ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ,ବିର୍ସାମୁଣ୍ଡା ହକି ଷ୍ଟାଡିଅମ ସମେତ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ କରିବେ ଉଦ୍ଘାଟନ
ରାଉରକେଲା : ଆଜି ରାଉରକେଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ସହ ରାଉରକେଲାରେ ‘ମୋ ବସ୍’ ସେବା ଏବଂ ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିବେ। ଏହା ସହ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବେ I ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ୧୨ଟା ୧୫ […]
ରାଉରକେଲା : ଆଜି ରାଉରକେଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ସହ ରାଉରକେଲାରେ ‘ମୋ ବସ୍’ ସେବା ଏବଂ ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିବେ। ଏହା ସହ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବେ I
ସୂଚନା ଅନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ୧୨ଟା ୧୫ ମିନିଟ ସମୟରେ ରାଉରକେଲାରେ ନବନିର୍ମିତ ଏୟାରପୋର୍ଟରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବେ। ସେଠାରେ ସେ ବିଶ୍ୱକପ୍ କହି ଖେଳାଳିଙ୍କ ରହିବା ଲାଗି ନିର୍ମିତ ୨୨୫ଟି ଆଡ଼ମ୍ୱରପୂର୍ଣ୍ଣ କୋଠରି(ସ୍ପୋର୍ଟ ଭିଲେଜ) ଉଦ୍ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ରାଉରକେଲାସ୍ଥିତ ଡିଏଭି ପୁଷ୍କରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହାପରେ ୪ଟା ୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍ଘାଟନ କରିବେ। ୨୦୨୧ରେ ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ରାଉରକେଲା ଦେଶର ବୃହତ୍ତମ ହକି ଷ୍ଟାଡିୟମ ହେବ। ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରାଯିବ। ଆଉ ଠିକ୍ ଦୁଇବର୍ଷ ପୂରିବା ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଆଜି ଲୋକାର୍ପଣ ହେବ।
ଏହାସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟିଲ ସିଟି ରାଉରକେଲା ଏବେ ସ୍ପୋର୍ଟସ ସିଟି ହେବ। ହକିରଗଡ ସୁନ୍ଦରଗଡ଼କୁ ଦେଖିବ ସାରା ବିଶ୍ୱ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ବିର୍ସାମୁଣ୍ଡା ଷ୍ଟାଡିୟମ୍ ଓ ଡିଏଭି ପୁସ୍କରଣୀ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଆସନ୍ତା ୧୩ ତାରିଖରେ ରାଉରକେଲାରେ ବିଶ୍ୱକପ୍ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ମୋଟ ୨୦ଟି ମ୍ୟାଚ୍ ଏହି ଷ୍ଟାଡିୟମରେ ଖେଳାଯିବ।




