କାହିଁକି ମଧ୍ୟ ପ୍ରାଚ୍ୟକୁ ସେନା ପଠାଉଛି ଆମେରିକା
ଆମେରିକା ଯେତେବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି, ସେତେବେଳେ ଇରାନ ପାଇଁ ଆମେରିକା ଉପରେ ବିଶ୍ୱାସ କରିବା ସମ୍ଭବ ହୋଇପାରୁନି। ଇରାନର ଦୃଷ୍ଟିକୋଣରୁ, ଆମେରିକା ପୂର୍ବରୁ ମଧ୍ୟ ବହୁଥର ବିଶ୍ୱାସଘାତ କରିଛି, ଗୋଟେପଟେ ଆମେରିକା ଯୁଦ୍ଧବିରତିର କଥା କହୁଛି, ଅନ୍ୟପଟେ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ସେନା ପଠାଇବାର ପ୍ରସ୍ତୁତି ଚାଲିଛି। ଏହି ଦୁଇମୁଖୀ ନୀତି ଇରାନର ସନ୍ଦେହକୁ ଆହୁରି ଗଭୀର କରିଦେଇଛି। ତେଣୁ ଇରାନ ତୁର୍କୀ, ପାକିସ୍ତାନ ଓ ଅନ୍ୟ ମଧ୍ୟସ୍ଥ ଦେଶମାନଙ୍କୁ ସ୍ପଷ୍ଟ କରିଦେଇଛି ଯେ ସେମାନେ ଆମେରିକାର ଆଶ୍ୱାସନରେ ବିଶ୍ୱାସ କରିବା ମୁର୍ଖାମୀ ସହ ସମାନ ।
ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ଆଜି ବିଶ୍ୱ ରାଜନୀତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଉଠିଛି। ଇରାନର ମତ ଅନୁସାରେ, ଯେତେବେଳେ ଆମେରିକା ଗୋଟେପଟେ ଶାନ୍ତି ଆଲୋଚନାର କଥା କହୁଛି, ସେତେବେଳେ ଅନ୍ୟପଟେ ତାର ସେନାକୁ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ କାହିଁକି ପଠାଉଛିା ଗତ କିଛି ଦିନ ଧରି ଏହି ଯୁଦ୍ଧ ଆହୁରୀ ବେସି ବଢୁଛିା ବିଭିନ୍ନ ଖବର ଅନୁସାରେ, ଆମେରିକା ହଜାର ହଜାର ସୈନ୍ୟ ଓ ଯୁଦ୍ଧ ସାମଗ୍ରୀକୁ ମଧ୍ୟପ୍ରାଚ୍ୟକୁ ପଠାଇବାରେ ଲାଗିଛି। ଏହାକୁ ଇରାନ ଏକ ସାଧାରଣ ସୁରକ୍ଷା ପଦକ୍ଷେପ ଭାବେ ନୁହେଁ, ବରଂ ଆଗାମୀ ସମ୍ଭାବ୍ୟ ଯୁଦ୍ଧର ସଙ୍କେତ ଭାବେ ଦେଖୁଛି। ଇରାନୀ ଅଧିକାରୀମାନେ ତୁର୍କୀ, ପାକିସ୍ତାନ ଓ ଅନ୍ୟାନ୍ୟ ମଧ୍ୟସ୍ଥ ଦେଶମାନଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଯେ ସେମାନେ ଆମେରିକାର କଥାରେ ଆଉ ବିଶ୍ୱାସ କରିପାରିବେ ନାହିଁ।ଏହି ଅବିଶ୍ୱାସ ପଛରେ ଇତିହାସ ମଧ୍ୟ ଲୁଚି ରହିଛିା ଇରାନ ଭାବୁଛି ଯେ ଆମେରିକା ପୂର୍ବରୁ ବହୁବାର ଚୁକ୍ତି କୁ ଭାଙ୍ଗିଛିା । ସେଥିପାଇଁ ବର୍ତ୍ତମାନର ପାଞ୍ଚ ଦିନିଆ ଅସ୍ତ୍ରବିରତି ଘୋଷଣାକୁ ମଧ୍ୟ ଇରାନ ଏକ ଚାଲ ବୋଲି ଭାବୁଛି। ଇରାନ ମତରେ, ଯଦି ସତରେ ଆମେରିକା ଶାନ୍ତି ଚାହୁଁଥାନ୍ତା ତେବେ ମଧ୍ୟପ୍ରାଚ୍ୟକୁ ସାମରିକ ଶକ୍ତି ଯୋଗଇନଥାନ୍ତା ଏହି ତଣାତଣି ମଧ୍ୟରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଓ ପ୍ରତ୍ୟାକ୍ରମଣ ଚାଲିଛି। ଡ୍ରୋନ୍ ଆକ୍ରମଣ, କ୍ଷେପଣାସ୍ତ୍ର ଆକ୍ରମଣ ଓ ସାମରିକ ଘାଟି ଉପରେ ହମଲା ଏହାର ଉଦାହରଣ। କିଛି ଭିଡିଓ ଓ ରିପୋର୍ଟରେ ଦେଖାଯାଇଛି ଯେ ଇରାକ ଓ ଇସ୍ରାଏଲର କିଛି ଅଞ୍ଚଳରେ ବିସ୍ଫୋରଣ ଘଟିଛି, ଯାହା ଏହି ସଂଘର୍ଷକୁ ଆଉ ଗଭୀର କରିଛି। ଆମେରିକାର ପକ୍ଷରୁ କୁହାଯାଉଛି ଯେ ତାଙ୍କର ଲକ୍ଷ୍ୟ ହେଉଛି ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା। କିନ୍ତୁ ଇରାନ ଏହାକୁ ଏକ ହସ୍ତକ୍ଷେପ ଭାବେ ଦେଖୁଛି। ବିଶ୍ଳେଷକମାନଙ୍କ ମତରେ, ଯଦି ଏହି ସଂଘର୍ଷ ଆଉ ବଢ଼େ, ତେବେ ତିନୋଟି ପରିସ୍ଥିତି ହୋଇପାରେ। ପ୍ରଥମତଃ, ସୀମିତ ସ୍ଥଳ ଯୁଦ୍ଧ, ଯେଉଁଠାରେ କେବଳ ସୀମା ଅଞ୍ଚଳରେ ଛୋଟ ଛୋଟ ଯୁଦ୍ଧ ହେବ। ଦ୍ୱିତୀୟତଃ, ଇରାନ ଭିତରେଗଭୀର ସାମରିକ ଆକ୍ରମଣ, ଯାହା ମହତ୍ତ୍ୱପୂର୍ଣ୍ଣ ସାମରିକ ଓ ପରମାଣୁ କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରିବ। ତୃତୀୟ ଓ ସବୁଠୁ ବିପଦପୂର୍ଣ୍ଣ ପରିସ୍ଥିତି ହେଉଛି ବିଶ୍ୱଯୁଦ୍ଧ, ଯାହା ସମଗ୍ର ଅଞ୍ଚଳକୁ ଅସ୍ଥିର କରିଦେବ।
ଯଦି ଏକ ବଡ଼ ଯୁଦ୍ଧ ଆରମ୍ଭ ହୁଏ, ତେବେ ତାହାର ପରିଣାମ ଭୟାବହ ହେବ। ଇରାନର ସୁରକ୍ଷା ବ୍ୟବସ୍ଥା “ମୋଜାଇକ୍ ଡିଫେନ୍ସ” ଉପରେ ଆଧାରିତ, ଅର୍ଥାତ୍ ସମଗ୍ର ଦେଶରେ ସେନା ଭିନ୍ନ ଭିନ୍ନ ସ୍ଥାନରେ ବିସ୍ତାରିତ। ତେଣୁ କେନ୍ଦ୍ରୀୟ ନେତୃତ୍ୱ ଦୁର୍ବଳ ହେଉଥିଲେ ମଧ୍ୟ, ସ୍ଥାନୀୟ ସେନା ଲଢ଼ାଇ ଜାରି ରଖିପାରିବ। ଏହା ଯୁଦ୍ଧକୁ ଆଉ ଦୀର୍ଘ ଓ ଜଟିଳ କରିଦେବ।ଏହା ସହିତ, ଏକ ବଡ଼ ସଂଘର୍ଷ ଇରାନର ଭିତରେ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ଆଣିପାରେ। ଅଧିକ କଠୋର ଶାସନ ବ୍ୟବସ୍ଥା ଗଠିତ ହୋଇପାରେ, ଯାହାର ପ୍ରଭାବ ମହିଳା ଓ ସଂଖ୍ୟାଲଘୁଙ୍କ ଉପରେ ପଡ଼ିପାରେ। ଏହା ସହିତ, ଇରାନ ଶୀଘ୍ର ପରମାଣୁ କ୍ଷମତା ହାସଲ କରିବାରେ ଲାଗିପାରେ, ଯାହା ବିଶ୍ୱ ସୁରକ୍ଷା ପାଇଁ ଆଉ ବଡ଼ ଚ୍ୟାଲେଞ୍ଜ ହେବ।ଏହି ସମସ୍ତ ପରିସ୍ଥିତି ଦେଖି ଏହା ସ୍ପଷ୍ଟ ଯେ ଏହି ସଂଘର୍ଷ କେବଳ ଦୁଇଟି ଦେଶର ମଧ୍ୟରେ ସୀମିତ ରହିବ ନାହିଁ। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିପାରେ, ବିଶେଷ କରି ତୈଳ ବଜାର, ବ୍ୟାପାର ଓ ଆନ୍ତର୍ଜାତୀୟ ସୁରକ୍ଷାରେ।ସେଥିପାଇଁ ବିଶ୍ଳେଷକମାନେ ମନେ କରନ୍ତି ଯେ ଯୁଦ୍ଧ ଠାରୁ ଶାନ୍ତିର ପଥକୁ ବାଛିବା ଅଧିକ ଜରୁରୀ। ଆଲୋଚନା ଓ କୂଟନୀତିକ ପଦକ୍ଷେପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଉଚିତ। କାରଣ ଯୁଦ୍ଧ କେବେବି ସ୍ଥାୟୀ ସମାଧାନ ନୁହେଁ, ବରଂ ଆଉ ବଡ଼ ସମସ୍ୟାର ଆରମ୍ଭ।



