NSG ର ବଡ ନିଷ୍ପତି , ବ୍ଲାକ୍ କ୍ୟାଟଙ୍କ ନୂଆ ଅବତାର !

NSG ର  ବଡ ନିଷ୍ପତି , ବ୍ଲାକ୍ କ୍ୟାଟଙ୍କ ନୂଆ ଅବତାର !
Samaya Live News Picture
Published On

ଭାରତର ସବୁଠାରୁ ଏଲିଟ୍ କମାଣ୍ଡୋ ଫୋର୍ସ ମଧ୍ୟରୁ ଗୋଟିଏ NSG। ଯାହାଙ୍କ ନାଁ ଶୁଣିଲେ ଶତ୍ରୁଙ୍କ ଛାତି ଥରିଉଠେ। କଳା ପୋଷାକ, ମୁହଁରେ କଳା ମାସ୍କ ଆଉ ହାତରେ ଅତ୍ୟାଧୁନିକ ଅସ୍ତ୍ର । ଏମାନଙ୍କୁ ହିଁ କୁହାଯାଏ ଭାରତର ବ୍ଲାକ୍ କ୍ୟାଟ୍ କମାଣ୍ଡୋ । କିନ୍ତୁ ଏବେ ଏହି ବ୍ଲାକ୍ କ୍ୟାଟ୍ ଲୁକ୍ ରେ  ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ । ବଦଳିବ ସେମାନଙ୍କ ପୋଷାକର ସାମଗ୍ରୀ। ହେଲେ ପ୍ରଶ୍ନ ହେଉଛି, ହଠାତ୍ NSGକୁ କାହିଁକି ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା? କ'ଣ କମାଣ୍ଡୋଙ୍କ ପୁରୁଣା ୟୁନିଫର୍ମ ସେମାନଙ୍କ ପାଇଁ ବିପଦ ପାଲଟିଥିଲା? ଏହା ପଛରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ।

ନୂଆ ୟୁନିଫର୍ମରେ କ'ଣ ରହିଛି ଖାସ୍?
ପ୍ରଥମେ ଜାଣିବା NSG କମାଣ୍ଡୋଙ୍କ ନୂଆ ୟୁନିଫର୍ମ ବିଷୟରେ। ରିପୋର୍ଟ ଅନୁସାରେ, ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କ ପୋଷାକ ତିଆରିରେ ଏବେ NyCo ବା ନାଇଲନ୍ ଓ କଟନ୍ର ମିଶ୍ରିତ କପଡ଼ା ବ୍ୟବହାର କରାଯାଉଛି।ଏହି କପଡ଼ାର ବିଶେଷତ୍ୱ ହେଉଛି , ଏହା ଝାଳକୁ ଶୋଷିବା ସହିତ ଶରୀରର ଅତ୍ୟଧିକ ଗରମକୁ କମ୍ କରିବାରେ ସହାୟତା କରେ। ଏହା ସହିତ କପଡ଼ାର ଗଠନ ଶରୀର ପାଖରେ ବାୟୁ ଚଳାଚଳକୁ ସହଜ କରିଥାଏ। ଫଳରେ ଝାଳ ଶୁଖିବାରେ ସହାୟତା ମିଳେ ଏବଂ ଗରମରେ ଦୀର୍ଘ ସମୟ ଡ୍ୟୁଟି କରିବା କିଛି ମାତ୍ରାରେ ସହଜ ହୁଏ।

କାହିଁକି ଆବଶ୍ୟକ ପଡ଼ିଲା ୟୁନିଫର୍ମ ପରିବର୍ତ୍ତନ?
ଏହା ପଛରେ ରହିଛି ୨୦ ଏପ୍ରିଲ୍ ୨୦୨୬ର ଏକ ଘଟଣା। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ସେତେବେଳେ ସେଠାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ରୁ ଅଧିକ ଥିବା କୁହାଯାଉଛି। ପ୍ରବଳ ଖରା ମଧ୍ୟରେ VIP ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଜଣେ NSG କମାଣ୍ଡୋ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହି ଘଟଣା ପରେ କମାଣ୍ଡୋଙ୍କ ସୁରକ୍ଷା ଏବଂ ଡ୍ୟୁଟି ସମୟରେ ଗରମର ପ୍ରଭାବକୁ ନେଇ ଚିନ୍ତା ବଢ଼ିଥିଲା।

ଜଣେ କମାଣ୍ଡୋ କେତେ ଓଜନ ବୋହିଥାନ୍ତି?
ଏବେ ଭାବନ୍ତୁ, ଜଣେ ସାଧାରଣ ଲୋକ ଖରାରେ କିଛି ସମୟ ଠିଆ ହେଲେ ଥକିପଡ଼ନ୍ତି । ହେଲେ ଜଣେ NSG କମାଣ୍ଡୋଙ୍କୁ କେତେ ଓଜନ ସହ ଘଣ୍ଟା ଘଣ୍ଟା ଡ୍ୟୁଟି କରିବାକୁ ପଡ଼େ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ରିପୋର୍ଟ ଅନୁସାରେ, ଜଣେ VIP ସୁରକ୍ଷାରେ ନିୟୋଜିତ କମାଣ୍ଡୋଙ୍କ ୟୁନିଫର୍ମ, ହେଲମେଟ୍ ଓ ବୁଟ୍ର ଓଜନ ପ୍ରାୟ ୩ କିଲୋଗ୍ରାମ।ଏହା ସହିତ ବୁଲେଟ୍ପ୍ରୁଫ୍ ଜ୍ୟାକେଟ୍ର ଓଜନ ପ୍ରାୟ ୬ କିଲୋଗ୍ରାମ । ତାଙ୍କ ପାଖରେ ଥିବା ସବ୍ମେସିନ୍ ଗନ୍ର ଓଜନ ପ୍ରାୟ ୩ କିଲୋଗ୍ରାମ। ପିସ୍ତଲ ଓ ଅତିରିକ୍ତ ମ୍ୟାଗାଜିନ୍ର ଓଜନ ମଧ୍ୟ ଏହା ସହ ଯୋଡ଼ି ହୁଏ ।

ଏହା ବ୍ୟତୀତ ରେଡିଓ ସେଟ୍, ଗ୍ଲୋଭସ୍ ଓ ନି-ପ୍ୟାଡ୍ ଭଳି ସୁରକ୍ଷା ଉପକରଣ ମଧ୍ୟ ବହନ କରିବାକୁ ପଡ଼େ।ଏସବୁକୁ ମିଶାଇଲେ ଜଣେ କମାଣ୍ଡୋ ନିଜ ଶରୀର ଓଜନ ବ୍ୟତୀତ ପ୍ରାୟ ୧୫ରୁ ୧୬ କିଲୋଗ୍ରାମ ଅତିରିକ୍ତ ଓଜନ ବୋହିଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।ଟିକେ କଳ୍ପନା କରନ୍ତୁ, ଗୋଟିଏ ଖାଲି ଗ୍ୟାସ୍ ସିଲିଣ୍ଡରର ଓଜନ ପାଖାପାଖି ୧୫ କିଲୋଗ୍ରାମ। ସେହି ଓଜନକୁ ନେଇ ଯଦି ଆପଣଙ୍କୁ ଖରାରେ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼େ, ତେବେ କେତେ କଷ୍ଟ ହେବ?ଏହି କଷ୍ଟକୁ ହିଁ ପ୍ରତିଦିନ ସାମ୍ନା କରନ୍ତି ଆମ ଦେଶର ଏହି କମାଣ୍ଡୋମାନେ। ଅସ୍ତ୍ରଶସ୍ତ୍ର ଓ ସୁରକ୍ଷା ଉପକରଣ କମାଇବା ସମ୍ଭବ ନୁହେଁ। ତେଣୁ ଗରମର ପ୍ରଭାବ କମାଇବା ପାଇଁ ୟୁନିଫର୍ମର କପଡ଼ା ବଦଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

କାହିଁକି କୁହାଯାଏ ବ୍ଲାକ୍ କ୍ୟାଟ୍ କମାଣ୍ଡୋ?
ଏବେ ଆସନ୍ତୁ ଜାଣିବା NSG କମାଣ୍ଡୋଙ୍କୁ ବ୍ଲାକ୍ କ୍ୟାଟ୍ କାହିଁକି କୁହାଯାଏ।NSGର କମାଣ୍ଡୋମାନେ କଳା ୟୁନିଫର୍ମ ପିନ୍ଧୁଥିବାରୁ ସେମାନଙ୍କୁ ବ୍ଲାକ୍ କ୍ୟାଟ୍ ଭାବେ ପରିଚିତି ମିଳିଛି। କଳା ରଙ୍ଗ ସେମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ସେମାନଙ୍କ କାର୍ଯ୍ୟର ମୂଳ ଲକ୍ଷ୍ୟ ହେଉଛି ଦ୍ରୁତ ଗତି, ନିଖୁଣ ଲକ୍ଷ୍ୟଭେଦ ଏବଂ ଅତ୍ୟନ୍ତ ସତର୍କତା ସହ ଅପରେସନ୍କୁ ସଫଳ କରିବା।

NSGର ମୂଳମନ୍ତ୍ର ହେଉଛି 'ସର୍ବତ୍ର ସର୍ବୋତ୍ତମ ସୁରକ୍ଷା'। ଏହି ସ୍ତରରେ ପହଞ୍ଚିବା ପାଇଁ କମାଣ୍ଡୋମାନଙ୍କୁ ଅତ୍ୟନ୍ତ କଠିନ ତାଲିମ ଦିଆଯାଏ।କୁହାଯାଏ, ଏହି ତାଲିମ ପ୍ରକ୍ରିୟା ପ୍ରାୟ ୧୪ ମାସ ପର୍ଯ୍ୟନ୍ତ ଚାଲିଥାଏ। ଏତେ କଠିନ ଚୟନ ପ୍ରକ୍ରିୟା ଯେ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ପ୍ରାର୍ଥୀ ହିଁ ସଫଳ ହୁଅନ୍ତି ବୋଲି ଦାବି କରାଯାଏ।

NSGର ଅପରେସନ୍ ଅଶ୍ୱମେଧ ....
ଏବେ ଜାଣିବା NSGର ଏକ ଚର୍ଚ୍ଚିତ ଅପରେସନ୍ ବିଷୟରେ। ଯାହାର ନାଁ ହେଉଛି ଅପରେସନ୍ ଅଶ୍ୱମେଧ।୧୯୯୩ ମସିହା ଏପ୍ରିଲ୍ ୨୪ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ବିମାନକୁ ଜଣେ ଆତଙ୍କବାଦୀ ଅପହରଣ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ପରଦିନ ଅର୍ଥାତ୍ ଏପ୍ରିଲ୍ ୨୫ରେ ବିମାନଟି ଅମୃତସର ବିମାନବନ୍ଦରରେ ଅବତରଣ କରିଥିଲା। ଏହା ପରେ ଆରମ୍ଭ ହୋଇଥିଲା ଆଲୋଚନା। ଯାତ୍ରୀଙ୍କ ଜୀବନ ବିପଦରେ ଥିବାରୁ ସୁରକ୍ଷା ବାହିନୀ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିଲା।ଶେଷରେ NSG କମାଣ୍ଡୋମାନେ ଅପରେସନ୍ ଆରମ୍ଭ କରିଥିଲେ। ଅତି କମ୍ ସମୟ ମଧ୍ୟରେ ଅପହରଣକାରୀକୁ ନିଷ୍କ୍ରିୟ କରାଯାଇଥିଲା ଏବଂ ବିମାନରେ ଥିବା ୧୪୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଦାବି କରାଯାଏ।ଏହି ଅପରେସନ୍ NSGର ଦକ୍ଷତା ଓ ପ୍ରଶିକ୍ଷଣର ଏକ ଉଦାହରଣ ଭାବେ ଆଲୋଚିତ ହୁଏ।

ତେବେ ଏହା ହେଉଛି ଆମ ଦେଶର ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କ କାହାଣୀ। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତି।ୟୁନିଫର୍ମର ରଙ୍ଗ ବଦଳୁନାହିଁ, ବଦଳୁଛି ତାହାର ଗୁଣବତ୍ତା। କାରଣ ଯେଉଁମାନେ ଦେଶର ସୁରକ୍ଷା ପାଇଁ ଆଗରେ ଠିଆ ହୁଅନ୍ତି, ସେମାନଙ୍କ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

Tags: