ଋଷରେ ନ୍ୟୁମୋନିକ୍ ପ୍ଲେଗ ଆତଙ୍କ, ରିସର୍ଚ୍ଚରଙ୍କ ମୃତ୍ୟୁ ପରେ ବଢ଼ିଲା ସନ୍ଦେହ
ନୂଆଦିଲ୍ଲୀ : ରୁଷିଆର ସାଇବେରିଆନ୍ ଅଞ୍ଚଳରେ ପ୍ଲେଗ ଆତଙ୍କ ! ନ୍ୟୁମୋନିକ୍ ପ୍ଲେଗ୍ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍ଙ୍କ ମୃତ୍ୟୁ ପରେ ସନ୍ଦେହ ଅଧିକ ଘନୀଭୂତ ହୋଇଛି । ମୃତକଙ୍କ ନାମ ଡାରିଆ ସିପିଲୋଭା । ଶେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଏହି ଘଟଣା ଘଟିଛି ଘଟିଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିପିଲୋଭା ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କୁ କହିଥିଲେ ଯେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲ୍ବଶତଃ ଜୀବନ୍ତ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଦେଇଥିଲେ । ଏହା ପରେ ସେ ନ୍ୟୁମୋନିକ୍ ପ୍ଲେଗ୍ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
ଡାରିଆ ସିପିଲୋଭାଙ୍କଠାରେ ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ନ୍ୟୁମୋନିକ୍ ପ୍ଲେଗ୍ର ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ଶେଲେଖଭରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ଅକ୍ଟୋବର ୧ ମଧ୍ୟରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଶିପିଲୋଭାଙ୍କ ସଂସ୍ପର୍ଶରେ ଆସିଥିବା ୨୦୦ ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଇରକୁଟସ୍କ ଅଞ୍ଚଳରେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି ।




