ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ କିଏ ?

ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ କିଏ ?
Samaya Live News Picture
Published On

ଇସ୍ରାଏଲରେ ଏବେ କିଏ ଧରିବ କ୍ଷମତାର ମଙ୍ଗ? ଦୀର୍ଘଦିନ ଧରି ଇସ୍ରାଏଲର ରାଜନୀତିରେ ରାଜ୍ କରୁଥିବା ବେଞ୍ଜାମିନ୍ ନେତାନ୍ୟାହୁଙ୍କ ହାତରୁ କଣ ଖସିଯିବ ପ୍ରଧାନମନ୍ତ୍ରୀ ପଦ? ନା ଶେଷ ମୁହୂର୍ତ୍ତରେ ପୁଣି ଥରେ ବାଜି ମାରିନେବେ ନେତାନ୍ୟାହୁ? ଗୋଟିଏ ପଟେ ନୂଆ ସରକାର ଗଠନ ପାଇଁ ଅଙ୍କକଷା ଚାଲିଥିବା ବେଳେ ଅନ୍ୟପଟେ ନେତାନ୍ୟାହୁଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା।କିନ୍ତୁ ଇସ୍ରାଏଲର ରାଜନୈତିକ ଡ୍ରାମା ମଧ୍ୟରେ ଭାରତରେ ମଧ୍ୟ ଦୁଇଟି ବଡ଼ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । 

ଇସ୍ରାଏଲରେ ସରକାର ଗଠନକୁ ନେଇ ବଡ଼ ସସପେନ୍ସ ଇସ୍ରାଏଲରେ ନୂଆ ସରକାର ଗଠନକୁ ନେଇ ଏବେ ରାଜନୈତିକ ଉତ୍ତେଜନା ବଢ଼ିଛି। ବିରୋଧୀ ମେଣ୍ଟର ନେତା ଗାଡି ଆଇଜେନକୋଟଙ୍କୁ ସରକାର ଗଠନ ପାଇଁ ଦାୟିତ୍ୱ ଦେବା ନେଇ ଆଲୋଚନା ଚାଲିଛି। ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ଏବେ ସମସ୍ତଙ୍କ ନଜର ସଂସଦର ସଂଖ୍ୟାଗଣିତ ଉପରେ। ଇସ୍ରାଏଲର ସଂସଦରେ ମୋଟ ୧୨୦ଟି ଆସନ ରହିଛି। ସରକାର ଗଠନ କରିବା ପାଇଁ ଅତି କମରେ ୬୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। କିନ୍ତୁ ବର୍ତ୍ତମାନର ରାଜନୈତିକ ଚିତ୍ର ଦେଖିଲେ ଏହି ବହୁମତ ହାସଲ କରିବା ଏତେ ସହଜ ନୁହେଁ  । 

ନେତାନ୍ୟାହୁଙ୍କ ମେଣ୍ଟ ପାଖରେ ୫୩ଟି ଆସନ ଥିବା କୁହାଯାଉଥିବା ବେଳେ ବିରୋଧୀ ମେଣ୍ଟ ମଧ୍ୟ ଆବଶ୍ୟକ ସଂଖ୍ୟାଠାରୁ ପଛରେ ରହିଛି। ଏଭଳି ସ୍ଥିତିରେ ଆଇଜେନକୋଟଙ୍କୁ ଅନ୍ୟ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ।କିନ୍ତୁ ଏଠାରେ ରହିଛି ସବୁଠାରୁ ବଡ଼ ସମସ୍ୟା। ତାଙ୍କୁ ସମର୍ଥନ କରୁଥିବା ସମସ୍ତ ଦଳର ଚିନ୍ତାଧାରା ଏକାଭଳି ନୁହେଁ। ବିଶେଷ କରି ଆରବ ଦଳଗୁଡ଼ିକର ଆଭିମୁଖ୍ୟକୁ ନେଇ ମେଣ୍ଟ ଭିତରେ ମତଭେଦ ରହିଛି।

ଯଦି ଆରବ ଦଳଗୁଡ଼ିକୁ ସରକାରରେ ସାମିଲ କରାଯାଏ, ତେବେ ଅନ୍ୟ କିଛି ସହଯୋଗୀ ଦଳ ସମର୍ଥନ ପ୍ରତ୍ୟାହାର କରିପାରନ୍ତି। ଆଉ ଯଦି ସେମାନଙ୍କୁ ସାମିଲ କରାନଯାଏ, ତେବେ ବହୁମତ ପାଇବା କଷ୍ଟକର ହେବ।ଏହା ସହିତ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ସ୍ୱୀକାର କରିବା ପ୍ରସଙ୍ଗ ମଧ୍ୟ ରାଜନୈତିକ ଚର୍ଚ୍ଚାକୁ ଆହୁରି ଜଟିଳ କରିଛି। ଏହି ପ୍ରସଙ୍ଗରେ ଆରବ ଦଳଗୁଡ଼ିକର ନେତାଙ୍କ ଆଭିମୁଖ୍ୟ ଭିନ୍ନ ଥିବାରୁ ସରକାର ଗଠନର ରାସ୍ତା ସହଜ ହେଉନାହିଁ।

ଏପରି ସ୍ଥିତିରେ ଗୋଟିଏ ବିକଳ୍ପ ହେଉଛି ଆରବ ଦଳଗୁଡ଼ିକ ସରକାରରେ ସାମିଲ ନହୋଇ ବାହାରୁ ସମର୍ଥନ ଦେଇପାରନ୍ତି। ଏହାଦ୍ୱାରା ଆଇଜେନକୋଟ ଏକ ସଂଖ୍ୟାଲଘୁ ସରକାର ଗଠନ କରିବାର ସୁଯୋଗ ପାଇପାରନ୍ତି।ତେବେ ଏଭଳି ସରକାର ଚଳାଇବା ମଧ୍ୟ ସହଜ ନୁହେଁ। ପ୍ରତ୍ୟେକ ବଡ଼ ନିଷ୍ପତ୍ତି ପାଇଁ ତାଙ୍କୁ ଅନ୍ୟ ଦଳର ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ।

ନେତାନ୍ୟାହୁଙ୍କ ପାଖରେ ରହିଛି କି ପୁଣି ଫେରିବାର ସୁଯୋଗ?
ଏବେ ପ୍ରଶ୍ନ ହେଉଛି, ଯଦି ଆଇଜେନକୋଟ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ କ’ଣ ପୁଣି ଥରେ ନେତାନ୍ୟାହୁଙ୍କ ପାଇଁ ରାସ୍ତା ଖୋଲିଯିବ?

ନିୟମ ଅନୁସାରେ ପ୍ରଥମ ପ୍ରାର୍ଥୀ ବହୁମତ ହାସଲ କରିବାରେ ବିଫଳ ହେଲେ ଅନ୍ୟ ଜଣେ ନେତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ମିଳିପାରେ। ଏହି ସମୟରେ ନେତାନ୍ୟାହୁ ମଧ୍ୟ ନିଜର ସମର୍ଥନ ବଢ଼ାଇବାକୁ ଉଦ୍ୟମ କରିପାରନ୍ତି।କିନ୍ତୁ ତାଙ୍କ ପାଇଁ ମଧ୍ୟ ରାସ୍ତା କଣ୍ଟକିତ। କାରଣ ତାଙ୍କ ପାଖରେ ଆବଶ୍ୟକ ୬୧ ଜଣ ସାଂସଦଙ୍କ ସମର୍ଥନ ନାହିଁ।

ଯଦି ଉଭୟ ପକ୍ଷ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ ସଂସଦ ଭଙ୍ଗ ହୋଇ ନୂଆ ନିର୍ବାଚନର ରାସ୍ତା ଖୋଲିପାରେ। ସେପର୍ଯ୍ୟନ୍ତ କାମଚଳା ସରକାର ଭାବେ ନେତାନ୍ୟାହୁଙ୍କ ସରକାର କାର୍ଯ୍ୟ କରିପାରେ।ଏହା ପୂର୍ବରୁ ମଧ୍ୟ ଇସ୍ରାଏଲରେ ସରକାର ଗଠନକୁ ନେଇ ଏଭଳି ଅସ୍ଥିରତା ଦେଖାଯାଇଛି। ବାରମ୍ବାର ନିର୍ବାଚନ ହୋଇଥିଲେ ମଧ୍ୟ ସ୍ଥାୟୀ ସରକାର ଗଠନ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । 

ଏହି ପୂରା ଘଟଣା ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ନେତାନ୍ୟାହୁ ଏବଂ ଆଇଜେନକୋଟଙ୍କ ରାଜନୈତିକ ପ୍ରତିଯୋଗିତାକୁ ନେଇ ମତ ରଖିଛନ୍ତି। ତେଣୁ ଏବେ ଇସ୍ରାଏଲରେ କିଏ ସରକାର ଗଢ଼ିବ, ତାହା ଉପରେ କେବଳ ଇସ୍ରାଏଲ ନୁହେଁ, ଅନ୍ତର୍ଜାତୀୟ ରାଜନୀତିର ମଧ୍ୟ ନଜର ରହିଛି।

Tags: