ଅସ୍ତ୍ରୋପଚାର ବେଳେ ତ୍ରୁଟି, ହାତ ହରାଇବେ ମହିଳା

ଟିଟିଲାଗଡ଼ : ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଏକ ତ୍ରୁଟି ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କୁ ଏକ ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଛି । ଏଥିପାଇଁ ସମ୍ପୃକ୍ତ ମହିଳାଙ୍କୁ ହାତ ହରାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଏହା ଜାଣିବାପରେ ମହିଳାଙ୍କ ପରିବାର ଲୋକେ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା ଡାକ୍ତର, ଫାର୍ମାସିଷ୍ଟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି । […]

Samaya Live Picture
Published On

ଟିଟିଲାଗଡ଼ : ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଏକ ତ୍ରୁଟି ସାମ୍ନାକୁ ଆସିଛି । ଅସ୍ତ୍ରୋପଚାର ସମୟରେ ଜଣେ ମହିଳାଙ୍କୁ ଏକ ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଛି । ଏଥିପାଇଁ ସମ୍ପୃକ୍ତ ମହିଳାଙ୍କୁ ହାତ ହରାଇବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଏହା ଜାଣିବାପରେ ମହିଳାଙ୍କ ପରିବାର ଲୋକେ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା ଡାକ୍ତର, ଫାର୍ମାସିଷ୍ଟଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି ।

ଏହି ମହିଳା ହେଲେ, ବଲାଙ୍ଗିର ଜିଲ୍ଲା ସଇନ୍ତଳା ବ୍ଲକ୍‌ କରମତଳା ଗାଁର ସୁମିତ୍ରା ରଣା । ଅଭିଯୋଗ ଅନୁସାରେ, କରମତଳା ଗାଁର ସୁଧୀର ରଣା ଓ ସୁମିତ୍ରା ରଣାଙ୍କ ଦୁଇଟି ସନ୍ତାନ ଅଛନ୍ତି । ଏହି ଦମ୍ପତି ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଗାଁର ଆଶାକର୍ମୀ ବିନୋଦିନୀ ରଣାଙ୍କୁ ଯୋଗାଯୋଗ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଗତ ମାର୍ଚ୍ଚ ୭ ତାରିଖ ଦିନ ସୁମିତ୍ରାଙ୍କୁ ଆଶାକର୍ମୀ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଅସ୍ତ୍ରୋପଚାର ପୂର୍ବରୁ ଟିଟିଲାଗଡ଼ ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ବଳରାମ ସାହୁ ଓ ସଇନ୍ତଳା ଫାର୍ମାସିଷ୍ଟ ଜେମିନୀ କୁମାର ମେହେର ଏକ ଇଂଜେକ୍ସନ ସୁମିତ୍ରାଙ୍କ ହାତରେ ଦେଇଥିଲେ । ଏହାପରେ ସୁମିତ୍ରାର ହାତ ଦରଜ ହେବା ସହ ଜଳିବାକୁ ଲାଗିଲା । ଏନେଇ ସେ ଫାର୍ମାସିଷ୍ଟ ଶ୍ରୀ ମେହେରଙ୍କୁ ଜଣାଇଥିଲେ । ଘଣ୍ଟାଏ କାଳ ଏମିତି ପୀଡ଼ା ରହିବ ବୋଲି ସେ କହିଥିଲେ । ଏହିସମୟ ମଧ୍ୟରେ ଡା. ସାହୁ ଅସ୍ତ୍ରୋପଚାର କରି ଘରକୁ ପଠାଇ ଦେଇଥିଲେ । ତଥାପି ଜଳାପୋଡ଼ା ନ କମିବାରୁ ପୁଣି ସଇଁନ୍ତଳା ସିଏଚସି କୁ ଆସି ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଦେଖାଇଥିଲେ । ହାତର ପାପୁଲି କଳା ପଡିଯାଇଥିଲା ଓ ଚମଡ଼ା ସବୁ ଫାଟିବାକୁ ଲାଗିଥିଲା । ତୁରନ୍ତ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରିବାକୁ ଫାର୍ମାସିଷ୍ଟ କହିଥିଲେ । ବଲାଙ୍ଗିର ଡାକ୍ତରଖାନାରେ ମଧ୍ୟ ବିନା ଚିକିତ୍ସାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ।

ହେଲେ, ବୁର୍ଲାରେ ମଧ୍ୟ ସମାନ ଦୁର୍ଦଶା ଭୋଗିବାକୁ ପଡ଼ିଥିଲା ଏହି ଦମ୍ପତିଙ୍କୁ । ସେଠାରୁ ମଧ୍ୟ କୌଣସି ଚିକିତ୍ସା ନକରି କଟକକୁ ରେଫର୍‌ କରାଯାଇଥିଲା । ସୁଧୀର କଟକର ଏକ ଘରୋଇ ଡାକ୍ତରଖାନାରେ ସୁମିତ୍ରାଙ୍କୁ ଭର୍ତ୍ତି କରିବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖାଇଥିଲେ । ହେଲେ ଉକ୍ତ ଚିକିତ୍ସାଳୟରେ ସ୍ୱାସ୍ଥ୍ୟକାର୍ଡ କାମ ନଦେବାରୁ ବାଧ୍ୟ ହୋଇ ସୁମିତ୍ରାଙ୍କ ସୁନା ଗହଣା ବିକିବା ସହ ଧାର କରଜ କରି ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ତଥାପି କୌଣସି ଉନ୍ନତି ହୋଇନଥିଲା । ପରେ ପୁଣି ତାଙ୍କ ସ୍ତ୍ରୀଙ୍କୁ ନେଇ କଟକ ଏସସିବି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଧୀର ।

ହେଲେ, ଆହୁରି ଅଧିକ ଯନ୍ତ୍ରଣା ହେବା ସହ ହାତଟି ସମ୍ପୂର୍ଣ ଭାବେ କାଟିବାକୁ ଡାକ୍ତର ପରାମର୍ଶ ଦେବାରୁ ଏବେ ପରିବାର ଉପରେ ଚଡ଼କ ପଡ଼ିଛି । ଏହି ଘଟଣାର ଉଚିତ ତଦନ୍ତ କରିବା ସହ ପୀଡ଼ିତା ସୁମିତ୍ରାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହେଉଛି । ଏନେଇ ସମ୍ପୃକ୍ତ ଡାକ୍ତର ସାହୁଙ୍କୁ ଯୋଗାଯୋଗ କରିବାରୁ ଅସ୍ତ୍ରୋପଚାରରେ କୌଣସି ତ୍ରୁଟି ନଥିଲା, ଫାର୍ମାସିଷ୍ଟ କେଉଁ ଇଂଜେକ୍ସନ ଦେଲେ ତାହା ସେ ହିଁ କହିପାରିବେ ବୋଲି କହିଥିଲେ ।

ଅନ୍ୟପକ୍ଷରେ ଫାର୍ମାସିଷ୍ଟ ଏହି ଘଟଣାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକ୍ସନ ଦେଇଥିବା କହିଛନ୍ତି । ସିଡିଏମ୍‌ଓ ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଜିଲ୍ଲା ସ୍‌୍ୱାସ୍ଥ୍ୟ ବିଭାଗ ସୁମିତ୍ରାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି କହିଛନ୍ତି ।