ସୁଟିଂ କୋଚ ଯଶପାଲ ରାଣାଙ୍କ ପରଲୋକ

ସୁଟିଂ କୋଚ ଯଶପାଲ ରାଣାଙ୍କ ପରଲୋକ
Samaya Live News Picture
Published On

ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ସୁଟର ଯଶପାଲ ରାଣାଙ୍କ ଦେହାନ୍ତ । ସେ ମାତ୍ର ୪୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଜର୍ମାନୀରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ଦିଲ୍ଲୀ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ତାଙ୍କ ଦେହାନ୍ତ ଖବର ଶୁଣି ଉତ୍ତରାଖଣ୍ଡ ସମେତ ସମଗ୍ର କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଯଶପାଲ ରାଣା ୨୮ ଜୁନ ୧୯୭୬ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ମୂଳତଃ ନୈନବାଗ ଚିଲାମୁରୁ। ତାଙ୍କ ପିତା ନାରାୟଣ ସିଂହ ରାଣା ଉତ୍ତରାଖଣ୍ଡ ସରକାରଙ୍କ କ୍ରୀଡା ମନ୍ତ୍ରୀ ଥିଲେ । ୧୯୯୪ ହିରୋସିମା ଏସୀୟ କ୍ରୀଡ଼ାରେ ୨୫ ମିଟର ସେଣ୍ଟର ଫାୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ସେ ଅନ୍ତର୍ଜାତୀୟ ସ୍ତରରେ ଚମତ୍କାର ପ୍ରଦର୍ଶନ କରିଥିଲେ। 

ଭାରତର ସବୁଠାରୁ ସଫଳ ପିସ୍ତଲ୍ ସୁଟର ମଧ୍ୟରେ ଯଶପାଲ ରାଣା ଅନ୍ୟତମ । ୯୦ ଦଶକରେ ସେ ଇଣ୍ଟରନ୍ୟାସନାଲ ଲେବୁଲରେ ନିଜର ଖାସ୍ ପରିଚୟ ସୃଷ୍ଟି କରିଥିଲେ । ସେ ଏସିଆନ୍ ଗେମ୍ସ, କମନୱେଲଥ ଗେମ୍ସ ଏବଂ ଏସିଆନ୍ ଚାମ୍ପିଅନସିପରେ ଅନେକ ପଦକ ଜିତି ଦେଶର ନାଁ ଆଗକୁ ନେବାରେ ସଫଳ ହୋଇଥିଲେ । ରାଣା ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସୁଟିଂ ଦୁନିଆରେ ଅଲଗା ପରିଚୟ ସୃଷ୍ଟି କରିଥିଲେ ।

ଏହି ଖେଳରୁ ସନ୍ନ୍ୟାସ ନେବା ପରେ ରାଣା କୋଚିଂ ଦୁନିଆରେ ପାଦ ରଖିଥିଲେ । ଖୁବ୍ ଶୀଘ୍ର ଭାରତୀୟ ସୁଟିଂ ଜଗତର ସବୁଠାରୁ ପ୍ରଭାବଶାଳୀ କୋଚମାନଙ୍କ ମଧ୍ୟରୁ ଜଣେ ପାଲଟି ଯାଇଥିଲେ । ୨୦୧୨ରେ ତାଙ୍କୁ ନ୍ୟାସନାଲ କୋଚିଂ ସିଷ୍ଟମରେ ସାମିଲ କରାଯାଇଥିଲା । ସେ ଜୁନିୟର ପିସ୍ତଲ କୋଚିଂ କାର୍ଯ୍ୟକ୍ରମର ଦାୟିତ୍ବ ଗ୍ରହଣ କରିଥିଲେ । ହାଇପରଫର୍ମାନ୍ସ କୋଚ୍ ଭାବେ ଦାୟିତ୍ବରେ ଥିଲେ ।

ଯଶପାଲ ରାଣାଙ୍କ ଆକସ୍ମିକ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆରେ ପୋଷ୍ଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଯସପାଲ ରାଣା ଜଣେ ଆଥଲେଟ୍ ଏବଂ ପ୍ରଶିକ୍ଷକ ହେବା ସହିତ ଜଣେ ସ୍ବାଭାବିକ, ସରଳ ଏବଂ ଅତ୍ୟନ୍ତ ଦୟାଳୁ ବ୍ୟକ୍ତି ଥିଲେ । ଭାରତରେ ବନ୍ଧୁକ ଚାଳନାକୁ ଏକ ଖେଳ ଭାବେ ଲୋକପ୍ରିୟ କରିବାର ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ।

ଦେଶରେ ସୁଟିଂକୁ ଲୋକପ୍ରିୟ କରିବାରେ ଯଶପାଲଙ୍କର ପ୍ରମୁଖ ଭୂମିକା ରହିଛି । ସୁଟିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ୨୦୦୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କୋଚ୍ ଭାବରେ ଯଶପାଲଙ୍କୁ ୨୦୨୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା ।
 

Tags: