ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ମୁମ୍ବାଇରେ ବଡ ଝଡ ! କୁଆଡେ ଯିବେ ଷ୍ଟାର ଅଲରାଉଣ୍ଡର?
କ୍ରିକେଟ୍ ପଡ଼ିଆରେ ଏମିତି ଏକ ଘଟଣା ଘଟିବାକୁ ଯାଉଛି, ଯାହା ଆଇପିଏଲ୍ର ସବୁଠାରୁ ବଡ଼ ଚର୍ଚ୍ଚା ପାଲଟିପାରେ। ଦିନେ ଯେଉଁ ଖେଳାଳିଙ୍କୁ ନିଜ ଦଳକୁ ଫେରାଇ ଆଣିବା ପାଇଁ ଫ୍ରାଞ୍ଚାଇଜ୍ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା, ଏପରିକି ଦଳର ନେତୃତ୍ୱ ଭାର ମଧ୍ୟ ଦେଇଥିଲା, ଆଜି ସେହି ଖେଳାଳିଙ୍କୁ ନେଇ ଦଳ ଭିତରେ ଏତେ ବଡ଼ ପ୍ରଶ୍ନ କାହିଁକି? ଷ୍ଟାଡିୟମରେ ବିରୋଧ, ଦଳ ଭିତରେ ଅସନ୍ତୋଷ ଏବଂ ଲଗାତାର ପ୍ରଦର୍ଶନକୁ ନେଇ ଉଠୁଥିବା ପ୍ରଶ୍ନ। ଶେଷରେ କ'ଣ ଏହି ସବୁର ପ୍ରଭାବ ଜଣେ ଅଧିନାୟକଙ୍କ ଭବିଷ୍ୟତ ଉପରେ ପଡ଼ିବାକୁ ଯାଉଛି? ଆଉ ସବୁଠାରୁ ବଡ଼ କଥା, ଏହି ଖେଳାଳି କ'ଣ ଆଗାମୀ ସିଜନରେ ନୂଆ ଜର୍ସି ପିନ୍ଧି ନୂଆ ଦଳ ପାଇଁ ମଇଦାନକୁ ଓହ୍ଲାଇବେ? କିଏ ସେହି ଖେଳାଳି? କାହିଁକି ତାଙ୍କୁ ନେଇ ଏତେ ବଡ଼ ଚର୍ଚ୍ଚା? ଆଉ ଏହି ପୂରା ବିବାଦରେ ଭୁଲ୍ କାହାର? ସେହି ଖେଳାଳି ଆଉ କେହି ନୁହନ୍ତି, ଟିମ୍
ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା!
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ବିବାଦ! ଯେଉଁ ଖେଳାଳିଙ୍କୁ ଦିନେ ଅଧିନାୟକ କରିଥିଲା ଗଓ, ଆଜି ସେହି ଖେଳାଳିଙ୍କୁ ଦଳରୁ ବିଦା କରିବାର ଚର୍ଚ୍ଚା। ତେବେ ଏହା ପଛରେ ରହିଛି କେଉଁ କାହାଣୀ? ହାର୍ଦ୍ଦିକଙ୍କ ଭୁଲ୍ ନା ମୁମ୍ବାଇ ଇଣ୍ଡିଆନ୍ସର ରଣନୀତିରେ ତ୍ରୁଟି?
କ୍ରିକେଟ୍ ଜଗତରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ଆଇପିଏଲ୍ ୨୦୨୭ ପୂର୍ବରୁ ତାଙ୍କ ଦଳ ପରିବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ନୀଳ ଜର୍ସି ଛାଡ଼ି ସେ ପଞ୍ଜାବ କିଙ୍ଗ୍ସର ଜର୍ସି ପିନ୍ଧିବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଏହି ଖବରର ଆଧିକାରିକ ପୁଷ୍ଟି ହୋଇନାହିଁ, ତଥାପି ଏହା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। କିନ୍ତୁ ପ୍ରଶ୍ନ ହେଉଛି, ହାର୍ଦ୍ଦିକଙ୍କ ସହ ଏମିତି ପରିସ୍ଥିତି କାହିଁକି ସୃଷ୍ଟି ହେଲା?
.jpeg)
ଏହି ପୂରା ଘଟଣାର ମୂଳକୁ ବୁଝିବାକୁ ହେଲେ ଆମକୁ ଟିକିଏ ପଛକୁ ଫେରିବାକୁ ପଡ଼ିବ। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦୀର୍ଘ ସମୟ ଖେଳିଥିଲେ। ଦଳର ଅନେକ ସଫଳତାରେ ତାଙ୍କର ମଧ୍ୟ ବଡ଼ ଭୂମିକା ଥିଲା। କିନ୍ତୁ ପରେ ସେ ଗୁଜରାଟ ଟାଇଟାନ୍ସକୁ ଚାଲିଯାଇଥିଲେ। ସେଠାରେ ତାଙ୍କ ଅଧିନାୟକତ୍ୱର ଯାଦୁ ଦେଖିବାକୁ ମିଳିଥିଲା। ପ୍ରଥମ ସିଜନରେ ଗୁଜରାଟକୁ ଚାମ୍ପିଅନ୍ କରାଇଥିଲେ ହାର୍ଦ୍ଦିକ। ପରବର୍ତ୍ତୀ ସିଜନରେ ମଧ୍ୟ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ପୁଣି ନିଜ ଦଳକୁ ଫେରାଇ ଆଣିଥିଲା। ଏପରିକି ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ହେଲେ ଏହି ନିଷ୍ପତ୍ତି ମୁମ୍ବାଇ ପାଇଁ ଆଶା କରାଯାଇଥିବା ଭଳି ସହଜ ହୋଇନଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଭ୍ୟସ୍ତ ଥିବା ମୁମ୍ବାଇର ଖେଳାଳି ଓ ପ୍ରଶଂସକଙ୍କ ପାଇଁ ଏହି ପରିବର୍ତ୍ତନକୁ ଗ୍ରହଣ କରିବା କଷ୍ଟକର ଥିଲା। ହାର୍ଦ୍ଦିକ ଅଧିନାୟକ ହେବା ପରେ ଷ୍ଟାଡିୟମରେ ତାଙ୍କୁ ନେଇ ଅସନ୍ତୋଷ ମଧ୍ୟ ଦେଖାଯାଇଥିଲା। ଅନେକ ସମୟରେ ଦର୍ଶକଙ୍କ ପକ୍ଷରୁ ତାଙ୍କ ବିରୋଧରେ ସ୍ଲୋଗାନ ଶୁଣିବାକୁ ମିଳିଥିଲା। ଏଠାରୁ ହିଁ ଆରମ୍ଭ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସର ନୂଆ ସମସ୍ୟା। କାରଣ କେବଳ ଅଧିନାୟକ ବଦଳାଇଦେଲେ ଗୋଟିଏ ଦଳର ମାନସିକତା ବଦଳିଯାଏ ନାହିଁ। ଏଥିପାଇଁ ସମଗ୍ର ଦଳର ସମର୍ଥନ ଓ ସମନ୍ୱୟ ଆବଶ୍ୟକ। ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ତାଙ୍କ ଉପରେ ଚାପ ବଢ଼ିଥିଲା।
.jpeg)
ତେବେ ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ଉଠୁଛି। ଯଦି ହାର୍ଦ୍ଦିକ ଜଣେ ସଫଳ ଅଧିନାୟକ ଥିଲେ, ତେବେ ମୁମ୍ବାଇରେ ସେହି ସଫଳତା ଦୋହରାଇବା କାହିଁକି ସମ୍ଭବ ହେଲା ନାହିଁ? ଅନେକ କ୍ରିକେଟ୍ ବିଶ୍ଳେଷକଙ୍କ ମତରେ, ଏହାର କାରଣ କେବଳ ହାର୍ଦ୍ଦିକ ନୁହନ୍ତି। ଦଳ ଭିତରେ ଥିବା ସମୀକରଣ, ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ଏବଂ ଲଗାତାର ଖରାପ ପ୍ରଦର୍ଶନ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ।
ଗୋଟିଏ ପଟେ ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ସୂର୍ୟ୍ୟକୁମାର ଯାଦବ ଓ ତିଲକ ବର୍ମାଙ୍କ ଭଳି ଖେଳାଳି ରହିଥିଲେ। ଅନ୍ୟପଟେ ହାର୍ଦ୍ଦିକଙ୍କୁ ନେଇ ଅଲଗା ଆଶା ରହିଥିଲା। ଏହି ପରିସ୍ଥିତିରେ ଅଧିନାୟକ ଭାବରେ ତାଙ୍କ ପାଇଁ ଦଳକୁ ଏକାଠି ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଏବେ ଯଦି ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଯାଆନ୍ତି, ତେବେ ଏହା ତାଙ୍କ କ୍ୟାରିୟରର ଆଉ ଏକ ବଡ଼ ମୋଡ଼ ହୋଇପାରେ। କାରଣ ପଞ୍ଜାବ ଦଳରେ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଅଛନ୍ତି। ହାର୍ଦ୍ଦିକ ଓ ଶ୍ରେୟସଙ୍କ ଭଲ ସମନ୍ୱୟ ଦଳକୁ ଅଧିକ ଶକ୍ତିଶାଳୀ କରିପାରେ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ନୂଆ ଅଧିନାୟକ ଚୟନ। ରୋହିତ ଶର୍ମାଙ୍କୁ ପୁଣି ଦାୟିତ୍ୱ ଦିଆଯିବ ନା ତିଲକ ବର୍ମାଙ୍କ ଉପରେ ଭରସା କରାଯିବ? ନା ଯଶପ୍ରୀତ ବୁମ୍ରାଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିବ? ଏହି ସବୁ ନାଁକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବୁମ୍ରା ଜଣେ ଅନୁଭବୀ ଖେଳାଳି ଭାବରେ ଏକ ସମ୍ଭାବ୍ୟ ବିକଳ୍ପ ହୋଇପାରନ୍ତି । ତେବେ ଏହି ପୂରା ଘଟଣାରେ କିଏ ଠିକ୍ ଓ କିଏ ଭୁଲ? ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ମୁମ୍ବାଇର ଭୁଲ ଥିଲା, ନା ତାଙ୍କୁ ଆବଶ୍ୟକ ସମର୍ଥନ ନଦେବା ଥିଲା ସବୁଠାରୁ ବଡ଼ ଭୁଲ? ଆଉ ଯଦି ସେ ପଞ୍ଜାବକୁ ଯାଆନ୍ତି, ତେବେ ମୁମ୍ବାଇ ଏହି ନିଷ୍ପତ୍ତି ପାଇଁ ଭବିଷ୍ୟତରେ ଅନୁତାପ କରିବ କି? ଏସବୁ ପ୍ରଶ୍ନର ଉତ୍ତର ଆଗାମୀ ଆଇପିଏଲ୍ ନିଲାମ ଓ ଦଳ ଗଠନ ପ୍ରକ୍ରିୟା ପରେ ହିଁ ସ୍ପଷ୍ଟ ହେବ ।




