ମୁହଁ ଖୋଲିଲେ ବିଲାୱଲ! ଗାଦିଚ୍ୟୁତ ହେବେ କି ଶାହାବାଜ?

ମୁହଁ ଖୋଲିଲେ ବିଲାୱଲ! ଗାଦିଚ୍ୟୁତ ହେବେ କି ଶାହାବାଜ?
Samaya Live News Picture
Published On

ଗୋଟିଏ ପଟେ ଦେଶରେ ଆର୍ଥିକ ସଙ୍କଟ, ଅନ୍ୟପଟେ ରାଜନୈତିକ ଅସ୍ଥିରତା। ଶାସନର ଡୋରି ଧରିଥିବା ଲୋକଙ୍କ ଉପରେ ଏବେ ଉଠିବାକୁ ଲାଗିଲାଣି ପ୍ରଶ୍ନ। ଯେଉଁ ସରକାରକୁ ଏତେଦିନ ସମର୍ଥନ ଦେଇ ଆସୁଥିଲେ, ଏବେ ସେହି ସରକାର ବିରୋଧରେ ଖୋଲିବାକୁ ଲାଗିଲେ ମୁହଁ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରଶ୍ନ କେବଳ ସରକାରଙ୍କ ପାଇଁ ନଥିଲା, ବରଂ ଦେଶର ସବୁଠାରୁ ଶକ୍ତିଶାଳୀ ପ୍ରତିଷ୍ଠାନକୁ ମଧ୍ୟ ସିଧାସଳଖ ଚ୍ୟାଲେଞ୍ଜ ଦେଇଥିଲା । ଯେଉଁ ଦେଶରେ ସେନାର ନିଷ୍ପତ୍ତିକୁ ନେଇ ରାଜନୀତି ଘୂରିବୁଲେ, ସେଠାରେ ଏଭଳି ବୟାନ ପଛରେ କିଛି ବଡ଼ କାରଣ ନିଶ୍ଚୟ ରହିଛି । ତେବେ କିଏ ସେହି ନେତା, ଯିଏ ନିଜ ସରକାରକୁ ହିଁ କାଠଗଡ଼ାରେ ଛିଡ଼ା କରିଦେଲେ? କାହିଁକି ସେନା ମୁଖ୍ୟଙ୍କ ନୀତି ଉପରେ ଉଠାଇଲେ ପ୍ରଶ୍ନ? ଆଉ ଏହା କ'ଣ ପାକିସ୍ତାନରେ ଆଉ ଏକ କ୍ଷମତା ପରିବର୍ତ୍ତନର ସଙ୍କେତ? ଏହି ନେତା ଆଉ କେହି ନୁହନ୍ତି, ସେ ହେଉଛନ୍ତି ବିଲାୱଲ ଭୁଟ୍ଟୋ । 
ପାକିସ୍ତାନର ରାଜନୀତିରେ ପୁଣି ଆରମ୍ଭ ହୋଇଛି ହଲଚଲ। ଯେଉଁ ସରକାରକୁ ବାହାରୁ ସମର୍ଥନ ଦେଇ ଆସୁଥିଲା ପାକିସ୍ତାନ ପିପୁଲ୍ସ ପାର୍ଟି, ଏବେ ସେହି ଦଳର ନେତା ବିଲାୱଲ ଭୁଟ୍ଟୋ ସରକାରଙ୍କ ନୀତିକୁ ନେଇ ଖୋଲାଖୋଲି ପ୍ରଶ୍ନ ଉଠାଇଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ସେନା ସହିତ ଆଲୋଚନା କରି ଦେଶରେ ଚାଲିଥିବା ରାଜନୈତିକ ଦ୍ୱନ୍ଦ୍ୱର ସମାଧାନ କରିବାକୁ ଆହ୍ୱାନ ଦେଇଛନ୍ତି। ବିଲାୱଲଙ୍କ ଏହି ବୟାନ ପରେ ପାକିସ୍ତାନର କ୍ଷମତା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ତାଙ୍କ ସମାଲୋଚନା କେବଳ ସରକାରଙ୍କ ପର୍ୟ୍ୟନ୍ତ ସୀମିତ ନାହିଁ, ବରଂ ସେନା ମୁଖ୍ୟ ଅସୀମ ମୁନିରଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ବିଲାୱଲଙ୍କ କହିବା ଅନୁସାରେ, ପାକିସ୍ତାନ ଏବେ ଘରୋଇ ରାଜନୈତିକ ସଂଘର୍ଷ ଏବଂ ପଡ଼ୋଶୀ ଦେଶମାନଙ୍କ ସହିତ ଉତ୍ତେଜନା ଭିତରେ ଛନ୍ଦି ହୋଇ ରହିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ପ୍ରାଥମିକତା ରାଜନୈତିକ ବିରୋଧୀଙ୍କ ସହ ଲଢ଼ିବା ନୁହେଁ, ବରଂ ଦେଶର ଆର୍ଥିକ ସ୍ଥିତି ସୁଧାରିବା ଏବଂ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ହେବା ଉଚିତ। ସେ ଆହୁରି କହିଛନ୍ତି, ଦେଶରେ ରାଜନୈତିକ ସମନ୍ୱୟର ପରିବେଶ ସୃଷ୍ଟି ହେବା ଦରକାର। ଇମ୍ରାନ ଖାନ ଏବଂ ମୌଲାନା ଫଜଲୁର ରେହମାନଙ୍କ ଭଳି ବିରୋଧୀ ନେତାମାନଙ୍କ ସହ ମଧ୍ୟ ଆଲୋଚନାର ରାସ୍ତା ଖୋଲା ରଖିବା ଉଚିତ। ରାଜନୈତିକ ମତଭେଦକୁ ନେଇ ଦେଶ ଭିତରେ ସଂଘର୍ଷ ବଢ଼ାଇବା ପରିବର୍ତ୍ତେ ସମସ୍ତେ ମିଶି ଦେଶର ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଲାୱଲଙ୍କ ମତରେ, ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଚିନ୍ତାଜନକ। ଦେଶ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ସଂଘର୍ଷ କରୁଥିବାବେଳେ ସରକାର ଓ ସାମରିକ ପ୍ରତିଷ୍ଠାନର ଧ୍ୟାନ ଅନ୍ୟ ଦିଗରେ ରହିଛି। ଅନାବଶ୍ୟକ ରାଜନୈତିକ ଏବଂ ବାହ୍ୟ ସଂଘର୍ଷରେ ଖର୍ଚ୍ଚ ହେଉଥିବା ଶକ୍ତି ଓ ସମ୍ବଳକୁ ଦେଶର ଅର୍ଥନୀତି, ଜନକଲ୍ୟାଣ ଏବଂ ବିକାଶ ପାଇଁ ବ୍ୟବହାର କରିବା ଦରକାର। ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ଉଠୁଛି। ଯେଉଁ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ଶାହବାଜ ସରିଫ ସରକାରକୁ ସମର୍ଥନ ଦେଇ ଆସୁଛି, ସେହି ଦଳ ଏବେ ସରକାରଙ୍କ ନୀତିକୁ ନେଇ ଅସନ୍ତୁଷ୍ଟ କାହିଁକି? ପାକିସ୍ତାନରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରଠାରୁ ରାଜନୈତିକ ଅସ୍ଥିରତା ଲାଗି ରହିଛି। ଇମ୍ରାନଙ୍କ ସମର୍ଥକମାନେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବାବେଳେ ସେନାର ଭୂମିକାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି। ଏହି ପରିସ୍ଥିତିରେ ବିଲାୱଲଙ୍କ ବୟାନ ସରକାରଙ୍କ ପାଇଁ ଆଉ ଏକ ରାଜନୈତିକ ଚ୍ୟାଲେଞ୍ଜ ହୋଇପାରେ। ମନେ ପକାନ୍ତୁ, ମାର୍ଚ୍ଚ ୨୦୨୪ରେ ପିପିପିର ସମର୍ଥନରେ ଶାହବାଜ ସରିଫ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସରକାରକୁ ଏକ ହାଇବ୍ରିଡ୍ ସରକାର ବୋଲି କୁହାଯାଉଛି, ଯେଉଁଥିରେ ସାମରିକ ପ୍ରତିଷ୍ଠାନର ପ୍ରଭାବକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ବିଲାୱଲଙ୍କ ପିତା ଆସିଫ ଅଲି ଜର୍ଦ୍ଦାରୀ ଦେଶର ରାଷ୍ଟ୍ରପତି ଥିବାବେଳେ ତାଙ୍କ ଦଳ ସରକାରକୁ ବାହାରୁ ସମର୍ଥନ ଦେଇ ଆସୁଛି। କିନ୍ତୁ ଏବେ ସେହି ସମର୍ଥକ ଦଳର ନେତା ଯେତେବେଳେ ସରକାର ଓ ସେନାର ନୀତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେତେବେଳେ ପାକିସ୍ତାନର ରାଜନୈତିକ ମହଲରେ ଅନେକ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। ତେବେ ଏହା କ'ଣ ଶାହବାଜ ସରିଫ ସରକାର ଭିତରେ ବଢ଼ୁଥିବା ମତଭେଦର ସଙ୍କେତ? ନା ଏହା କେବଳ କ୍ଷମତାର କରିଡରରେ ଚାଲିଥିବା ରାଜନୈତିକ ଚାପ ଏବଂ ରଣନୀତିର ଏକ ଅଂଶ? ବିଲାୱଲଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଏବେ ସମସ୍ତଙ୍କ ନଜର ଶାହବାଜ ସରିଫ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ପାକିସ୍ତାନରେ ପୁଣି ଏକ ନୂଆ କ୍ଷମତା ସଂଘର୍ଷ ଆରମ୍ଭ ହେବ, ନା ରାଜନୈତିକ ସମନ୍ୱୟର ରାସ୍ତା ଖୋଲିବ? ଏହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।

Tags: