ଦୁଇଟି ଟ୍ରଫି, ପୁଣି ଅଧିନାୟକ ! କିଏ ଏହି ଖେଳାଳୀ ?

ଦୁଇଟି ଟ୍ରଫି, ପୁଣି ଅଧିନାୟକ ! କିଏ ଏହି ଖେଳାଳୀ ?
Samaya Live News Picture
Published On

ଗୋଟିଏ ସମୟରେ ଯାହାଙ୍କ ହାତରେ ଥିଲା ଟିମ୍ ଇଣ୍ଡିଆର ନେତୃତ୍ୱ ଭାର, ଯାହାଙ୍କ ଅଧିନାୟକତ୍ୱରେ ଭାରତ ହାସଲ କରିଥିଲା ବଡ଼ ବଡ଼ ସଫଳତା, ହଠାତ୍ ତାଙ୍କ ହାତରୁ ଚାଲିଗଲା ଅଧିନାୟକ ପଦ। ଜାତୀୟ ଦଳରେ ତାଙ୍କ ଭୂମିକାକୁ ନେଇ ଉଠିଲା ଅନେକ ପ୍ରଶ୍ନ। କିନ୍ତୁ କ୍ରିକେଟ୍ ପଡ଼ିଆରେ ଏହି ଖେଳାଳିଙ୍କ କାହାଣୀ ଏତେ ଶୀଘ୍ର ଶେଷ ହେବାର ନଥିଲା। ଏବେ ପୁଣିଥରେ ତାଙ୍କ ଉପରେ ଭରସା କରିଛି ଏକ ବଡ଼ ଟିମ୍। ଗୋଟିଏ ନୁହେଁ, ଲଗାତାର ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟରେ ମିଳିଛି ନେତୃତ୍ୱ ନେବାର ସୁଯୋଗ। ତେବେ କିଏ ସେହି ଖେଳାଳି? କାହିଁକି ତାଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦିଆଗଲା? ଆଉ ଏଥର ନିଜ ନେତୃତ୍ୱରେ କ'ଣ ଇତିହାସ ରଚିପାରିବେ ସେ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ଭାରତୀୟ କ୍ରିକେଟ୍ ଜଗତରୁ ଆସିଛି ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ଭାବେ ନିଜର ଦମଦାର ନେତୃତ୍ୱ ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ପୁଣିଥରେ ମିଳିଛି ଅଧିନାୟକ ଦାୟିତ୍ୱ। ତେବେ ଏଥର ଜାତୀୟ ଦଳ ନୁହେଁ, ବରଂ ନିଜ ଘରୋଇ ଦଳ ମୁମ୍ବାଇର ନେତୃତ୍ୱ ନେବେ ସ୍କାଏ ।
୨୦୨୬ ଟି-୨୦ ବିଶ୍ୱକପ୍ରେ ଭାରତକୁ ଚାମ୍ପିଅନ୍ କରାଇଥିବା ସୂର୍ଯ୍ୟକୁମାରଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର। କିନ୍ତୁ ଆଇପିଏଲ୍ରେ ଅଧିନାୟକତ୍ୱକୁ ନେଇ ଚର୍ଚ୍ଚା ଏବଂ ଟିମ୍ ଇଣ୍ଡିଆରେ ନେତୃତ୍ୱ ପରିବର୍ତ୍ତନ ପରେ ଏବେ ଘରୋଇ କ୍ରିକେଟ୍ରେ ତାଙ୍କର ଏହି ନୂଆ ଦାୟିତ୍ୱକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଖବର ଅନୁସାରେ, ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ପାଇଁ ଦଳର ଅଧିନାୟକ ଭାବେ ଚୟନ କରିଛି। ଅର୍ଥାତ୍ ଦୁଇଟି ବଡ଼ ଘରୋଇ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଦଳର ନେତୃତ୍ୱ ନେବେ ସ୍କାଏ।
ପ୍ରଥମେ ଆସିବ ସୟଦ ମୁସ୍ତାକ ଅଲୀ ଟ୍ରଫି। ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଗ୍ରୁପ୍-ଡିରେ ସ୍ଥାନ ପାଇଛି। ଏହି ଗ୍ରୁପ୍ରେ ଓଡ଼ିଶା ସମେତ ହାଇଦ୍ରାବାଦ, ଛତିଶଗଡ଼, ଗୋଆ, ଗୁଜରାଟ, ଉତ୍ତରାଖଣ୍ଡ ଏବଂ ବିଦର୍ଭ ଭଳି ଦଳ ରହିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ନିଜର ଅଭିଯାନ ଆରମ୍ଭ କରିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନଭେମ୍ବର ୭ ଓ ୯ ତାରିଖରେ ଅଭ୍ୟାସ ମ୍ୟାଚ୍ ଖେଳାଯିବ। ଏହାପରେ ନଭେମ୍ବର ୯ରେ ମୁମ୍ବାଇ ଦଳ ଚୟନ କରାଯିବ। ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବରିଷ୍ଠ ଚୟନ କମିଟି ଏହି ସିଜନ୍ର ଦୁଇଟି ଯାକ ଧଳା ବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି।
ତେବେ ସୂର୍ଯ୍ୟକୁମାରଙ୍କ ପାଇଁ ଏହି ଅଧିନାୟକତ୍ୱ କେବଳ ଏକ ନୂଆ ଦାୟିତ୍ୱ ନୁହେଁ, ବରଂ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣ କରିବାର ଆଉ ଏକ ସୁଯୋଗ। କାରଣ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଅଧିନାୟକତ୍ୱ ଯାତ୍ରା ବେଶ୍ ସଫଳ ରହିଥିଲା। ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ୍ ଭଳି ବଡ଼ ସଫଳତା ହାସଲ କରିଥିବା କୁହାଯାଉଛି। ହେଲେ ଏବେ ଜାତୀୟ ଦଳରେ ତାଙ୍କର ଅଧିନାୟକତ୍ୱ ଭବିଷ୍ୟତକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଶ୍ରେୟସ ଆୟରଙ୍କ ନେତୃତ୍ୱକୁ ନେଇ ମଧ୍ୟ ଆଲୋଚନା ଜାରି ରହିଛି। ଏଭଳି ସମୟରେ ମୁମ୍ବାଇ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କ ନିଯୁକ୍ତି ତାଙ୍କ ପ୍ରଶଂସକଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିଛି।
ଏବେ ସମସ୍ତଙ୍କ ନଜର ରହିବ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ। ତାଙ୍କର ଅନୁଭବ, ଆକ୍ରମଣାତ୍ମକ ଖେଳ ଶୈଳୀ ଏବଂ ନେତୃତ୍ୱ ଦକ୍ଷତାକୁ ନେଇ ମୁମ୍ବାଇ ଦଳ କେତେ ଆଗକୁ ଯାଉଛି, ତାହା ଦେଖିବାକୁ କ୍ରିକେଟ୍ ପ୍ରଶଂସକ ଅପେକ୍ଷା କରିଛନ୍ତି।
ହେଲେ ଏବେ ବଡ଼ ପ୍ରଶ୍ନ ହେଉଛି, ଦୁଇଟି ଟ୍ରଫିରେ ଅଧିନାୟକତ୍ୱ କରି ସୂର୍ଯ୍ୟକୁମାର ମୁମ୍ବାଇକୁ ଚାମ୍ପିଅନ୍ କରାଇପାରିବେ କି?

Tags: