କାହିଁକି ମନେ ରହିବ IPL 2026?
ରୋମାଞ୍ଚକର ମୁଡ଼ରେ ଶେଷ ହୋଇଛି IPL 2026 । କିନ୍ତୁ ଏହି ସିଜନ୍ କେବଳ ଜଣେ ଚାମ୍ପିଅନ୍କୁ ଜନ୍ମ ଦେଇନାହିଁ । ଏହା କ୍ରିକେଟକୁ ଦେଇଛି ଜଣେ ନୂଆ ସୁପରଷ୍ଟାର । ଦେଖାଇଛି ଜଣେ କିମ୍ବଦନ୍ତୀଙ୍କ ଅଦମ୍ୟ ପ୍ରଭାବ ଏବଂ ଲେଖିଛି ଭବିଷ୍ୟତର ଏକ ନୂଆ ଅଧ୍ୟାୟ । 15 ବର୍ଷର ବୈଭବ ସୂର୍ଯ୍ୟବଂଶୀଠାରୁ 37 ବର୍ଷର ବିରାଟ କୋହଲି ପର୍ଯ୍ୟନ୍ତ, ଏହି IPL ଥିଲା ଦୁଇ ପିଢ଼ିର ଅଦ୍ଭୁତ ମିଳନ। ତେବେ ଆସନ୍ତୁ ଜାଣିବା, ବର୍ଷ ବର୍ଷ ଧରି IPL 2026କୁ କେଉଁ କାରଣ ପାଇଁ ମନେ ରଖାଯିବ।
.jpeg)
IPL 2026 ଏକ ଯୁଗର ଐତିହ୍ୟ, ଆଉ ଏକ ଯୁଗର ଆରମ୍ଭ ,19ତମ IPL ସିଜନ୍ ର ପର୍ଦ୍ଦା ଗତକାଲି ରାତିରେ ପଡ଼ିଛି । ଆଉ ପ୍ରତ୍ୟେକ IPL ଭଳି ଏହି ସିଜନ୍ ମଧ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଅନେକ ଅବିସ୍ମରଣୀୟ ସ୍ମୃତି ଛାଡ଼ିଯାଇଛି । କିଛି ବର୍ଷ ପରେ ଯେତେବେଳେ ଏହି IPLକୁ ମନେ ପକାଯିବ, ସେତେବେଳେ କିଛି ବିଶେଷ ମୁହୂର୍ତ୍ତ ଏବଂ କିଛି ବିଶେଷ ନାମ ସବୁଠାରୁ ଆଗରେ ଆସିବ। ସବୁଠାରୁ ପ୍ରଥମେ ମନେ ପଡ଼ିବ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ । ମାତ୍ର 15 ବର୍ଷ ବୟସରେ ସେ ଯାହା କରିଛନ୍ତି, ତାହା IPL ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଛି । ଯେଉଁ ବୟସରେ ଅଧିକାଂଶ ପିଲା ସ୍କୁଲ ଟିମ୍ ରେ ସ୍ଥାନ ପାଇବାର ସ୍ୱପ୍ନ ଦେଖନ୍ତି, ସେହି ବୟସରେ ବୈଭବ IPLର ସବୁଠାରୁ ବଡ଼ ସୁପରଷ୍ଟାର ଭାବେ ଉଭା ହୋଇଛନ୍ତି ।

