ବିଶ୍ୱ ବଜାରରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ୭୮ ଡଲାର ପାର
ନୂଆଦିଲ୍ଲୀ : ପୁଣି ଘନେଇଲା ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଶଙ୍କା । ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣକୁ ନେଇ ପୁଣି ଥରେ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଛି ଇରାନ । ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଅଶୋଧିତ ତୈଳ ବଜାର ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି । ଫଳରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୩.୫% ବୃଦ୍ଧି ପାଇ $୭୮.୬୭ ଡଲାର ରେ ପହଞ୍ଚିଛି ।
ସେହିପରି , ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳର ମୂଲ୍ୟ ୩.୪% ବୃଦ୍ଧି ପାଇ $୭୩.୮୭ ରେ ପହଞ୍ଚିଛି । ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି ଇରାନ । ରବିବାର ଏହି ଘମାଘୋଟ ଲଢେଇ ପରେ ଇରାନ ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନର ପର୍ସିଆନ ଗଲ୍ପ ଷ୍ଟ୍ରେଟ୍ ଅଥରିଟି (ପିଜିଏସ୍ଏ) କହିଛି ଯେ ଆମେରିକାର ସାମରିକ କାର୍ଯ୍ୟକଳାପ ଯୋଗୁଁ ହର୍ମୁଜ ପ୍ରଣାଳୀରେ କୌଣସି ଜାହାଜ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକା ସେନା ଏହି ଅଞ୍ଚଳ ଦେଇ ବେଆଇନ ଭାବେ ଯାତାୟାତ କରୁଛନ୍ତି ବୋଲି ପିଜିଏସ୍ଏ ଅଭିଯୋଗ କରିଛି।
ଗତ ମାସ ଜୁନ୍ ୧୭ ତାରିଖରେ ଫ୍ରାନ୍ସରେ G7 ଶିଖର ସମ୍ମିଳନୀ ସମୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ସ୍ଥାୟୀ ଭାବରେ ଶତ୍ରୁତା ବନ୍ଦ କରିବାକୁ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ମୁକ୍ତ ଏବଂ ସୁରକ୍ଷିତ ପଥ ସୁନିଶ୍ଚିତ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତଜନା ଏହି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେଲ ଦର ବଢ଼ିବାର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀ ନିର୍ଭର ଦେଶ ଉପରେ ପଡ଼ିପାରେ । ଏହାର ପ୍ରଭାବରେ ପେଟ୍ରୋଲ-ଡିଜେଲ ଦର, ପରିବହନ ଖର୍ଚ୍ଚ ଏବଂ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ନଜର ରହିଛି ।




