ଆଇପିଏଲ ରେ ମହାଟ୍ରେଡ୍ ! ଶାମିଙ୍କୁ ନେଇ ହେଲା ବଡ ଡିଲ!
IPLରେ ପୁଣି ଏକ ବଡ଼ ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଦଳ ପରିବର୍ତ୍ତନ କରିଛନ୍ତି ଭାରତୀୟ ଷ୍ଟାର୍ ପେସର ମହମ୍ମଦ ଶାମି । ତେବେ ଶାମିଙ୍କୁ ସିଧାସଳଖ ଅନ୍ୟ ଦଳକୁ ବିକ୍ରି କରାଯାଇନାହିଁ, ବରଂ ଏକ ବଡ଼ ଟ୍ରେଡ୍ ଡିଲ୍ରେ ତାଙ୍କ ଦଳ ବଦଳିଛି।IPLରେ ଖେଳାଳିଙ୍କ ଅଦଳବଦଳ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଟ୍ରେଡ୍ ଚର୍ଚ୍ଚା ପରେ ଏବେ ଆଉ ଏକ ବଡ଼ ଡିଲ୍ ସାମ୍ନାକୁ ଆସିଛି।ଏହି ଡିଲ୍ ହୋଇଛି ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ। ଯେଉଁଥିରେ ଜଣେ ଖେଳାଳିଙ୍କ ବଦଳରେ ଦୁଇ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।
ରିପୋର୍ଟ ଅନୁସାରେ, ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର ସାମ୍ କରାନ ଏବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳିବେ । ଅନ୍ୟପଟେ ସାମ୍ କରାନଙ୍କ ବଦଳରେ ରାଜସ୍ଥାନକୁ ମିଳିବେ ଦୁଇ ଜଣ ଖେଳାଳି । ସେମାନେ ହେଉଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଏମ୍. ସିଦ୍ଧାର୍ଥ।ଅର୍ଥାତ୍ ଜଣେ ଖେଳାଳିଙ୍କ ବଦଳରେ ରାଜସ୍ଥାନ ଦୁଇ ଜଣ ଖେଳାଳିଙ୍କୁ ନିଜ ଦଳରେ ପାଇବ । ଏହି ଟ୍ରେଡ୍ ଉଭୟ ଦଳ ପାଇଁ କେତେ ଲାଭଦାୟକ ହେବ, ତାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।
ପ୍ରଥମେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର କଥା ଦେଖିବା । ସାମ୍ କରାନ ଜଣେ ଦକ୍ଷ ବାମହାତୀ ଦ୍ରୁତ ବୋଲର ହେବା ସହ ଜଣେ ଉପଯୋଗୀ ଅଲରାଉଣ୍ଡର ମଧ୍ୟ। ସେ ନୂଆ ବଲ୍ରେ ବୋଲିଂ କରିବା ସହ ଡେଥ୍ ଓଭରରେ ମଧ୍ୟ ଦଳ ପାଇଁ ଉପଯୋଗୀ ହୋଇପାରନ୍ତି। ଏହା ସହିତ ମଧ୍ୟକ୍ରମରେ ବ୍ୟାଟିଂ କରି ଦଳକୁ ଆବଶ୍ୟକ ରନ୍ ଦେବାର କ୍ଷମତା ମଧ୍ୟ ତାଙ୍କ ପାଖରେ ରହିଛି ।
ତେଣୁ ଲକ୍ଷ୍ନୌ ପାଇଁ ସାମ୍ କରାନଙ୍କ ଆଗମନ ଏକ ବଡ଼ ଶକ୍ତି ହୋଇପାରେ। ବିଶେଷକରି ଦଳକୁ ଜଣେ ବାମହାତୀ ପେସର ଏବଂ ଭଲ ଅଲରାଉଣ୍ଡରଙ୍କ ଆବଶ୍ୟକତା ଥିଲେ ଏହି ଡିଲ୍ ଗୁରୁତ୍ୱପୂର୍ଣ୍ଣ ହେବ।ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଟ୍ରେଡ୍ରୁ ନିଜର ବୋଲିଂ ବିଭାଗକୁ ମଜବୁତ କରିବାକୁ ଚାହିଁବ। ମହମ୍ମଦ ଶାମିଙ୍କ ଅଭିଜ୍ଞତା ଦଳ ପାଇଁ ବଡ଼ ସମ୍ପତ୍ତି ହୋଇପାରେ। ନୂଆ ବଲ୍ରେ ୱିକେଟ୍ ନେବା ଏବଂ ନିଜର ସଠିକ୍ ଲାଇନ୍ ଓ ଲେନ୍ଥ୍ରେ ବ୍ୟାଟରଙ୍କୁ ଅସୁବିଧାରେ ପକାଇବାରେ ଶାମିଙ୍କ ଦକ୍ଷତା ରହିଛି ।
ସେହିପରି ଏମ୍. ସିଦ୍ଧାର୍ଥଙ୍କ ଯୋଗଦାନ ମଧ୍ୟ ରାଜସ୍ଥାନ ପାଇଁ ଅତିରିକ୍ତ ବିକଳ୍ପ ହୋଇପାରେ । ଏହି ଦୁଇ ଖେଳାଳିଙ୍କ ମାଧ୍ୟମରେ ଦଳ ନିଜ ବୋଲିଂ ବିଭାଗକୁ ନୂଆ ରୂପ ଦେଇପାରିବ।ତେବେ ଏହି ଟ୍ରେଡ୍ରେ କେଉଁ ଦଳ ଅଧିକ ଲାଭବାନ ହେବ? ଲକ୍ଷ୍ନୌ ପାଇଁ ସାମ୍ କରାନ ମ୍ୟାଚ୍ ବିଜେତା ସାବ୍ୟସ୍ତ ହେବେ ନା ରାଜସ୍ଥାନ ପାଇଁ ମହମ୍ମଦ ଶାମିଙ୍କ ଅଭିଜ୍ଞତା ଦଳର ଭାଗ୍ୟ ବଦଳାଇବ? ଏହାର ଉତ୍ତର ଆଗାମୀ IPL ସିଜିନ୍ରେ ମିଳିବ ।