ବୈଭବ 776 ରନ୍, ଗୋଟିଏ ଶତକ, ପାଞ୍ଚଟି ଅର୍ଦ୍ଧଶତକ ଏବଂ 237ର ଅବିଶ୍ୱସନୀୟ ଷ୍ଟ୍ରାଇକ୍ ରେଟ୍ ସହ ସେ କେବଳ ଅରେଞ୍ଜ କ୍ୟାପ୍ ଜିତିନାହାନ୍ତି, ବରଂ ସମଗ୍ର ସିଜନ୍ର ସବୁଠାରୁ ବଡ଼ ଆବିଷ୍କାର ହୋଇଛନ୍ତି । ଅନ୍ୟପଟେ ଥିଲେ ବିରାଟ କୋହଲି । 37 ବର୍ଷ ବୟସରେ ମଧ୍ୟ ସେ ପ୍ରମାଣ କରିଛନ୍ତି ଯେ ମହାନ ଖେଳାଳିମାନେ ସମୟ ସହ ଫିକା ପଡ଼ନ୍ତି ନାହିଁ। RCBକୁ ଲଗାତାର ଦ୍ୱିତୀୟ IPL ଟାଇଟଲ୍ ଜିତାଇବାରେ ତାଙ୍କ ଭୂମିକା ପୁଣି ଥରେ ନିର୍ଣ୍ଣାୟକ ରହିଛି । ଏକ ସମୟରେ ଯେଉଁମାନେ ଟ୍ରଫି ନ ଜିତିବା ପାଇଁ ତାଙ୍କୁ ସମାଲୋଚନା କରୁଥିଲେ, ଆଜି ସେହି ବିରାଟ କୋହଲି IPLର ସବୁଠାରୁ ସଫଳ ଏବଂ ପ୍ରଭାବଶାଳୀ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଛନ୍ତି। ଏହି ସିଜନ୍ ଆଉ ଏକ କାରଣ ପାଇଁ ମଧ୍ୟ ମନେ ରହିବ । ଏହା ଥିଲା ବ୍ୟାଟସମ୍ୟାନଙ୍କ IPL। 74ଟି ମ୍ୟାଚ୍ ମଧ୍ୟରୁ 53ଟି ଇନିଂସରେ 200ରୁ ଅଧିକ ସ୍କୋର ହୋଇଥିଲା । ପ୍ରାୟ 2300 ଚୌକା ଏବଂ 1500ରୁ ଅଧିକ ଛକା ଏହି ସିଜନ୍କୁ ରନ୍ ବର୍ଷାର ଉତ୍ସବରେ ପରିଣତ କରିଥିଲା। ବୋଲରମାନେ ଅନେକ ସମୟରେ ଅସହାୟ ଦେଖାଯାଇଥିଲେ ଏବଂ ବ୍ୟାଟସମ୍ୟାନମାନେ ପ୍ରାୟ ପ୍ରତ୍ୟେକ ମ୍ୟାଚ୍ରେ ନିଜର ପ୍ରାଧାନ୍ୟ ଜାହିର କରିଥିଲେ। କିନ୍ତୁ ଗୋଟିଏ ବାକ୍ୟରେ କହିବାକୁ ଗଲେ, IPL 2026 କେବଳ ଚାମ୍ପିଅନ୍ ଟିମ୍ ପାଇଁ ନୁହେଁ, ବରଂ ଏକ ପିଢ଼ିରୁ ଅନ୍ୟ ପିଢ଼ିକୁ ଐତିହ୍ୟ ହସ୍ତାନ୍ତରର ପ୍ରତୀକ ଭାବେ ମନେ ରହିବ । ଗୋଟିଏ ପଟେ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀ ନିଜର ଗୌରବମୟ ଯାତ୍ରାକୁ ଆଗକୁ ବଢ଼ାଉଥିଲେ, ଆଉ ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ପରି ନୂଆ ତାରକା ଭବିଷ୍ୟତର କ୍ରିକେଟ ଲେଖିବା ଆରମ୍ଭ କରିଦେଇଥିଲେ। ସେଥିପାଇଁ IPL 2026 କେବଳ ଗୋଟିଏ ଟ୍ରଫିର କାହାଣୀ ନୁହେଁ। ଏହା ଥିଲା ଏକ ଯୁଗର ଐତିହ୍ୟ ଏବଂ ଅନ୍ୟ ଏକ ଯୁଗର ଆରମ୍ଭର କାହାଣୀ।



