ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବ ପାକିସ୍ତାନ !

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବ ପାକିସ୍ତାନ !
Samaya Live Desk Picture
Published On

ଦୁବାଇ:  ଭାରତ ସମର୍ଥନରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଲାଭ କରିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏବେ ଭାରତ ସହ ବିଶ୍ବାସଘାତ କରିଛି। ଏହା ହଠାତ୍‌ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ନିଜ ସଂପର୍କକୁ ନିବିଡ଼ କରିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୂଚୀ ବଦଳାଇବାକୁ ମଧ୍ୟ ଆଇସିସି ଉପ‌ରେ ଚାପ ସୃଷ୍ଟି କରିବା ପାଇଁ  ବିସିବି କୁଟନୈତିକ ସ୍ତରରେ ମଧ୍ୟ ପାକିସ୍ତାନର ସହଯୋଗ ଲୋଡ଼ିଥିବା ଜଣାପଡ଼ିଛି।  ବିସିବିକୁ ନୈତିକ ସମର୍ଥନ ଦେବା ଏବଂ ଭାରତକୁ ଏକଘରିଆ କରିବାର ଷଡ଼ଯନ୍ତ୍ର ବି ପିସିବି ଆରମ୍ଭ କରି ଦେଇଛି। ତେଣୁ ପାକିସ୍ତାନ  ଅନୌପଚାରିକ ଭାବେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବା କଥା ଚିନ୍ତା କରୁଥିବା ଜଣାପଡ଼ିଛି। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ବିସିବି ଓ ଆଇସିସି ମଧ୍ୟରେ ଲାଗିଥିବା ଟଣାଓଟରା ମାମଲାରେ ଅପ୍ରତ୍ୟାଶିତ ଭାବେ ନୁଆ ମୋଡ଼ ଆଣିଛି। ଏହି ମାମଲାକୁ ନେଇ ପାକିସ୍ତାନ ସରକାର ମଧ୍ୟ ବାଂଲାଦେଶ ସରକାରର ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ ସରକାର ସହ ଯୋଗାଯୋଗ କରି ବିସିସିଆଇକୁ ଅଡ଼ୁଆରେ ପକାଇବାକୁ ଚକ୍ରାନ୍ତ କରିଥିବାର ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ସରକାରର ଏଭଳି ପଦକ୍ଷେପ ନେଇ ୟୁନୁସ ସରକାର ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ସୂଚନା ମିଳିଛି। ବିସିବିର ଜଣେ ଅଧିକାରୀ କହିଛନ୍ତି ଯେ ଆମ କଥା ଯଦି ଆଇସିସି ନଶୁଣେ, ତାହେଲେ ପାକିସ୍ତାନ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା କଥାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛି। ଏସବୁ କଥାକୁ ଖାତିର ନକରି ଚଳିତ ମାସ ୨୧ ତାରିଖ ସୁଦ୍ଧା  ବିସିବି ଭାରତକୁ ଏହାର ଟିମ୍‌ ପଠାଇବ କି ନା’ ଆଇସିସିି ଚରମବାଣୀ ଶୁଣାଇ ଦେଇଛି। ବିସିବି ଯଦି ଦଳ ପଠାଇବାକୁ ମନା କରିଦିଏ, ତେବେ ଆଇସିସି ଅନ୍ୟ କୌଣସି ଦଳକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇ ସାରିଛି।