ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ
ନୂଆଦିଲ୍ଲୀ : ଜଳୁଛି ବାଂଲାଦେଶ । ବାଂଲାଦେଶରେ ପୁଣି ଥରେ ଜାତିଆଣ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବାଂଲା ଅନ୍ତରୀଣ ସରକାର ମହମ୍ମଦ ୟୁନୁଶ । ଘଟଣାକୁ ନିନ୍ଦା କରିବା ସହିତ ଏପରି ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ ବୋଲି ଏକ ବିବୃତ୍ତିରେ କୁହାଯାଇଛି ।
ସେପଟେ ଚଟଗାଓଁରେ ଭାରତୀୟ ହାଇକମିଶନ ବାହାରେ ହିଂସା ଯୋଗୁଁ ୨ ପୋଲିସ କର୍ମୀଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସାମ୍ବାଦିକକୁ ଗୁଳି କରି ହତ୍ୟା କରାଯାଇଛି ।
ମିଳିଥିବା ଖବର ଅନୁସାରେ, ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ପେଙ୍ଗବର ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ରାତି ୯ଟା ବେଳେ ଦିପୁ ଦାସଙ୍କୁ ଆକ୍ରମଣ କରାଯାଇଥିଲା । ଗତ ୧୨ ଡିସେମ୍ବରରେ ହାଦିଙ୍କ ଉପରେ ଢାକାରେ ଗୁଳିମାଡ଼ ହୋଇଥିଲା । ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗତକାଲିଠୁ ସାରା ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀମାନେ ଢାକା ବିଶ୍ୱବିଦ୍ୟାଳୟ ଓ ଶାହାବାଗ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି । ପ୍ରଦର୍ଶନକାରୀ ଭାରତୀୟ ପ୍ରତିଷ୍ଠାନକୁ ଟାର୍ଗେଟ କରିଛନ୍ତି । ଭାରତ ବିରୋଧୀ ନାରା ଦେବା ସହ ଚଟଗାଓଁରେ ଥିବା ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ଉପରକୁ ଢେଲାମାଡ଼ କରିଛନ୍ତି ପ୍ରଦର୍ଶନକାରୀ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନାହିଁ । ଆନୁଷ୍ଠାନିକ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।




