ଛେଳି ପାଇବ ଜାତୀୟ ମାନ୍ୟତା, ରୋଗ ପ୍ରତିରୋଧକ ଶକ୍ତି ଅଧିକ

କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏହି ବ୍ଲକରେ ଲୋକେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁ ପାଳନ କରିଥାନ୍ତି । ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍‌୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହା ଏକ ସ୍ଥାନୀୟ ପ୍ରଜାତି, ଯାହାର ରଙ୍ଗ ମୁଖ୍ୟତଃ ବାଦାମୀ, ବାଦାମୀ କଳା କିମ୍ବା ବାଦାମୀ ଧଳା । ଏହି ଛେଳିର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଏକ କଳା […]

Samaya Live Picture
Published On

କୋରାପୁଟ : କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ । ଏହି ବ୍ଲକରେ ଲୋକେ ସାଧାରଣତଃ ଛେଳି ଓ ଅନ୍ୟ ଗୃହପାଳିତ ପଶୁ ପାଳନ କରିଥାନ୍ତି । ତେବେ ନାରାୟଣପାଟଣା ଛେଳି ଏହି ସ୍ଥାନରେ ଏକ ସ୍‌୍ୱତନ୍ତ୍ର ପରିଚୟ ହାସଲ କରିଛି । ଏହା ଏକ ସ୍ଥାନୀୟ ପ୍ରଜାତି, ଯାହାର ରଙ୍ଗ ମୁଖ୍ୟତଃ ବାଦାମୀ, ବାଦାମୀ କଳା କିମ୍ବା ବାଦାମୀ ଧଳା । ଏହି ଛେଳିର ମୁଣ୍ଡଠାରୁ ଲାଞ୍ଜ ପର୍ଯ୍ୟନ୍ତ ଏକ କଳା ରଙ୍ଗର ପଟି ଭଳି ଲୋମ ଦେଖିବାକୁ ମିଳେ । ଏହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏବଂ ମୁଖ୍ୟତଃ ଜାଆଁଳା ପିଲା ଜନ୍ମ କରିଥାଏ । ଏହି ପ୍ରଜାତିର ଛେଳି ପାଳନ କରି ଏହି ଅଞ୍ଚଳର ଲୋକେ ଲାଭବାନ ହୋଇଥାନ୍ତି ।
ନିକଟରେ ଏହି ଛେଳିକୁ ଜାତୀୟ ମାନ୍ୟତା ଦେବା ଉଦ୍ଦେଶ୍ୟରେ ପ୍ରୟାସ ଆରମ୍ଭ ହୋଇଛି । ପୂର୍ବରୁ ଏହି ଛେଳିର ଗୁଣବତ୍ତା ବିଷୟରେ ଜାଣିବା ପାଇଁ ବହୁ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ । ନିକଟରେ (ଡବ୍ଲୁଏଏସ୍‌ଏସ୍‌ଏନ୍‌) ୱାଟର ସେଡ୍‌ ସପୋର୍ଟ ଆଣ୍ଡ୍‌ ସର୍ଭିସେସ୍‌ ଆକଫିଭିଟିଜ ତରଫରୁ ୪ ଜଣିଆ ବିଶେଷଜ୍ଞ ଦଳ ନାରାୟଣପାଟଣା ପହଞ୍ଚି ଏହି ଛେଳିର ଗୁଣବତ୍ତା, ପରିବେଶ, ଗଠନଶୈଳୀ ପ୍ରକାରଭେଦ ବିଷୟରେ ଅନୁଧ୍ୟାନ କରିଥିଲେ । ଏହି ଛେଳି ପ୍ରଜାତିର ପ୍ରକାର ଅନ୍ୟ ଛେଳିଠାରୁ ଭିନ୍ନ ବୋଲି କହିଥିଲେ । ଏହାର ନମୁନା ସଂଗ୍ରହ କରି ପରେ ଏହାକୁ ‘ନ୍ୟାସନାଲ ବୁ୍ୟରୋ ଅଫ୍‌ ଆନିମଲ୍‌ ଜେନେଟିକ୍ସ ରିସୋର୍ସ’ରେ ସ୍ଥାନ ପାଇବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି କରାଯିବ ବୋଲି ବିଶେଷଜ୍ଞ ଦଳ କହିଥିଲେ । ନାରାୟଣପାଟଣା ପ୍ରାଣୀ ଚିକିତ୍ସାଳୟର ଡାକ୍ତର ଦେବାଶିଷ ଶତପଥୀଙ୍କ କହିବା ଅନୁଯାୟୀ, ଏହି ପ୍ରଜାତିର ସଂରକ୍ଷଣ ନିହାତି ଆବଶ୍ୟକ ଏବଂ ଏହି ଦିଗରେ ଲୋକେ ସଚେତନ ହେବା ଆବଶ୍ୟକ । ଯଦି ଏହି ପ୍ରଜାତିକୁ ଜାତୀୟ ମାନ୍ୟତା ମିଳନ୍ତା, ଏହା ଓଡ଼ିଶା ଏବଂ କୋରାପୁଟ ଜିଲ୍ଲା ପାଇଁ ଗର୍ବର କଥା ବୋଲି କହିଥିଲେ ଡାକ୍ତର ରାଜେଶ କୁମାର ସାହୁ ।