କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ , ୩୦ ମୃତ

କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ , ୩୦ ମୃତ
Samaya Live News Picture
Published On

କିଭ୍‌ : ୟୁକ୍ରେନ୍‌ର କିଭ୍‌ ସହର ଉପରେ ରୁଷ୍‌ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ । ଶତାଧିକ ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ଥରିଲା ୟୁକ୍ରେନ । ଆକ୍ରମଣରେ ୩୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି । ସେହିଭଳି ଏକ ଆମ୍ବୁଲାନ୍ସ ଷ୍ଟେସନ ଧ୍ବଂଶ ହୋଇଥିବା ନେଇ ସୂଚନା ଦେଇଛନ୍ତି କିଭ ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ । ଯଦିଓ ପୂର୍ବ ଆକ୍ରମଣରେ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି, ଏହା ୟୁକ୍ରେନ ସହର ଉପରେ ରୁଷ ର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇଛି । କିଭ୍‌ର ୩୦ଟି ସ୍ଥାନ ଉପରେ ରୁଷ୍‌ ତରଫରୁ ଆକ୍ରମଣ ହୋଇଥିବା ସ୍ଥାନୀୟ ବରିଷ୍ଠ ଅଧିକାରୀ କାଚେନ୍‌କୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରୁଷ୍‌ ଆକ୍ରମଣ ନେଇ ଭୟଭୀତ ସ୍ଥାନୀୟ ବାସିନ୍ଦା ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ । ବିଳମ୍ବିତ ରାତିରେ ରୁଷ୍‌ ତରଫରୁ ଏହି ଆକ୍ରମଣକୁ ୟୁକ୍ରେନ ତରଫରୁ ନିନ୍ଦା କରାଯାଇଛି ।  ସହରର ବିଭିନ୍ନ ସ୍ଥାନରେ ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଭଙ୍ଗା ମାଟିତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ସହରର ବଡ଼ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯଦିଓ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅନେକ ଋଷୀୟ ଡ୍ରୋନ୍ ଓ ମିସାଇଲ୍ କୁ ଆକାଶରେ ଧ୍ୱଂସ କରିଦେଇଛି, ତଥାପି କିଛି ମିସାଇଲ୍ ସହର ଉପରେ ପଡ଼ିବାରେ ସଫଳ ହୋଇଥିଲା ।

ଗତ କିଛି ସପ୍ତାହ ମଧ୍ୟରେ ରୁଷ୍‌ର ଆକ୍ରମଣ ବଢ଼ି ଯାଇଥିବାରୁ ୟୁକ୍ରେନକୁ କ୍ଷେପଣାସ୍ତ୍ର ବିଧ୍ବଂସୀ ପ୍ରଣାଳୀ ପ୍ରଦାନ କରିବାକୁ ସହଯୋଗୀ ରାଷ୍ଟ୍ରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ । ରୁଷ୍‌ ତରଫରୁ ଆକ୍ରମଣ ଜାରି ରହିବାର ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନରେ ରହିବାକୁ କିଭ୍‌ବାସୀଙ୍କୁ କହିଛନ୍ତି ମେୟର ଭିଟାଲି କ୍ଲିଟ୍‌ଚକୋ । 

 

Tags: