯାଇଥିଲା ।
ରଥଯାତ୍ରା ଲାଗି ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା । ବଡଦାଣ୍ଡ କୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ କୁ ବ୍ୟାରିକେଡ କରି ସିଲ୍ କରିଦିଆଯାଇଥିଲା । ବ୍ୟାରିକେଡ ସମ୍ମୁଖରେ ସୁରକ୍ଷା କର୍ମୀ ଙ୍କୁ ନିୟୋଜିତ କରାଯାଇଥିଲା । ବଡଦାଣ୍ଡ ରେ ଥିବା ଘରର ଛାତ ଉପରେ ପୁଲିସ ପହରା ବ୍ୟବସ୍ଥା କରାଯାଇଥିବା ବେଳେ ଡ୍ରୋନ କ୍ୟାମେରା ସହାୟତା ରେ ରଥଯାତ୍ରା ଓ ବଡଦାଣ୍ଡ ର ଚିତ୍ର ଉତୋଳନ କରାଯିବା ସହିତ ରଥଯାତ୍ରା ର ସଂପୂନ୍ନ ଭିଡିଓ ଗ୍ରାଫି କରାଯାଇଥିଲା ।
ଲୋକମାନେ ଘରେ ରହି ଟେଲିଭିଜନ ଜରିଆରେ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ଦେଖିଥିଲେ । ପୁଲିସ ମହାନିର୍ଦେଶକ ଅଭୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଥିଲେ । ସୁରକ୍ଷା ଦାୟିତ୍ୱରେ ୬୫ ପ୍ଲାଟୁନ୍ ଫୋର୍ସ ୨୨୨ ଜଣ ଏସଆଇ ଓ ଏଏସଆଇ ଙ୍କୁ ନିୟୋଜିତ କରାଯାଇଥିଲା ।ତଦାରଖ ଦାୟିତ୍ୱରେ ୬୪ ଜଣ ଇନିସପେକ୍ଟର ,୩୧ ଜଣ ଡିଏସପି ଓ ୧୦ ଜଣ ଅତିରିକ୍ତ ଏସପି ନିୟୋଜିତ ହୋଇଥିଲେ । ମହାପ୍ରଭୁ ଙ୍କ ବାହୁଡଯାତ୍ରା ସୁରୁଖୁରୁ ରେ ସରିଛି ।ରଥଟଣା ନୀତି ବହୁ ପୂର୍ବରୁ ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଛନ୍ତି ।ବିଭିନ୍ନ ବିଭାଗର ସହଯୋଗ ଯୋଗୁଁ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ଯେଭଳି ସଂପନ୍ନ ହୋଇଛି ସୁନାବେଶ ମଧ୍ୟ ସୁରୁଖୁରୁ ରେ ସଂପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ଆଶାବ୍ୟକ୍ତ କରିଛନ୍ତି ।




