୧୬ବର୍ଷରୁ କମ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ, ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯିବ ।
ପିଲାମାନଙ୍କୁ ସେମାନଙ୍କର ପିଲାଦିନ ଫେରାଇ ଦେବା ଏବଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏପରି ନିଷ୍ପତ୍ତି ନେଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର କହିଛନ୍ତି । ନୂଆ ନିୟମ ଅନୁଯାୟୀ ଟିକ୍ଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ୟୁଟ୍ୟୁବ୍, ଫେସବୁକ୍ ଓ ଏକ୍ସ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୧୬ ବର୍ଷରୁ କମ୍ ପିଲାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ବନ୍ଧୁ ଓ ପରିବାର ସହ ଯୋଗାଯୋଗରେ ରହିବା ପାଇଁ ହ୍ବାଟ୍ସଆପ୍ ଏବଂ ସିଗ୍ନାଲ ଭଳି ମେସେଜିଂ ଆପ୍ ଗୁଡ଼ିକୁ ଏହି ନିଷେଧାଦେଶରୁ ବାଦ୍ ଦିଆଯାଇଛି। ତା’ ସହିତ ଶିକ୍ଷା ସମ୍ପର୍କିତ ୱେବସାଇଟ୍ ମଧ୍ୟ ଖୋଲା ରହିବ।
ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକରେ ପିଲାମାନେ ଯେପରି କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କିମ୍ବା ଲାଇଭ୍-ଷ୍ଟ୍ରିମିଂ କରିପାରିବେ ନାହିଁ ସେଥିପାଇଁ କଡ଼ା ନିୟମ ଅଣାଯାଉଛି। ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସମ୍ପର୍କିତ ଆଇନ ସଂସଦରେ ଗୃହୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ୨୦୨୭ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ। ବୟସ ଯାଞ୍ଚ କରିବା ପାଇଁ କଡ଼ା ଡିଜିଟାଲ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ପୂର୍ବରୁ ସରକାର ଏକ ସର୍ଭେ କରିଥିଲେ ଯେଉଁଥିରେ ୯୦% ପିତାମାତା ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିବା ସପକ୍ଷରେ ମତ ଦେଇଥିଲେ।
ତେବେ ଏହାକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା । ଅନେକ ବଡ଼ କମ୍ପାନୀ ସରକାରଙ୍କୁ ନିଜ ନିଷ୍ପତ୍ତି ଫେରାଇ ନେବାକୁ ଚାପ ପକାଇଛନ୍ତି, କିନ୍ତୁ ଏହି ନିଷ୍ପତ୍ତି ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏହାସହିତ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଟେକ୍ କମ୍ପାନୀ ଉପରେ ଚାପ ପଡିଛି । ସରକାର କମ୍ପାନୀ ଉପରେ ପିଲାମଙ୍କ ସଠିକ ବୟସ ନିୟମ ଲାଗୁ କରିବା ପାଇଁ କହିଛନ୍ତି । ଏହାସହିତ ପିଲାଙ୍କୁ ଅଶ୍ଳୀଳ ଫଟୋ ଇତ୍ୟାଦିରୁ ଦୂରେଇ ରଖିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ।
ଗତବର୍ଷ ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ , ଇଣ୍ଡୋନେସିଆ ଏବଂ ମାଲୟେସିଆ ଭଳି ଦେଶ ମାନେ ପିଲାଙ୍କ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।




