ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ
Samaya Live News Picture
Published On

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ତଥା ବିଏନପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି)ର ମୁଖ୍ୟ ଖାଲେଦା ଜିଆଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୬ ଟାରେ ଢ଼ାକାର ଏକ ଘରୋଇ ହସ୍ପିଟାଲ ଏଭରକେୟାର ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୨୩ ରେ ହୃଦ୍ ଏବଂ ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଦୀର୍ଘ ୩୬ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ଥିଲେ । ଖାଲିଦା ଜିଆ ଦୁଇଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଥିଲେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ।  ସେ ପୂର୍ବତନ ରାଷ୍ଟ୍ରପତି ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ପ୍ରତିଷ୍ଠାତା ଜିଆଉର ରହମାନଙ୍କ ପତ୍ନୀ ଥିଲେ ।

ଖାଲିଦା ଜିଆ ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୬୦ ମସିହାରେ ସେ ସାମରିକ ଅଧିକାରୀ ଜିଆଉର ରହମାନଙ୍କୁ ବିବାହ କରିଥିଲେ। ୧୯୭୧ ମସିହାରେ ବାଂଲାଦେଶର ମୁକ୍ତି ଯୁଦ୍ଧ ସମୟରେ, ଜିଆଉର ରହମାନ ରେଡିଓରେ ଏକ ସ୍ୱାଧୀନ ବାଂଲାଦେଶ ଘୋଷଣା ଘୋଷଣା କରିଥିଲେ। ୧୯୭୫ ମସିହାରେ ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଥିଲା ଏବଂ ୧୯୭୭ ମସିହାରେ ଜିଆଉର ରହମାନ ରାଷ୍ଟ୍ରପତି ହୋଇଥିଲେ। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୮୧ ମସିହା ମଇ ୩୦ରେ ଚିଟାଗଙ୍ଗରେ ଏକ ସାମରିକ ବିଦ୍ରୋହ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଖାଲେଦା ଜିଆ ୧୯୯୧ରୁ ୧୯୯୬ ଏବଂ ୨୦୦୧ ରୁ ୨୦୦୬ ଯାଏଁ ଦେଶକୁ ନେତୃତ୍ୱ ଦେଇଥିଲେ । ସେ ସାମରିକ ଶାସନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ ସେ ଅନେକ ଦୁର୍ନୀତି ଅଭିଯୋଗ ଏବଂ ଜେଲ୍ ଦଣ୍ଡର ମଧ୍ୟ ସାମ୍ନା କରିଥିଲେ । ଖାଲେଦା ଜିଆ ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ରାଜନୈତିକ ଲଢ଼େଇ ପାଇଁ ବାଂଲାଦେଶ ରାଜନୀତି ସାରା ବିଶ୍ୱରେ ପରିଚିତ । ତାଙ୍କ ମୃତ୍ୟୁ ସହିତ ବାଂଲାଦେଶ ରାଜନୀତିର ଏକ ବଡ଼ ଅଧ୍ୟାୟ ଶେଷ ହୋଇଛି ।

ଖାଲେଦା ଜିଆଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି । ସେ ୨୦୧୫ରେ ତାଙ୍କ ସହିତ ହୋଇଥିବା ସାକ୍ଷାତକୁ ମନେ ପକାଇଛନ୍ତି ଏବଂ ଆଶା କରିଛନ୍ତି ଯେ, ବେଗମ ଖାଲିଦାଙ୍କର ଦୃଷ୍ଟିକୋଣ ଏବଂ ଐତିହ୍ୟ ଭାରତ-ବାଂଲାଦେଶ ସମ୍ପର୍କକୁ ମାର୍ଗଦର୍ଶନ ଦେବ।

 

Tags: