ଆମେରିକା ଡାକରାରେ ଏକାଠି ହେଲେ ୩ ଦେଶ !

ଆମେରିକା ଡାକରାରେ ଏକାଠି ହେଲେ ୩ ଦେଶ !
Samaya Live News Picture
Published On

ଚାରି ବର୍ଷ ଧରି ଚାଲିଛି ଯୁଦ୍ଧ! ଆକାଶରେ କ୍ଷେପଣାସ୍ତ୍ରର ଗର୍ଜନ, ଆକ୍ରମଣ ପରେ ଆକ୍ରମଣ, ଆଉ ଯୁଦ୍ଧକ୍ଷେତ୍ରରେ ନିରୀହ ଲୋକଙ୍କ ଜୀବନ ଯାଉଛି । କେତେ ମାଆ ନିଜ ପୁଅକୁ ହରାଇଲେଣି, କେତେ ପରିବାର ନିଜ ଘର ଛାଡ଼ିବାକୁ ବାଧ୍ୟ ହେଲେଣି । କିନ୍ତୁ ଏବେ ଏହି ଯୁଦ୍ଧର ଅନ୍ତ ଘଟିବା ନେଇ ପୁଣିଥରେ ଆଶା ସୃଷ୍ଟି ହୋଇଛି । କାରଣ ଆବୁଧାବିରେ ଏକାଠି ହୋଇଛନ୍ତି ରୁଷ, ୟୁକ୍ରେନ ଏବଂ ଆମେରିକାର ପ୍ରତିନିଧି। ଦୀର୍ଘ ସମୟ ଧରି ଚାଲିଛି ଆଲୋଚନା । ଆମେରିକା କହୁଛି, ମତଭେଦ କମାଇବାକୁ ଉଦ୍ୟମ ହେଉଛି । ଅନ୍ୟପଟେ ୟୁକ୍ରେନ ଚାହୁଁଛି ସୁରକ୍ଷାର ଗ୍ୟାରେଣ୍ଟି, ରୁଷ ଚାହୁଁଛି ଡୋନବାସ ଅଞ୍ଚଳ ଉପରେ ନିଜ ଦାବିର ସମାଧାନ। ତେବେ ଏହି ଦୁଇ ଦେଶ ମଧ୍ୟରେ ଶାନ୍ତିର ରାସ୍ତା ବାହାର କରିପାରିବ କି ଆମେରିକା?ଆଉ ଏହି ପୂରା ଘଟଣା ମଧ୍ୟରେ ଭାରତର ଭୂମିକାକୁ ନେଇ ମଧ୍ୟ ବଢ଼ିଛି ଚର୍ଚ୍ଚା । ଭାରତ ଉଭୟ ଦେଶ ସହ ଯୋଗାଯୋଗରେ ରହିବା ସହ ଶାନ୍ତି ପାଇଁ ଦେଇଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ।

WhatsApp Image 2026-11-12 at 2.49.03 PM (2)

ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବାକୁ ଏବେ ପୁଣିଥରେ କୂଟନୈତିକ ପ୍ରୟାସ ଜୋରଦାର ହୋଇଛି। ଏଥିପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିରେ ରୁଷ, ୟୁକ୍ରେନ ଏବଂ ଆମେରିକାର ପ୍ରତିନିଧିଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ହୋଇଛି।ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଏହି ବୈଠକରେ ପ୍ରଥମ ଦିନର ଆଲୋଚନା ପ୍ରାୟ ସାଢ଼େ ଚାରି ଘଣ୍ଟା ଧରି ଚାଲିଥିଲା। ଦ୍ୱିତୀୟ ଦିନରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଥିଲା। ଆମେରିକା କହିଛି ଯେ ଦୁଇ ପକ୍ଷ ମଧ୍ୟରେ ଥିବା ମତଭେଦକୁ କମାଇବା ପାଇଁ ଉଦ୍ୟମ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଯୁଦ୍ଧବିରତି ଚୁକ୍ତି ହୋଇନାହିଁ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଥମ ଦିନର ଆଲୋଚନାକୁ ଗଠନମୂଳକ ଏବଂ ଅର୍ଥପୂର୍ଣ୍ଣ ବୋଲି କହିଛନ୍ତି। କିନ୍ତୁ ୟୁକ୍ରେନର ସବୁଠାରୁ ବଡ଼ ଚିନ୍ତା ହେଉଛି, ଯୁଦ୍ଧ ଶେଷ ହେବା ପରେ ରୁଷ ପୁଣିଥରେ ଆକ୍ରମଣ କରିପାରେ। ତେଣୁ ୟୁକ୍ରେନ ଏକ ଦୃଢ଼ ଏବଂ ନିର୍ଭରଯୋଗ୍ୟ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛି। ପ୍ରଥମେ ଯୁଦ୍ଧବିରତି ହେଉ ଏବଂ ତା'ପରେ ଭବିଷ୍ୟତର ସୁରକ୍ଷା ବ୍ୟବସ୍ଥା ନିର୍ଦ୍ଧାରଣ କରାଯାଉ ବୋଲି ୟୁକ୍ରେନର ମତ।କିନ୍ତୁ ରୁଷର ଦାବି ସମ୍ପୂର୍ଣ୍ଣ ଭିନ୍ନ। ମସ୍କୋ କେବଳ ୟୁକ୍ରେନ ସହ ଯୁଦ୍ଧର ସମାଧାନ ନୁହେଁ, ବରଂ ସମଗ୍ର ୟୁରୋପର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ଚାହୁଁଛି।

ରୁଷର ମୁଖ୍ୟ ଚିନ୍ତା ହେଉଛି ନାଟୋର ବିସ୍ତାର ଏବଂ ପୂର୍ବ ୟୁରୋପରେ ନାଟୋର ସାମରିକ ଉପସ୍ଥିତି। ରୁଷ ଏହାକୁ ନିଜ ସୁରକ୍ଷା ପାଇଁ ବିପଦ ବୋଲି ଦେଖୁଛି। ଏହା ସହିତ ୟୁକ୍ରେନ ନାଟୋରେ ସାମିଲ ହେବାର ଇଚ୍ଛା ଛାଡ଼ୁ ବୋଲି ମଧ୍ୟ ମସ୍କୋ ଚାହୁଁଛି।

ସବୁଠାରୁ ବଡ଼ ବିବାଦ ହେଉଛି ଡୋନବାସ ଅଞ୍ଚଳକୁ ନେଇ। ରୁଷ ଚାହୁଁଛି ୟୁକ୍ରେନ ଏହି ଅଞ୍ଚଳରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ। ଅନ୍ୟପଟେ ୟୁକ୍ରେନ ନିଜ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।ରୁଷ ତୁରନ୍ତ ଯୁଦ୍ଧବିରତି ପାଇଁ ମଧ୍ୟ ରାଜି ନୁହେଁ। ମସ୍କୋର ଯୁକ୍ତି ହେଉଛି, ଅସ୍ଥାୟୀ ଯୁଦ୍ଧବିରତି ହେଲେ ୟୁକ୍ରେନ ନିଜ ସାମରିକ ଶକ୍ତି ଓ ଅସ୍ତ୍ରଶସ୍ତ୍ରକୁ ଆହୁରି ମଜବୁତ କରିବାର ସୁଯୋଗ ପାଇବ। ତେଣୁ ଉଭୟ ପକ୍ଷର ଦାବି ମଧ୍ୟରେ ଏବେ ବି ରହିଛି ବଡ଼ ବ୍ୟବଧାନ। ତେବେ ଏହି ଆଲୋଚନାରେ କିଛି ମାନବିକ ପ୍ରସଙ୍ଗରେ ସହମତିର ଆଶା ରହିଛି। ଯୁଦ୍ଧବନ୍ଦୀଙ୍କ ଅଦଳବଦଳ ଏବଂ ସାଧାରଣ ନାଗରିକଙ୍କ ମୁକ୍ତି ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାକୁ ଶାନ୍ତି ପ୍ରକ୍ରିୟାର ଏକ ସମ୍ଭାବ୍ୟ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି ।

ଏବେ ଆସିବା ଭାରତର ଭୂମିକାକୁ।
ଏହି ଯୁଦ୍ଧର ଆରମ୍ଭରୁ ଭାରତ ଶାନ୍ତି ଓ ଆଲୋଚନା ମାଧ୍ୟମରେ ସମାଧାନ ଉପରେ ଗୁରୁତ୍ୱ ଦେଇଆସୁଛି। ଭାରତ ଉଭୟ ରୁଷ ଏବଂ ୟୁକ୍ରେନ ସହ ନିଜର କୂଟନୈତିକ ସମ୍ପର୍କ ବଜାୟ ରଖିଛି।

ଆବୁଧାବି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ଫୋନରେ କଥା ହୋଇଥିଲେ। ଏହା ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଥିଲା।ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଉଭୟ ପକ୍ଷ ସହ ଯୋଗାଯୋଗରେ ରହିଛି।ଏହି ସମୟରେ ଭାରତ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ସେଥିରେ ରହିଛି କଳା ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା, ଖାଦ୍ୟ ଓ ଶକ୍ତି ଯୋଗାଣରେ ବାଧା ନଦେବା ଏବଂ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବା।

କାରଣ କଳା ସାଗର କେବଳ ରୁଷ ଓ ୟୁକ୍ରେନ ପାଇଁ ନୁହେଁ, ବିଶ୍ୱର ଅନେକ ଦେଶ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୁଦ୍ର ପଥ ଦେଇ ଗହମ, ସୂର୍ଯ୍ୟମୁଖୀ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇଥାଏ।ଯଦି ଯୁଦ୍ଧ ଯୋଗୁଁ ଏହି ଜାହାଜ ଚଳାଚଳ ବାଧାପ୍ରାପ୍ତ ହୁଏ, ତେବେ ଏହାର ପ୍ରଭାବ କେବଳ ୟୁରୋପରେ ସୀମିତ ରହିବ ନାହିଁ। ଏସିଆ ଓ ଆଫ୍ରିକାର ଅନେକ ଦେଶରେ ଖାଦ୍ୟ ସଙ୍କଟ ଏବଂ ଦରବୃଦ୍ଧିର ଆଶଙ୍କା ବଢ଼ିପାରେ।ତେଣୁ ଭାରତର ପ୍ରସ୍ତାବ ହେଉଛି, ଯୁଦ୍ଧ ଯାହା ହେଉନା କାହିଁକି, ଖାଦ୍ୟ ଓ ଶକ୍ତି ଯୋଗାଣ ପାଇଁ ଥିବା ରାସ୍ତା ସୁରକ୍ଷିତ ରହିବା ଆବଶ୍ୟକ। ବାଣିଜ୍ୟିକ ଜାହାଜ, ନାବିକ ଏବଂ ସାଧାରଣ ବ୍ୟବସାୟିକ ପରିବହନ ଉପରେ ଆକ୍ରମଣ ହେବା ଉଚିତ ନୁହେଁ।

ଏହା ସହିତ ଆଉ ଏକ ବଡ଼ ପ୍ରଶ୍ନ ହେଉଛି ୟୁରୋପର ଭୂମିକା।
ଶାନ୍ତି ଆଲୋଚନାରେ ୟୁରୋପୀୟ ଦେଶଗୁଡ଼ିକର ଭୂମିକା କେତେ ରହିବ, ତାହାକୁ ନେଇ ମଧ୍ୟ ମତଭେଦ ରହିଛି। ରୁଷ ଚାହୁଁଛି ଯେ ୟୁରୋପୀୟ ଦେଶଗୁଡ଼ିକ ପ୍ରଥମେ ନିଜର ପ୍ରସ୍ତାବ ସ୍ପଷ୍ଟ କରନ୍ତୁ। ଅନ୍ୟପଟେ ୟୁରୋପର ସୁରକ୍ଷା ଓ ୟୁକ୍ରେନର ଭବିଷ୍ୟତକୁ ନେଇ ୟୁରୋପୀୟ ଦେଶଗୁଡ଼ିକର ମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଏହି ସବୁ ପ୍ରସଙ୍ଗକୁ ନେଇ ଆବୁଧାବିରେ ଆଲୋଚନା ଆଗକୁ ବଢ଼ୁଛି । ଯଦିଓ ତୁରନ୍ତ ଯୁଦ୍ଧବିରତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ, ତଥାପି କଥାବାର୍ତ୍ତା ଆରମ୍ଭ ହେବାକୁ ଏକ ସକାରାତ୍ମକ ସଙ୍କେତ ଭାବେ ଦେଖାଯାଉଛି।ଏବେ ସମଗ୍ର ବିଶ୍ୱର ନଜର ଆବୁଧାବି ଆଲୋଚନା ଉପରେ । କାରଣ ଏହା କେବଳ ଦୁଇଟି ଦେଶର ଯୁଦ୍ଧ ନୁହେଁ, ବରଂ ଏହାର ପ୍ରଭାବ ବିଶ୍ୱର ଅର୍ଥନୀତି, ଖାଦ୍ୟ ସୁରକ୍ଷା ଏବଂ ଶକ୍ତି ଯୋଗାଣ ଉପରେ ପଡ଼ୁଛି ।

ତେବେ ରୁଷ ନିଜ ଦାବିରୁ ଓହରିବ କି? ୟୁକ୍ରେନ ନିଜ ଅଞ୍ଚଳ ଓ ସୁରକ୍ଷାକୁ ନେଇ କୌଣସି ସାଲିସ କରିବ କି? ଆଉ ଆମେରିକା ଏହି ଦୁଇ ଦେଶ ମଧ୍ୟରେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି କରାଇବାରେ ସଫଳ ହେବ କି?ଏହି ପ୍ରଶ୍ନର ଉତ୍ତର ଏବେ ଭବିଷ୍ୟତର ଆଲୋଚନା ଉପରେ ନିର୍ଭର କରୁଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଯୁଦ୍ଧରେ କେହି ଜିତୁ କି ହାରୁ, ଶାନ୍ତି ହିଁ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ଼ ବିଜୟ ।

Tags: